ନରସିଂହଙ୍କୁ ନେଇ କଂଗ୍ରେସରେ ହଟଚମଟ: ନିରଞ୍ଜନ କହିଲେ ଆଗ ନେତା ଶୃଙ୍ଖଳିତ ହେବା ଦରକାର

ପିସିସି ସହ ବିଧାୟକ ‌ଦଳ ନେତା ବଦଳନ୍ତୁ: ସାଲୁଜା, ବିଧାୟକଙ୍କ ମଧ୍ୟରୁ ଜଣକୁ ସଭାପତି ନ କଲେ ଅସନ୍ତୋଷ ରହିବ: ତାରା

ଭୁବନେଶ୍ବର/ ବଲାଙ୍ଗୀର: କିଛିଦିନ ତଳେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍‌ର ତଦନ୍ତକୁ ନେଇ ହାଇକୋର୍ଟରେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର। ଆଇନଜୀବୀ ଭାବେ ଶ୍ରୀ ମିଶ୍ର ଏହି ମାମଲା ଲଢ଼ୁଥିବାବେଳେ ଏ ନେଇ ଯୁକ୍ତି ବାଢ଼ିଥିଲେ। ଏବେ ପୁଲିସ କରିଥିବା ତଦନ୍ତକୁ ପ୍ରମାଣିତ କରିବା ପାଇଁ ଅଦାଲତ‌ରେ ଯୁକ୍ତି ବାଢ଼ିବେ ତାଙ୍କ ବଡ଼ପୁଅ ଅମରେନ୍ଦ୍ର ମିଶ୍ର । ଅମରେନ୍ଦ୍ର ମିଶ୍ର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର (ପିପି) ଭାବେ ମମିତା ମେହେର ମାମଲା ଲଢୁଛନ୍ତି । ଶ୍ରୀ ମିଶ୍ର ଓ ତାଙ୍କ ପୁଅ ପରସ୍ପର ବିରୋଧରେ ମାମଲା ଲଢ଼ିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ, ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ୍‌ ଯୋଗାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ଦଳରେ ହଟଚମଟ ସୃଷ୍ଟି ହୋଇଛି। ଦଳର ଏକାଧିକ ବିଧାୟକ ଏହାକୁ ନେଇ ଗଣମାଧ୍ୟମରେ ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ନିଯୁକ୍ତି ହେଲା ସେସଂପର୍କରେ ଆଲୋଚନାର ଆବଶ୍ୟକତା ରହିଥିବା ସେମାନେ ଖୋଲାଖୋଲି ଗଣମାଧ୍ୟମରେ କହିଛନ୍ତି।
କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ନିରସିଂହ ମିଶ୍ରଙ୍କୁ ତାଚ୍ଛଲ୍ୟ କରିବା ସହିତ ବାପା ମମିତାଙ୍କ ପାଇଁ ଲଢ଼ୁଥିବା ବେଳେ ତାଙ୍କ ପୁଅ ସରକାରଙ୍କ ପାଇଁ ଲଢ଼ୁଛନ୍ତି ବୋଲି କହିଛନ୍ତି। ମମିତା ମେହେର ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ବାବୁ କଳାକୋର୍ଟ ପିନ୍ଧିବେ ବୋଲି ରାଜ୍ୟବାସୀଙ୍କୁ କହିଥିଲେ। ହେଲେ ଗତକାଲି କଣ୍ଟାବାଞ୍ଝି କୋର୍ଟରେ ତାଙ୍କ ବଡ଼ ପୁଅ ସ୍ପେଶାଲ ପିପି ହୋଇ ଯାଇଥିବା ଦେଖିବାକୁ ମିଳିଲା। ତେଣୁ ଆଗକୁ କ’ଣ ହେବ ତାହା ସମୟ କହିବ। ଓଡ଼ିଶାରେ କେବଳ ପିସିସି ସଭାପତି ନୁହେଁ, ବିଧାୟକ ଦଳ ନେତା ମଧ୍ୟ ବଦଳିବା ଜରୁରୀ। ଦଳର ପ୍ରାୟ ଅଧିକାଂଶ ବିଧାୟକ ଏକଥା କହୁଛନ୍ତି। ତେବେ ହାଇକମାଣ୍ଡ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। କଂଗ୍ରେସ ସବୁବେଳେ ହାଇକମାଣ୍ଡଙ୍କ ଉପରେ ବିଶ୍ବାସ କରି ଆସିଛି। ବିଧାୟକ କିମ୍ବା ଅନ୍ୟ କାହାକୁ ପିସିସି ସଭାପତି କରାଗଲେ ଆମେ ସ୍ବାଗତ କରିବୁ। କଂଗ୍ରେସ ଦଳ ଏକାକୀ ଲଢ଼ିଲେ ୨୦୨୪ରେ ସରକାର ଗଢ଼ିପାରିବ ବୋଲି ଶ୍ରୀ ସାଲୁଜା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମମିତା ପ୍ରସଙ୍ଗରେ ସାଲୁଜାଙ୍କ ସହିତ ସ୍ବର ମିଳାଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ ମମିତା ମେହେର ଘଟଣାରେ ନରସିଂହ ବାବୁଙ୍କ ବଡ଼ପୁଅ କ’ଣ ପାଇଁ ସ୍ବତନ୍ତ୍ର ପିପି ନିଯୁକ୍ତି ହେଲେ ତାହା ବୁଝାପଡ଼ୁନାହିଁ। ଶ୍ରୀ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ‌ତାଙ୍କ ପୁଅ କିଭଳି ମମିତା ପ୍ରଙ୍ଗରେ ସରକାରୀ ଓକିଲ ହେଲେ ଏ ନେଇ ସଂଗଠନରେ ଆଲୋଚନା କରାଯିବ। ପିସିସି ସଭାପତି ଚୟନ ସଂପର୍କରେ ସେ କହିଛନ୍ତି ଯେ ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। ହାଇକମାଣ୍ଡ ଯଦି ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ସଭାପତି କରନ୍ତି ତାହାଲେ ମଧ୍ୟ ଦଳ ତାଙ୍କୁ ସମର୍ଥନ କରିବ। ବିଧାୟକ ଦଳ ନେତା ମଧ୍ୟ ପରିବର୍ତନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଅପରପକ୍ଷରେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରା ନ ଗଲେ ଦଳରେ ଅସନ୍ତୋଷ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ଯେ ଜଣେ ବିଧାୟକ ସଭାପତି ହେଲେ ତାଙ୍କ ସହ ୯ଜଣ ବିଧାୟକ ବୁଲିବେ ଓ ଦଳ ଦମ୍ ଦେଖାଇ ପାରିବ। କିନ୍ତୁ ବିଧାୟକ ବାଦ୍ ଅନ୍ୟ କାହାକୁ ହେଲେ ଦଳରେ ଅସନ୍ତୋଷ ରହିବ। ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ, ମାତ୍ର ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। କ‌ଂଗ୍ରେସ ଦଳରେ ନବକଳେବର ହେବ ଓ ସଂଗଠନ ସୁଦୃଢ଼ ହେଲେ ଲୋକଙ୍କ ବିଶ୍ବାସ ବଢ଼ିବ। ତେବେ କାର୍ଯ୍ୟକାରୀ ସଭାପତି ପଦକୁ ସେ ଗ୍ରହଣ କରିବେ ନାହିଁ ବୋଲି ତାରା ରୋକଠୋକ୍ କହିଛନ୍ତି। ପିସିସି ସଭାପତି ପରିବର୍ତନକୁ ନେଇ ଚର୍ଚା ଚାଲିଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନେତା ଶୃଙ୍ଖଳିତ ହେଲେ କଂଗ୍ରେସ ସୁଦୃଢ଼ ହେବ। କଂଗ୍ରେସରେ ଯେମିତି ଶୃଙ୍ଖଳା ରହିବା କଥା ତାହା ରହିଲାନି। ପରିବାର ଭଳି ଦଳ ଭିତରେ ଶୃଙ୍ଖଳା ରହିଲେ ଦଳ ସୁଦୃଢ଼ ରହିବ। ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା। ସାଧୁତା ଏବଂ ଆନ୍ତରିକତା ନଥିଲେ ଦଳ ଦୃଢ଼ ହେବନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ, ଶ୍ରୀମିଶ୍ର କହିଛନ୍ତି, ‘ ତାଙ୍କ ବଡ଼ପୁଅଙ୍କୁ ସରକାର ସ୍ପେସାଲ ପିପି ଭାବରେ ନିଯୁକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପିପିର କାର୍ଯ୍ୟ ଦୋଷୀକୁ ଦଣ୍ଡଦେବା। ପିପି ସରକାରଙ୍କ ଚାକର ନୁହେଁ ଏବଂ ପିପିର ସ୍ୱାଧୀନତା ଅଛି। ମାମଲାରେ ଦୋଷୀକୁ ଦଣ୍ଡିତ କରିବାପାଇଁ ଯେତେ ତଥ୍ୟ ରହିଛି, ସେଥିରେ କେଉଁଟା ଭୁଲ ଓ କେଉଁଟା ଠିକ୍‌ ପିପି ପାଠପଢ଼ି କହିବ ତାହା ଯଥେଷ୍ଟ କି ନୁହଁ। ମୁଁ ଯଦି ରାଜନୀତିରେ ମତପୋଷଣ କଲି ମୋ ପୁଅ ବି ରାଜନୀତି କରିବ ମାନେନାହିଁ।’ ‘ ଏହି ଘଟଣାରେ ବାପ-ପୁଅଙ୍କ ଲକ୍ଷ୍ୟ ଏକ। ସ୍ପେସାଲ ପିପିଙ୍କ ଲକ୍ଷ୍ୟ ଅପରାଧୀକୁ ଦଣ୍ଡିତ କରିବା। ମୋର ମଧ୍ୟ ଲକ୍ଷ୍ୟ ଦୋଷୀକୁ ଦଣ୍ଡିତ କରାଯାଉ,’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର