ଦୁର୍ନୀତିମୁକ୍ତ ଅଭିଯାନ ନାଁରେ କେବଳ ହଟଚମଟ! ୭ ବର୍ଷରେ ୬୬୮ ଦୋଷୀ ସାବ୍ୟସ୍ତ; ୯୫୪ ନିର୍ଦ୍ଦୋଷ

ଅଦାଲତରେ ଗଡ଼ୁଛି ୧ ହଜାରରୁ ଅଧିକ ମାମଲା

କଟକ: ଭିଜିଲାନ୍ସ ବିଭାଗରେ ଦୋଷୀ ସାବ୍ୟସ୍ତ ଚିତ୍ର ଅତ୍ୟନ୍ତ ଦୟନୀୟ। ଗଲା ୭ ବର୍ଷ ଭିତରେ ଭିଜିଲାନ୍ସ ବିଭାଗ ୩ ହଜାର ୮୮ ଜଣଙ୍କୁ ଗିରଫ କରିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୬୬୮ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୯୫୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅର୍ଥାତ୍‌ କୋର୍ଟରେ ଶୁଣାଣି ହେଉଥିବା ମାମଲାରେ ଅଧାରୁ ଅଧିକ ସଂଖ୍ୟାରେ ସରକାରୀ ବାବୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ଦୁର୍ନୀତି ନିବାରଣ ଆଇନ, ୧୯୮୮ ଓ ଆଇପିସିରେ ଥିବା ଦୁର୍ନୀତି ଜନିତ ଦଫା ଆଧାରରେ ଭିଜିଲାନ୍ସ ଓ ଲୋକାୟୁକ୍ତ ୨୦୧୪ରୁ ୨୦୨୦ ମଧ୍ୟରେ ରୁଜୁ କରିଥିବା ଦୁର୍ନୀତି ସଂକ୍ରାନ୍ତ ମାମଲାର ଅନୁଧ୍ୟାନ କଲେ ଭିଜିଲାନ୍ସ ବି ପୁଲିସ ଭଳି ତଦନ୍ତ କ୍ଷେତ୍ରରେ ଦୁର୍ବଳ ବୋଲି ସ୍ପଷ୍ଟ ହେଉଛି। ୨୦୨୦ରେ ଭିଜିଲାନ୍ସରେ ୨୪୫ଟି ମାମଲା ରୁଜୁ ହୋଇଥିଲା। ୧୮୭ ଜଣ ଗିରଫ ହୋଇଥିଲେ। ସେଥିରୁ ୮ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଓ ୧୫୩ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। କିନ୍ତୁ ୨୦୨୦ ବର୍ଷ ଶେଷ ସୁଦ୍ଧା ୧୫୭୭ ମାମଲାର ତଦନ୍ତ ଓ କୋର୍ଟରେ ଶୁଣାଣି ପାଇଁ ମୋଟ ୩୪୬୩ ମାମଲା ପଡ଼ି ରହିଥିଲା। ଏହିବର୍ଷ ମାତ୍ର ୧୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେହିଭଳି ୨୦୧୯ରେ ୩୫୩ ମାମଲା ରୁଜୁ ହୋଇଥିବା ବେଳେ ୨୨୪ ଜଣ ଗିରଫ ହୋଇଛନ୍ତି। ୧୦ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଓ ୧୬୭ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। ବର୍ଷ ଶେଷରେ ୧୪୯୩ ମାମଲାର ତଦନ୍ତ ଓ ୩ ହଜାର ୩୫୬ ମାମଲା କୋର୍ଟରେ ଶୁଣାଣି ପାଇଁ ପଡ଼ି ରହିଛି। ଏହି ବର୍ଷ ୮୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୧୦୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୮ରେ ୪୯୪ ମାମଲା ରୁଜୁ ହୋଇଛି। ୨୧୮ ଜଣ ଗିରଫ ହୋଇଛନ୍ତି। ୧୦ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଓ ୩୧୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। ବର୍ଷ ଶେଷରେ ୧୧ଶହ ୧୯ ମାମଲାର ତଦନ୍ତ ଓ ୩ ହଜାର ୩୮୨ ମାମଲା ଶୁଣାଣି ପାଇଁ ପଡ଼ି ରହିଥିଲା। ୧୩୬ ଜଣ ଦୋଷୀ ଓ ୨୦୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୭ରେ ୪୯୪ ମାମଲା ରୁଜୁ ହୋଇଥିଲା। ୨୧୮ ଜଣ ଗିରଫ ହୋଇଥିଲେ। ୧୦ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଓ ୩୧୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। ବର୍ଷ ଶେଷରେ ୧୧ଶହ ୧୯ ମାମଲର ତଦନ୍ତ ଓ ୩ହଜାର ୩୮୨ ମାମଲା ବିଚାର ପାଇଁ ପଡ଼ିରହିଛି। ଏହି ବର୍ଷ ୧୩୬ ଦୋଷୀ ଓ ୨୦୨ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ୫୬୯ ମାମଲା ରୁଜୁ ହୋଇଥିଲା।

୧୦୯୦ ଜଣ ଗିରଫ ହୋଇଥିଲେ। ବର୍ଷ ଶେଷରେ ୯୫୪ ମାମଲାର ତଦନ୍ତ ଓ ୩ହଜାର ୬୪୭ ମାମଲା ଶୁଣାଣି ପାଇଁ ପଡ଼ି ରହିଥିଲା। ଏହି ବର୍ଷ ୯୮ ଜଣ ଦୋଷୀ ଓ ୧୫୮ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୫ରେ ୪୫୬ ମାମଲା ରୁଜୁ ହୋଇଥିଲା। ୮୬୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବର୍ଷ ଶେଷରେ ୭୫୬ ମାମଲାର ତଦନ୍ତ ପାଇଁ ପଡ଼ି ରହିଥିଲା। ୨୪ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇଛି। ୮୩ ଜଣ ଦୋଷୀ ଓ ୧୩୧ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୪ରେ ୪୦୦ ମାମଲା ରୁଜୁ ହୋଇଥିଲା। ୨୯୧ ଜଣ ଗିରଫ ହୋଇଛନ୍ତି। ୨୯୫ ମାମଲାରେ ଚାର୍ଜସିଟ ଓ ୧୬ଟି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇଛି। ବର୍ଷ ଶେଷରେ ୭୪୧ ମାମଲାର ତଦନ୍ତ ପାଇଁ ପଡ଼ି ରହିଛି। ଏହି ବର୍ଷ ୧୧୮ ଜଣ ଦୋଷୀ ଓ ୧୩୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବାର୍ଷିକ ୨୦୦ରୁ ୪୦୦ ମାମଲା ରୁଜୁ ହେଉଥିବା ବେଳେ ମାମଲା କିନ୍ତୁ ପୂର୍ବ ବର୍ଷମାନଙ୍କୁ ମିଶାଇ ହାରାହାରି ବର୍ଷକୁ ୧ହଜାରରୁ ୧୫ ଶହ ମାମଲା ତଦନ୍ତ ନହୋଇ ପଡ଼ିରହିବା ଚିନ୍ତାର କାରଣ ହୋଇଛି।

ସର୍ବାଧିକ ୬ ବର୍ଷ ଓଡ଼ିଶା ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଥିବା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଗୋପାଳ ନନ୍ଦ କହିଛନ୍ତି ଯେ ଭିଜିଲାନ୍ସ ଯେଉଁ ଅନୁପାତରେ ମାମଲା ରୁଜୁ କରୁଛି ସେହି ହାରରେ ତଦନ୍ତକାରୀ ଅଧିକାରୀ ନାହାନ୍ତି। ସିବିଆଇ ଭଳି ସଂସ୍ଥାରେ ଜଣେ ତଦନ୍ତକାରୀ ଅଧିକାରୀ ତିନୋଟି ମାମଲା ବର୍ଷକ ଭିତରେ ତଦନ୍ତ କରନ୍ତି। କିନ୍ତୁ ଭିଜିଲାନ୍ସର ତଦନ୍ତକାରୀ ଅଧିକାରୀ ପିଛା ୭ରୁ ୮ଟି ଲେଖାଏ ମାମଲା ପଡ଼ୁଛି। ତଦନ୍ତକାରୀ ଅଧିକାରୀ ମାମଲା ପ୍ରତି ପର୍ଯ୍ୟାପ୍ତ ସମୟ ଦେଉନଥିବାରୁ ଚାର୍ଜସିଟ୍ ଓ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଛି। ଯେତିକି ମାମଲା ନେଇଆଣି ଥୋଇପାରିବେ, ସେତିକି ମାମଲା ଭିଜିଲାନ୍ସ ରୁଜୁ କରିବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର