ଘୁ.ଉଦୟଗିରି: ଚାରିମାସର ସମସ୍ୟା ମାତ୍ର ୪ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତତ୍ପରତା ଦେଖାଇ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡବାସୀଙ୍କୁ ନଳକୂପରୁ ପାନୀୟ ଜଳ ମିଳିଛି।

Advertisment

ସୂଚନା ଅନୁସାରେ କଳିଙ୍ଗା ପଞ୍ଚାୟତର ୧୭ନଂ ୱାର୍ଡ ତଥା ପୁକୁଲିଙ୍ଗିଆ ତିଡିସାହିରେ ଦୀର୍ଘ ୪ମାସ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା। ଏହି ଯୋଗୁଁ ସ୍ଥାନୀୟଲୋକ  ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ଫଳରେ ସେମାନେ ଦେଢ଼ କିମି ଦୂର ଚୁଆକୁ ଯାଇ ପାଣି ସଂଗ୍ରହ କରୁଥିଲେ। ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ କର୍ମଚାରୀଙ୍କୁ ଅନେକ ଥର ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁ ନଥିଲେ।

publive-image

ତେବେ ସମସ୍ୟା ନେଇ ଆଜି ‘ସମ୍ବାଦ’ରେ ‘ଦେଢ଼ କିମି ଗଲେ ମିଳୁଛି ଚୁଆ ପାଣି, ୪ମାସ ହେଲା ନଳକୂପ ଅଚଳ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଫଳରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗୀୟ କର୍ମଚାରୀମାନେ ତିଡିସାହିରେ ପହଞ୍ଚି ନଳକୂପ ମରାମତି କରିଥିଲେ। ଏବେ ତିଡିସାହିରେ ଲୋକଙ୍କୁ ନଳକୂପରୁ ପାଣି ମିଳିପାରୁଛି। ଆଗକୁ ଗ୍ରୀଷ୍ମଋତୁ ମାଡ଼ି ଆସୁଥିବାରୁ ଏବଂ ଏହା ପୂର୍ବରୁ ସମସ୍ୟାର ସମାଧାନ ହୋଇଥିବାରୁ ସ୍ଥାନୀୟ ଲୋକେ ଗଣମାଧ୍ୟମ ଓ ପ୍ରଶାସନକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।