ଭୁବନେଶ୍ବର : ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଓ ଏରସମା ଅଞ୍ଚଳର ମାଛ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବତନ ବିଧାୟକ ଉମେଶ ସ୍ବାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ସ୍ବାଇଁ ଗତକାଲି ଏନେଇ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମାଛ ଉତ୍ପାଦନରେ ଜଗତ୍ସିଂହପୁର ଜିଲ୍ଲା ବହୁ ଆଗରେ। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ସାମୁଦ୍ରିକ ମାଛ ରପ୍ତାନୀ ୭୪୭ ପ୍ରତିଶତ ବୃଦ୍ଧି ଘଟିଛି। ଚିଙ୍ଗୁଡ଼ି ରପ୍ତାନୀ ବାର୍ଷିକ ୮୦୦ କୋଟି ଥିବା ବେଳେ ଏବେ ୩ ହଜାର କୋଟି ଟଙ୍କାରେ ପହଞ୍ଚିଛି। ନିକଟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଇଡ୍କୋକୁ ଲ୍ୟାଣ୍ଡବ୍ୟାଙ୍କ ଜରିଆରେ ସାମୁଦ୍ରିକ ଜମିକୁ ଉନ୍ନତ କରି ଚିଙ୍ଗୁଡ଼ି ପାଇଁ ସାଧାରଣ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉପକୂଳବର୍ତୀ ସମୁଦ୍ର କୂଳିଆ ଅଞ୍ଚଳରେ ଚାଷୀମାନେ ୩୦ରୁ ୪୦ ବର୍ଷ ଧରି ତଳିଆ ଜମିରେ ଘେରି ବନ୍ଦ କରି ଚିଙ୍ଗୁଡ଼ି ଚାଷ କରି ଆସୁଛନ୍ତି। କିନ୍ତୁ ଜଗତ୍ସିଂହପୁର ଜିଲ୍ଲାପାଳ କିଛି ଲୋକଙ୍କ ଦ୍ବାରା ପ୍ରଭାବିତ ହୋଇ ଉକ୍ତ ନିଷ୍ପତ୍ତିକୁ ଖୋଲା ବିରୋଧ କରୁଛନ୍ତି।
ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନ୍କ୍ରୋଚମେଣ୍ଟ ଆକ୍ଟର ଧାରା ୪ ଓ ୬ରେ ବାଲିକୁଦା ଓ ଏରସମା ତହସିଲଦାରଙ୍କ ଜରିଆରେ ନୋଟିସ୍ ଦେଇ ଚାଷୀମାନଙ୍କ ଶୁଣାଣି ନାଁରେ ଟଙ୍କା ଆଦାୟ କଲେ। ଆଇନ ଅନୁଯାୟୀ ଚାଷୀ ଶୁଣାଣି ନ କରି ବଳପୂର୍ବକ ବେଆଇନ ଭାବେ ଗତ ମାସ ୧୮ ତାରିଖରେ କୁଶୁପୁର ମୌଜାକୁ ଚିଙ୍ଗୁଡ଼ି ଚାଷ ଘେରି ଭାଙ୍ଗିବା ପାଇଁ ବନ ବିଭାଗ ଅଧିକାରୀଙ୍କୁ ଧରି ପହଞ୍ଚିଥିଲେ। ସ୍ଥାନୀୟ ଚାଷୀଙ୍କ ପ୍ରବଳ ବିରୋଧ ହେତୁ ସେମାନେ ଫେରି ଆସିଥିଲେ। ଏହା ବିରୁଦ୍ଧରେ ଆପତ୍ତି କରିବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ। ସେହିପରି ଏକର ପିଛା ସରକାରୀ ଜମି ଦଖଲରେ ଥିବା ବ୍ୟକ୍ତିମାନେ ବାର୍ଷିକ ଶହେ ଟଙ୍କାରୁ ଅଧିକ କର ନ ଦେବା ଲାଗି ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ବେଆଇନ ଭାବେ ୩ ହଜାର ଟଙ୍କା ଆଦାୟ କରାଯାଉଛି। ଏଥିସହ ଚାଷୀମାନେ ସରକାରୀ ଜମି ୩୦ରୁ ୪୦ ବର୍ଷ ଦଖଲରେ ଥିଲେ ଆଇନ ଅନୁଯାୟୀ ତାହା ଦଖଲକାରୀଙ୍କ ନାମରେ ରେକର୍ଡଭୁକ୍ତ କରିବାର ବ୍ୟବସ୍ଥା ରହିଛି। ଏସବୁ ସତ୍ତ୍ବେ ଜଗତ୍ସିଂହପୁର ଜିଲ୍ଲାପାଳଙ୍କ ନିର୍ଦେଶରେ ସାଧାରଣ ଚାଷୀଙ୍କୁ ଚାଷ ଜମିରୁ ଉଚ୍ଛେଦ କରାଯାଉଛି। ରାଜ୍ୟ ତଥା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ଘଟିବା ପରିବର୍ତେ କ୍ଷତି ସାଧନ ହେଉଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Mkg-Fish-Farmer-of-zilla-1.jpg)