ସମ୍ବଲପୁର: ବାହାରୁ ଆସିଥିବା ଜଣେ ଯୁବକଙ୍କୁ ନେଇ ସମ୍ବଲପୁର ସହର କମଲିବଜାର ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଳମ୍ବିତ ରାତିରେ ପଡ଼ାର ଗୋଟିଏ ପରିବାର ଘର ଛାଡ଼ି ଚାଲି ଯାଇଥିବା କୁହାଯାଉଛି। ସେମାନେ କୁଆଡ଼େ ଗଲେ ସେ ନେଇ ପୁଲିସ ନିକଟରେ କୌଣସି ଖବର ନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ, କମଲିବଜାରରେ ଭଡ଼ାରେ ରହୁଥିବା ରବି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ୧ ତାରିଖ ରାତିରେ ତାଙ୍କର ଜଣେ ବଙ୍ଗାଳୀ ବନ୍ଧୁ ଆସିଥିଲେ। ବର୍ତ୍ତମାନ ପଡ଼ାକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଥିବାରୁ ବାହାର ଲୋକଙ୍କୁ ଘରେ କାହିଁକି ରଖାଗଲା ବୋଲି ୨ ତାରିଖ ସକାଳେ ପଡ଼ୋଶୀମାନେ ପଚାରିଥିଲେ। ପୁଲିସ ଏବଂ ହେଲ୍ପ ଲାଇନକୁ ଏ ବିଷୟ ଜଣାଇଥିଲେ। ଟାଉନ ଥାନା ପୁଲିସ ସୂଚନା ପାଇ ପଡ଼ାକୁ ଆସିଥିଲା। ବାହାର ରାଜ୍ୟରୁ ଆସିଥିବା ଯୁବକ ଏବଂ ରବିଙ୍କୁ ସ୍ବାସ୍ଥ୍ୟ ଟିମ୍‌ ନଆସିବା ପର୍ଯ୍ୟନ୍ତ ଘରେ ରହିବାକୁ ପୁଲିସ ପରାମର୍ଶ ଦେଇ ଚାଲି ଯାଇଥିଲା। ଅନ୍ୟ ଦିଗରେ ହେଲ୍ପ୍‌ ଲାଇନ ନମ୍ବର କାର୍ଯ୍ୟ ନ କରିବାରୁ ଦିନତମାମ ଅପେକ୍ଷା ପରେ ମଧ୍ୟ କୌଣସି ସ୍ବାସ୍ଥ୍ୟ ଟିମ୍‌ ଆସିନଥିଲା। ପଡ଼ାବାସୀଙ୍କ ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୨ଟା ବେଳକୁ ରବି ତାଙ୍କର ବନ୍ଧୁଙ୍କୁ ଧରି ବାହାରକୁ ବୁଲିବାକୁ ଚାଲି ଯାଇଥିଲେ। ସଂଧ୍ୟାରେ ସେ ଫେରିବା ପରେ ଏହାକୁ ନେଇ ଉତ୍ତେଜନା ଆହୁରି ବଢ଼ି ଯାଇଥିଲା। ବିଳମ୍ବିତ ରାତିରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା। ସକାଳ ୯ଟାରେ ସ୍ବାସ୍ଥ୍ୟ ଟିମ୍‌ ପଡ଼ାରେ ପହଞ୍ଚିବା ବେଳକୁ ଏହି ପରିବାର ପଡ଼ାରେ ନଥିଲେ। ଘରେ ତାଲା ପଡ଼ିଥିଲା। ରବିଙ୍କ ସହ ତାଙ୍କ ବୃଦ୍ଧ ମା’, ୨ ଭଉଣୀ, ଭିଣୋଇ ଏବଂ ଭଣଜା ମଧ୍ୟ ରହୁଥିଲେ। କାହାର ଖୋଜଖବର ମିଳୁନାହିଁ।

Advertisment

ଅନ୍ୟପକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଗତରାତି ୯ଟାରେ ପଡ଼ାକୁ ବାହାର ରାଜ୍ୟର ବ୍ୟକ୍ତି ଆସିଥିବା ସମ୍ପର୍କରେ ସୂଚନା ପାଇଥିଲେ। ସକାଳେ ଟିମ୍‌ ପଡ଼ାକୁ ଯାଇଥିଲେ। ସେତେବେଳକୁ ଘରେ ତାଲା ପଡ଼ିଥିଲା। ସଂଧ୍ୟାରେ ମଧ୍ୟ ଟିମ୍‌ ଆଉ ଥରେ ଯାଇ ଫେରିଥିଲା। କମଲିବଜାର ଭଳି ମାୟାବଗିଚା ଅଞ୍ଚଳକୁ ବି ବାହାର ଲୋକଙ୍କ ଆଗମନ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି। ତେବେ କୌଣସି ପରିବାର ଘର ଛାଡ଼ି ଥିବା ନେଇ ସୂଚନା ନଥିବା ପୁଲିସ ପକ୍ଷରୁ କୁହାଯାଇଛି।