ଭୁବନେଶ୍ୱର: ରାଜ୍ୟରେ ସଂସ୍କୃତ ଶିକ୍ଷା ଏବେ ସଙ୍କଟରେ। ବହୁ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ରାଜ୍ୟର ଶତାଧିକ ସଂସ୍କୃତ ଟୋଲ୍ର ସ୍ଥିତି ଦୟନୀୟ। ଇତିମଧ୍ୟରେ କେତେକ ସଂସ୍କୃତ ଟୋଲ୍ ବି ବନ୍ଦ ହୋଇଗଲାଣି। ଯେଉଁ କେତେକ ତିଷ୍ଠି ରହିଛି ତାହାର ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ। କେତେବେଳେ ଯେ ତାଲା ପଡ଼ିବ ତାହା କହିହେବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ଆନ୍ତରିକତା ଅଭାବରୁ ବନ୍ଦ ହେବାକୁ ବସିଛି ଶହେ ବର୍ଷର ସଂସ୍କୃତ ଶିକ୍ଷାନୁଷ୍ଠାନ। କେଉଁଠି ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି ତ ଆଉ କେଉଁଠି ଅଷ୍ଟମ ଶ୍ରେଣୀରେ ମାତ୍ର ୫ ପିଲା ସଂସ୍କୃତ ଶିକ୍ଷା ଗ୍ରହଣ କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ଏକାଧିକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସଂସ୍କୃତ ଶିକ୍ଷା ପ୍ରତି କାହିଁକି ଏତେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହାକୁ ନେଇ ଶିକ୍ଷାବିତ୍ମାନେ ପ୍ର୍ରଶ୍ନ କରିଛନ୍ତି।
ଓଡ଼ିଶାରେ ସଂସ୍କୃତ ଶିକ୍ଷାକୁ ବ୍ୟାପକ କରିବା ଲାଗି ଇଂରେଜ ସମୟରୁ ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଜିଲ୍ଲାରେ ଶତାଧିକ ସଂସ୍କୃତ ଟୋଲ୍ ମୁଣ୍ଡ ଟେକିଥିଲା। ୧୯୪୭ ମସିହା ସୁଦ୍ଧା ରାଜ୍ୟରେ ପ୍ରାୟ ୭୦ଟି ସଂସ୍କୃୃତ ଟୋଲ୍ ରହିଥିବା ବେଳେ ପରେ ସଂସ୍କୃତ ଟୋଲ୍ ସଂଖ୍ୟା ବୃଦ୍ଧି ପାଇ ୧୯୬୦ ବେଳକୁ ୧୩୯ରେ ପହଞ୍ଚିଥିଲା। ୧୯୭୫ ବେଳକୁ ୧୬୬ ଏବଂ ୧୯୯୪ ସୁଦ୍ଧା ୧୯୨ଟି ସଂସ୍କୃତ ଟେଲ୍ ଓଡ଼ିଶାରେ ରହିଥିଲା। ସଂସ୍କୃତ ଶିକ୍ଷାର ଅଧିକ ପ୍ରଚାର ପ୍ରସାର କରିବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୁରତ୍ୱ ଦେଇଥିଲେ। ୧୯୯୪ରୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟକୁ ସରକାରୀକରଣ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା କେବଳ ଘୋଷଣାରେ ରହିଯାଇଛି। ଏହାପରେ ବାରମ୍ବାର ଚିଠି ଲେଖାଯିବା ସହ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି। ପ୍ରସ୍ତାବ ବି ପଠାଯାଇଛି। ତଥାପି କୌଣସି ସୁଫଳ ମିଳିପାରି ନାହିଁ। କେବଳ କାଗଜପତ୍ରରେ ରହିଯାଇଛି ସବୁ କିଛି।
ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳମ୍ ପକ୍ଷରୁ କୁହାଯାଇଛି ଯେ ସଂସ୍କୃତ ଟୋଲ୍ରୁ ଅବସର ଗ୍ରହଣ କରୁଥିବା ପଣ୍ଡିତ ଶିକ୍ଷକଙ୍କ ସ୍ଥାନ ପୂରଣ ହେଉ ନାହିଁ। ୨୦ ବର୍ଷ ତଳେ ଯେତିକି ଶିକ୍ଷକ ରହିଥିଲେ ତାହାର ୬୦ ପ୍ରତିଶତ କମିଗଲେଣି। କାଁ ଭାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ କେବଳ ସଂସ୍କୃତ ପଢ଼ାଇବା ଲାଗି ସ୍ୱତନ୍ତ୍ର ଶିକ୍ଷକ ରହିଛନ୍ତି। ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ମଧ୍ୟ କମୁଛି। ସଂସ୍କୃତ ଟେଲ୍ଗୁଡ଼ିକର ଭିତ୍ତିଭୂମି ବି ଦୁର୍ବଳ ହେଉଛି। ଶହେ ବର୍ଷ ତଳର କେତେକ ସଂସ୍କୃତ ଟୋଲ୍ ଇତିମଧ୍ୟରେ ବନ୍ଦ ହୋଇଗଲାଣି। ବର୍ତମାନ ସମୟରେ ମାତ୍ର ୧୩୨ଟି ଟୋଲ୍ ନିଜର ସ୍ଥିତି ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବା ସହ ଟୋଲ୍ଗୁଡ଼ିକୁ ସରକାରୀକରଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ୧୯୯୪ ସୁଦ୍ଧା ପୂର୍ଣ୍ଣ ଅନୁଦାନପ୍ରାପ୍ତ ୧୨୮୮ଟି ବିଦ୍ୟାଳୟକୁ ସରକାରୀ କରିବାକୁ ଦୁଇ ମାସ ତଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘୋଷଣା କରିଛନ୍ତି। ସଂସ୍କୃତ ଟେଲ୍ଗୁଡ଼ିକୁ ବି ସାମିଲ କରାଯାଇ ସରକାରୀକରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
ସଂସ୍କୃତ ବିଶାରଦ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ରାଷ୍ଟ୍ରୀୟ ପାଣ୍ଡୁଲିପି ଅଭିଯାନର ପୂର୍ବତନ ନିର୍ଦେଶକ ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି ଯେ ସରକାରୀ ଶିକ୍ଷକଙ୍କୁ ଯେଉଁ ସୁବିଧା ଦିଆଯାଉଛି ତାହା ସଂସ୍କୃତ ଟୋଲ୍ରେ ମିଳୁ ନାହିଁ। ଯେଉଁଥିପାଇଁ ଟୋଲ୍ଗୁଡ଼ିକର ଭିତ୍ତିଭୂମି ଦୂର୍ବଳ ହେବାରେ ଲାଗିଛି। ବିଦ୍ୟାଳୟଗୁଡ଼ିକରେ ବି ଉପଯୁକ୍ତ ସଂସ୍କୃତ ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହେଉଛି। ଯେଉଁଠି ଖାଲି ରହୁଛି ତାହାକୁ ପୂରଣ କରାଯାଉ ନାହିଁ। ନିୟମିତ ଦରମା ବି ମିଳୁନି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟର ୩ଟି ସଂସ୍କୃୃତ କଲେଜ ଅବସ୍ଥା ବି ସଙ୍କଟରେ। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବାର ଦରକାର। ନ ହେଲେ ଏହି ପୁରାତନ ଭାଷାରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।