ଅଗ୍ନିଶମ ବିଭାଗରେ କୁହୁଳିଛି ଅସନ୍ତୋଷ

ଏଯାଏଁ ପୂରଣ ହେଲାନି ଦାବି; ପୁଣି ଆନ୍ଦୋଳନ ସଜବାଜ

କଟକ: ଓଡ଼ିଶା ଅଗ୍ନିଶମ ସେବାରେ କର୍ମଚାରୀଙ୍କ ମହଲରେ କୁହୁଳିଛି ଅସନ୍ତୋଷ। କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ହାତଗଣତି କେତୋଟି ଦାବିକୁ ପୂରଣ କରି ବାକିଗୁଡ଼ିକ ଭୁଲି ଯାଉଛନ୍ତି। କେବଳ କାଲି ହବା ନ୍ୟାୟରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଏଣେ ପୁଣି ସଂଘ ଗଠନ ହେଇପାରୁନଥିବାରୁ କର୍ମଚାରୀ ମାନେ ନାର୍ଯ୍ୟ ଦାବି ପୂରଣ ପାଇଁ ଏକାଠି ହେଇପାରୁନାହାନ୍ତି। ଗୋଟିଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ଅନ୍ୟପଟେ ଏକତାର ଅଭାବ କର୍ମଚାରୀଙ୍କ ଦାବି ପୂରଣରେ ବଡ଼ ପ୍ରତିବଂଧକ ସାଜିଛି। କେବଳ ସେତିକି ନୁହେଁ, ଗ୍ରେଡ୍‌ ପେ’କୁ ନେଇ ଅଡିଟ୍‌ ଆପତ୍ତି ଉଠାଇବା ଯୋଗୁ ପ୍ରାୟ ୩୦୦ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇବାରୁ ବଂଚିତ ହୋଇଛନ୍ତି। ଏଭଳି ସ୍ଥିତିରେ ଉପରୋକ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ କର୍ମଚାରୀ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ପୂର୍ବରୁ ବିଭିନ୍ନ ଦାବି ପୂରଣ ନେଇ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ। ଚାପରେ ଆସି ବିଭାଗୀୟ ଅଧିକାରୀ ଖାଦ୍ୟ ଭତ୍ତା ୯୦୦ ଟଙ୍କା, ସାଇକେଲ ଭତ୍ତା ୧୫୦ ଟଙ୍କା, ମାସକର ଅତିରିକ୍ତ ଦରମା ୧୭ହଜାର ଟଙ୍କା ବୃଦ୍ଧି ଦାବିକୁ ପୂରଣ କରିଥିଲେ। ବାକି ଦାବିଗୁଡ଼ିକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏପ୍ରକାର ଆନ୍ଦୋଳନରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ଦଶପଲ୍ଲାର ଏଲ୍‌ଏଫ୍‌ଏମ୍‌ ସତ୍ୟର˚ଜନ ସ୍ବାଇଁ, ଏଫ୍‌ଏମ୍‌ଡି ମିଟୁ କୁମାର ନାହାକ, ଚିତ୍ରୋଡାର ଏଲ୍‌ଏଫ୍‌ଏମ୍‌ ବିଜୟ କୁମାର ମଲ୍ଲିକ, ଏଫ୍‌ଏମ୍‌ଡି ନରେନ୍ଦ୍ର ମଲ୍ଲିକ ଓ ବାଲିଆପାଳ ଦମକଳ କେନ୍ଦ୍ର ଏଲ୍‌ଏଫ୍‌ଏମ୍‌ ଉପେନ୍ଦ୍ର କୁମାର ସି˚ହ, ଡ୍ରାଇଭର ହାବିଲଦାର ଯୁଧିଷ୍ଠିର ବଳିଆରସି˚ହଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ସମନ୍ବୟ ବୈଠକ ବସିବା ପରେ ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏବେ ଏମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେଇଯାଇଥିବାରୁ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପିରିକି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଜ ଜିଲ୍ଲା କିମ୍ବା ୧୦୦ କିଲୋମିଟର ପରିସୀମା ମଧ୍ୟରେ ବଦଳି କରିବାକୁ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଥିଲା। ଏହାକୁ ପୂରଣ କରାଯିବାକୁ ପ୍ରତିଶ୍ରୁତି ଦେଇ ଅଧିକାରୀ ଭୁଲି ଗଲେ ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏବେ ୧୦୨୬ ଚୁକ୍ତିଭିତ୍ତିକ କର୍ମଚାରୀ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକା˚ଶ କର୍ମଚାରୀଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଉଛି। ମାସକୁ ୭,୨୦୦ ଟଙ୍କା ଦରମା ପାଉଥିବାବେଳେ ଜିଲ୍ଲା ବାହାରକୁ ଗଲେ ଏତେ କମ୍‌ ଅର୍ଥରେ ପରିବାର ପୋଷଣରେ ସମସ୍ୟା ଉପୁଜିଛି। ଏଣୁ ସେମାନଙ୍କ ବଦଳିକୁ ଜିଲ୍ଲା ମଧ୍ୟରେ କିମ୍ବା ୧୦୦ କିଲୋମିଟର ମଧ୍ୟରେ ସୀମିତ ରଖିବାକୁ ଏବ˚ ଯେଉଁମାନେ ୬ବର୍ଷ ଧରି କାର୍ଯ୍ୟ କଲେଣି ସେମାନଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଗଲାନି।

ସେହିପରି ଅଗ୍ନିଶମ ସେବା ଅଧିନରେ ପାଖାପାଖି ୩୦୦ ପେନସନଧାରୀ ଅଛନ୍ତି। ଏମାନଙ୍କୁ କାହାରିକୁ ଏଯାଏଁ ପେନସନ୍‌ ମିଳୁନାହିଁ। ବିଭାଗୀୟ ତ୍ରୁଟି ଯୋଗୁଁ ସେମାନଙ୍କ ଗ୍ରେଡ୍‌ ପେ’ରେ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ନେଇ ଏଜି ଆପତ୍ତି ଉଠାଇବା ପରେ କେହିବି ପେନସନ୍‌ ପାଉନାହାନ୍ତି। ଏକ୍ଷେତ୍ରରେ ବିଭାଗ ମଧ୍ୟ ଚୁପ୍‌ ରହୁଛି। ଏମାନଙ୍କ ବିଷୟରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା କିଛି ବି ପଦକ୍ଷେପ ନିଆଯାଇନଥିବାରୁ ଏବେ ୩୦୦ ପେନ୍‌ସନଧାରୀ ଦୁଃଶ୍ଚିନ୍ତା ଭିତରେ ଗତି କରୁଥିବା କୁହାଯାଇଛି। କର୍ମଚାରୀମାନେ ୨୪୦୦ ଗ୍ରେଡ୍‌ ପେ’ରୁ ପଦୋନ୍ନତି ପାଇ ୪୨୦୦ ଗ୍ରେଡ୍‌ ପେ’ରେ ଅବସର ନେଇଥିଲେ। କିନ୍ତୁ ସେମାନେ ୨୮୦୦ ଗ୍ରେଡ୍‌ ପେ’ ପାଇବା ବଦଳରେ ୪୨୦୦ ଗ୍ରେଡ୍‌ ପେ’ କିପରି ପାଇଲେ ବୋଲି ଅଡିଟ୍‌ ପ୍ରଶ୍ନ କରିଥିଲା। ମାତ୍ର ତାର ଜବାବ ବର୍ତ୍ତମାନ ସୁଦ୍ଧା ବିଭାଗ ଦେଇପାରୁନାହିଁ। ଏଭଳି ସ୍ଥିତିରେ ଦାବି ପୂରଣ ଦିଗରେ ତ୍ବରିତ ପଦକ୍ଷେପ ନିଆନଗଲେ ଆଗକୁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର