ବୁର୍ଲା: ଭିମ୍ସାରରେ ରୋଗୀଙ୍କୁ ଆଇସିୟୁ ଶଯ୍ୟା ପ୍ରଦାନରେ ବି ପାତରଅନ୍ତର ହେବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଆଇସିୟୁ ଶଯ୍ୟା ଖାଲି ଥିବା ସତ୍ତ୍ବେ ଯୋଗାଇ ଦିଆନଯିବାରୁ କୁଚିଣ୍ଡାର ଯୁଗଳ କିଶୋର ନାୟକ(୯୦)ଙ୍କ ପରଲୋକ ହୋଇଯିବା ଭଳି ଅଭାବନୀୟ ଘଟଣା ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, କୁଟରାଚୁଆଁ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ନାୟକଙ୍କ ପିତା ଯୁଗଳ କିଶୋର ନାୟକ କିଛିଦିନ ତଳେ ଗୋଡ଼ ମୋଡ଼ି ହୋଇଯିବାରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ, ମସ୍ତିଷ୍କ ଆଘତ(ବ୍ରେନ୍ ହେମ୍ରେଜ୍) ହେବା କାରଣରୁ ମଂଗଳବାର ଭିମ୍ସାରକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭିମ୍ସାର୍ ଆଶୁଚିକିତ୍ସା ବିଭାଗ ଏବଂ ପରବର୍ତ୍ତୀ ସମୟରେ ଏଚ୍ଡିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ଆଇସିୟୁକୁ ନେବାକୁ ପରାମର୍ଶ ଦେଇଥିଲେ। ସୁବାସ ଆଜି ସକାଳେ ଆଇସିୟୁ ୟୁନିଟ୍କୁ ଯାଇ ଭର୍ତ୍ତି କରିବାକୁ ଅନୁରୋଧ କରିଥିଲେ। ଆଇସିୟୁରେ ଦୁଇଟି ଶଯ୍ୟା ଖାଲି ରହିଥିଲା। ସୁବାସ ବାରଂବାର ଅନୁରୋଧ କରିବା ସତ୍ତ୍ବେ ଆଇସିୟୁ ଶଯ୍ୟା ଯୋଗାଇ ଦିଆଯାଇନଥିଲା। ଅପରପକ୍ଷରେ ସକାଳ ୯ଟାରେ ଅନ୍ୟ ଜଣେ ରୋଗୀଙ୍କୁ ଖାଲିଥିବା ଗୋଟିଏ ଶଯ୍ୟାରେ ଭର୍ତ୍ତି କରାଯାଇଥିଲା। ଏପଟେ ଯୁଗଳଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା। ସକାଳ ୧୦ଟା ସମୟରେ ଯୁଗଳଙ୍କ ଜୀବନ ଚାଲି ଯାଇଥିଲା। ସମ୍ଭବତଃ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ ଯୋଗୁ ତାଙ୍କ ରୋଗୀଙ୍କୁ ଆଇସିୟୁ ଶଯ୍ୟା ଦେବା ପାଇଁ ଯୁଗଳଙ୍କୁ ଶଯ୍ୟା ଦିଆଯାଇନଥିବା ସୁବାସ କହିଛନ୍ତି। ଏହି ସଂପର୍କରେ ଆଇସିୟୁ ମୁଖ୍ୟଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏବେ କର୍ମଚାରୀ ଅଭାବରୁ ୨୦ଟିରୁ ମାତ୍ର ୧୧ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ରହିଛି। ଅସ୍ତ୍ରୋପଚାର ରୋଗୀ ତଥା ଅତି ଗୁରୁତର ରୋଗୀଙ୍କ ପାଇଁ ଦୁଇଟି ଶଯ୍ୟା ସଂରକ୍ଷିତ ରହୁଛି। କିନ୍ତୁ, ଅତି ଶୀଘ୍ର ନୂତନ କର୍ମଚାରୀ ନିଯୁକ୍ତି କରାଯାଇ ନୂତନ ମେଡ଼ିସିନ୍ ୱାର୍ଡର ଅତି କମ୍ରେ ୨୪ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ଭିମ୍ସାର୍ କର୍ତ୍ତୃପକ୍ଷ ଉଚିତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମରାମତି ଓ ନବୀକରଣ ପାଇଁ ଗତ ଅଗଷ୍ଟ ୨୦ ତାରିଖରେ ଭିମ୍ସାର୍ କର୍ତ୍ତୃପକ୍ଷ ୨୦ ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଆଇସିୟୁକୁ ନୂତନ ମେଡ଼ିସିନ୍ ୱାର୍ଡ(ଦ୍ଵିତୀୟ କୋଭିଡ ହସ୍ପିଟାଲ୍)କୁ ସ୍ଥାନାନ୍ତର କରିଥିଲେ। ନୂତନ ମେଡ଼ିସିନ୍ ୱାର୍ଡରେ ରହିଥିବା ୫୦ଟି ଆଇସିୟୁ ଶଯ୍ୟା ରୋଗୀମାନଙ୍କ ସେବାରେ ନିୟୋଜିତ ହୋଇପାରିଲେ ଗରିବ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ଯୋଜନା କରାଯାଇଥିଲା।। କିନ୍ତୁ, ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଆଗରୁ ୨୦ଟି ଆଇସିୟୁ ନିଅଣ୍ଟ ପଡ଼ୁଥିବା ବେଳେ ଏବେ ନୂତନ ମେଡ଼ିସିନ୍ ୱାର୍ଡର ମାତ୍ର ୧୧ଟି ଆଇସିୟୁ କାର୍ଯ୍ୟକ୍ଷମ ରହିଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଗରିବ ରୋଗୀମାନେ ଆଇସିୟୁ ଶଯ୍ୟା ପାଇଁ ଲମ୍ବା ଲାଇନ୍ରେ ଜଗି ରହି ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଛି ସେ ଘରୋଇ ନର୍ସିଂହୋମକୁ ଯାଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗୁରୁତର ତଥା ଅତିଗୁରୁତର ଗରିବ ରୋଗୀମାନେ ଆଇସିୟୁ ଶଯ୍ୟା ନପାଇ ମୃତ୍ୟୁବରଣ କରୁଥିବାର ଦୃଷ୍ଟି ଗୋଚର ହେଉଛି। ଏପଟେ କୌଣସି ନେତା କିମ୍ବା ଭିଭିଆଇପିଙ୍କ ପାଇଁ ଆଇସିୟୁ ସଂରକ୍ଷିତ ରହୁଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/13-24.jpg)
/sambad/media/post_attachments/wp-content/uploads/2022/09/14-25.jpg)