ସରକାରୀ ଓକିଲ ପ୍ରତିମାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ ଖାରଜ

ଉଦଳା-୧: ଅର୍ଥ ହଡ଼ପ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଉଦଳାର ସରକାରୀ ଓକିଲ ପ୍ରତିମା ସାହୁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଗୁଆ ଜାମିନ ପାଇଁ ଶ୍ରୀମତୀ ସାହୁ ହାଇକୋର୍ଟରେ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇଯାଇଛି। ସୂଚନା ଥାଉକି, କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରା ଓ ସରକାରୀ ଓକିଲ ପ୍ରତିମା ସାହୁଙ୍କ ନାମରେ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ରବୀନ କୁମାର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏ ସଂକ୍ରାନ୍ତରେ ଉଦଳା ଥାନାରେ ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା। ତେବେ ମାମଲା ଭିତ୍ତିହୀନ ଦର୍ଶାଇ ଶ୍ରୀମତୀ ସାହୁ ଏହାକୁ ଖାରଜ କରିବା ନିମନ୍ତେ ଉଦଳା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାମଲା ଚାଲୁ ରଖିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗିରଫ ଆଶଙ୍କା କରି ଶ୍ରୀମତୀ ସାହୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଗତ ୩ ତାରିଖରେ ହାଇକୋର୍ଟ ଉକ୍ତ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ଏହାସହିତ ଆଗାମୀ ୩ ସପ୍ତାହ ଭିତରେ ଶ୍ରୀମତୀ ସାହୁଙ୍କୁ ଉଦଳା ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ପୁଲିସ ଆଜି ପର୍ଯ୍ୟନ୍ତ ଚୁପ୍ ବସିଥିବାରୁ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଉଦଳା ଥାନା ଅଧିକାରୀ ନୀରଜ କୁମାର ସାମଲଙ୍କୁ ପଚରାଯିବାରୁ ମାମଲାର ତଦନ୍ତ ଚାଲିଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର