ବଲାଙ୍ଗୀର: ମଣିଷ କିଣିବାକୁ ଆସିଥିବା ସେଠ୍ମାନଙ୍କୁ ଜୁଆଡ଼ି ସଜାଇ ଜବତ ଟଙ୍କା ହେରଫେର ଉଦ୍ୟମ ଘଟଣାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଅଡ଼ୁଆରେ ପଡ଼ିଛି। ଏହି ଘଟଣା ପରେ କଣ୍ଟାବାଞ୍ଜି ଏସ୍ଡିପିଓ ହୃଷୀକେଶ ମେହେର ଏସ୍ପିଙ୍କ ସ୍କାନର୍ରେ ଅଛନ୍ତି। କୌଣସି ଆପରାଧିକ ମାମଲାରେ ଶ୍ରୀ ମେହେର ଆଉ ତଦନ୍ତ କରିବେ ନାହିଁ। କୌଣସି ଘଟଣାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଏସ୍ପି ନିର୍ଦେଶ ଦେଇଛନ୍ତି। ଏହା ସହ ଚଢ଼ଉ ସମୟରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଡାକି ଜେରା କରିଛନ୍ତି ଏସ୍ପି। ପୂରା ଘଟଣାକୁ ତର୍ଜମା କଲେ ଏସ୍ଡିପିଓ ଶ୍ରୀ ମେହେରଙ୍କୁ କ୍ଷମତାହୀନ କରିଦେଲେଣି ଏସ୍ପି। ଆଗକୁ ଜିଲ୍ଲା ମୁଖ୍ୟାଳୟକୁ ଶ୍ରୀ ମେହେର ଆସିବେ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଡିଏସ୍ପି ଏସ୍ଡିପିଓ ଦାୟିତ୍ୱରେ କଣ୍ଟାବାଞ୍ଜି ଯାଇପାରନ୍ତି ବୋଲି ଜଣାପଡ଼ିଲାଣି।
କାରଣ ଘଟଣା ପ୍ରଘଟ ହେବା ପରେ ଏସ୍ପି ଏକ୍ସନ ମୋଡରେ ହିଁ ଅଛନ୍ତି। ଡିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିଲମ୍ବନ କରିବା କ୍ଷମତା ତାଙ୍କର ନାହିଁ। ଏଣୁ ନିଜ କ୍ଷମତା ପରିସରରେ ଥିବା ସବୁ ନିର୍ଦେଶ ଦେଲେଣି। ଏଣୁ ଏସ୍ପି ଚାହିଲେ ଶ୍ରୀ ମେହେର କଣ୍ଟାବାଞ୍ଜିରୁ ପ୍ରତ୍ୟାହାର ହୋଇପାରିବେ। ଏଣୁ ତାଙ୍କୁ ବଲାଙ୍ଗୀର ଅଣାଯିବ ବୋଲି କହାଯାଉଛି। ଅନ୍ୟପଟେ ଏସ୍ଡିପିଓ ଶ୍ରୀ ମେହେରଙ୍କ କଳା କାରବାରର ଗୁମର ମଧ୍ୟ ଖୋଲିବାରେ ଲାଗିଛି। ନିଜେ ଦାମୀ କାର୍ ଚଢୁଥିଲେ। ଦାମୀ ଘରେ ରହୁଥିଲେ। ଘର ମାଲିକ ନାଁରେ ବହୁ କିଛି କାରବାର କରୁଥିଲେ। ଏଣୁ ସେ ରହୁଥିବା ଘର ମାଲିକ ରାଜେଶ ବର୍ମାଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା କରୁଛି। କହାଯାଉଛି ରାଜେଶ ଏସ୍ଡିପିଓଙ୍କ ଘର କଥା ସବୁ ବୁଝୁଥିଲେ। ରାଜେଶ ନାଁରେ ଏସ୍ଡିପିଓ ଏକ କ୍ରେଟା କାର୍ ବି କିଣିଥିଲେ। ଦାଦନ ସର୍ଦ୍ଦାରଙ୍କଠାରୁ ଟଙ୍କା ଅସୁଲିରେ ଘରେ ବୈଠକ ବସୁଥିଲା। ଏଣୁ ରାଜେଶଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।
ଗତ ୧୫ ତାରିଖ ରାତିରେ କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜ୍ ଉପରେ ଚଢ଼ଉ କରିଥିଲେ ଆଇଆଇସି। ଖବର ପାଇ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ସାତ ଜଣଙ୍କ ସହିତ ସେମାନଙ୍କ ପାଖରେ ଥିବା ବ୍ୟାଗ ଥାନାକୁ ନେଇଥିଲେ ଏସ୍ଡିପିଓ। ୧୬ ତାରିଖ ସକାଳେ ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ ସାତ ଜଣ ଜୁଆଡ଼ିଙ୍କୁ ଧରିଥିବା ଓ ସେମାନଙ୍କଠାରୁ ୫୮ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ଦେଇଥିଲେ। କିନ୍ତୁ ଗୁମର ଖୋଲିଦେଲେ ହୋଟେଲ ମ୍ୟାନେଜର। ସେମାନେ ସମସ୍ତେ ଇଟାଭାଟି ମାଲିକ। ଲଜରେ ଜୁଆଖେଳ ହୁଏ ନାହିଁ। ସବୁ ବର୍ଷ ପରି ଏ ବର୍ଷ ବି ଏଠୁ ଶ୍ରମିକ ଚାଲାଣ ପାଇଁ ଆସିଥିଲେ ବୋଲି ସେ କହିଥିଲେ। ତାପରେ ସନ୍ଦେହ ଘେରରେ ଆସିଥିଲା ଏସ୍ଡିପିଓଙ୍କ କାରନାମା। ଲଜ୍ରୁ ୧ କୋଟି ୭ ଲକ୍ଷ ଟଙ୍କା ଜବତ ହୋଇଥିବା ଆଲୋଚନା ହେଉଛି। ପୁଲିସ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ପ୍ରଥମେ ଦର୍ଶାଇଥିବା ବେଳେ ଏସ୍ପିଙ୍କ ନିର୍ଦେଶ ପରେ ଅତିରିକ୍ତ ଏସ୍ପିଙ୍କ ତଦନ୍ତ ସମୟରେ ଥାନା ଭିତରୁ ଅଧିକ ୧୩ ଲକ୍ଷ ଟଙ୍କା ଜବତ କରିଥିଲେ। ବାକିତକ ଟଙ୍କା କୁଆଡ଼େ ଗଲା ବୋଲି ଏବେ ପ୍ରଶ୍ନ ଉଠୁଛି।