ରୀତାଙ୍କ ମୁଣ୍ଡରେ ବଡ଼ ସଂକଟ: ଦିନେଶ ବିଜେଡିକୁ ଆସିଲେ ବି ଅଡ଼ୁଆ!

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବିଧାୟିକା ରୀତା ସାହୁଙ୍କ ମୁଣ୍ଡରେ ଏବେ ବଡ଼ ସଂକଟ ଲଟକିଛି। ଯେଉଁ କୂଳକୁ ଗଲେ ବି ରୀତା ଫସିବା ଆଶଂକା ରହିଛି। ପ୍ରଥମତଃ, ଏହି ନିର୍ବାଚନ ମଣ୍ଡଳୀର ବରପାଲି ଏନ୍‌ଏସି ହେଉଛି ରୀତାଙ୍କ ଘର। ସେଠାରେ ବିଜେଡି ଅଧ୍ୟକ୍ଷ ପଦ ହାତଛଡ଼ା କରିବା ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଦ୍ୟୁମ୍ନ ତ୍ରିପ‌ାଠୀ ଏଠାରେ ବିଜେଡି ପ୍ରାର୍ଥୀ ଥିଲେ। କିନ୍ତୁ ବିଧାୟିକା କୌଣସି ଦିନ ପ୍ରଦ୍ୟୁମ୍ନଙ୍କ ପାଇଁ ପ୍ରଚାର କରିବାକୁ ବାହାରିଲେ ନାହିଁ। ଏପରିକି ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ସୁଶାନ୍ତ ସିଂ ବରପାଲିକୁ ପ୍ରଚାର ପାଇଁ ଆସିଥିବାବେଳେ ରୀତା ସେଠାକୁ ଗଲେ ନାହିଁ। କିନ୍ତୁ ଅନ୍ୟ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ପାଇଁ ଖୋଲା ପ୍ରଚାର କରିଥିଲେ। ଏବେ ପ୍ରଶ୍ନ ଉଠୁଛି, ରୀତା କ’ଣ ଦଳୀୟ ନିଷ୍ପତ୍ତି ତଥା ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କଲେ କି? ଯଦି କରିଛନ୍ତି, ତେବେ ତାଙ୍କୁ ଆଗାମୀ ଦିନରେ ଜଟିଳ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।  ଶୁଣିବାକୁ ମିଳୁଛି, ବିଜୟୀ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀରଙ୍କୁ ରୀତାଙ୍କ ଭିତିରିଆ ସମର୍ଥନ ଥିଲା।

ତାଙ୍କ ପାଇଁ ଖୋଲା ପ୍ରଚାର କରିନଥିଲେ ହେଁ ଅନ୍ୟ ସମର୍ଥନ ଜୁଟାଇ ଦେଇଥିଲେ। ଆଗାମୀ ଦିନରେ ଦିନେଶ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ଶୁଣାଯାଉଛି। ଏହି ପ୍ରକ୍ରିୟା ଦ୍ବାରା ରୀତା ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିବେ। ଯଦି ଏହା ସମ୍ଭବ ହୁଏ, ତେବେ ସେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରିଥିବା ପରୋକ୍ଷ ଭାବେ ପ୍ରମାଣିତ ହେବ। ତେଣୁ ତାଙ୍କ ମୁଣ୍ଡରେ ପୁଣି ବିପଦ ପଡ଼ିବ। ଦିନେଶଙ୍କ ବିଜୟ ପରେ ବିଜୟୋଲ୍ଲାସ ବେଳେ ରୀତା ସେଠାରେ ଉପସ୍ଥିତ ଥିବା ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଫଟୋ ହିଁ ବିଜେପୁର ନିର୍ବାଚନ ମଣ୍ଡଳୀର ଭିତିରିଆ ରାଜନୀତିର ପେଡ଼ି ଖୋଲୁଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଦୁଇ ଦୁଇ ଜଣ ମନ୍ତ୍ରୀ ଖୋଲା ପ୍ରଚାର କରିଥିବା‌େବଳେ ରୀତାଙ୍କ ଅନୁପସ୍ଥିତି ଦଳ ଭିତରେ ଏକ ବିବାଦୀୟ ପରିସ୍ଥିତି ସୃ‌ଷ୍ଟି କରିଛି। ଏବେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ଏହି ବିବାଦୀୟ ସ୍ଥିତିକୁ ଆହୁରି ଜଟିଳ କରିଛି।

ସମ୍ବନ୍ଧିତ ଖବର