ଖାନନଗର ବସ୍ ଟର୍ମିନାଲ ପାଇଁ ପୁଣି ସମସ୍ୟା

ରାଜାବାଗିଚାରେ ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

ସରକାର, ସିଏମ୍‌ସି, ଆର୍‌ଡିସି, ପରିବହନ କମିସନରଙ୍କୁ ନୋଟିସ

କଟକ : କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପ ପାଇଁ ପୁଣି ସମସ୍ୟା ବଢ଼ିଛି। ବସ୍‌ ଟର୍ମିନାଲ ପାଇଁ ପ୍ରଶାସନ ମାପ ଚୁପ୍ କରିଥିବା କଟକ ସହର, ୟୁନିଟ-୩୬, ରାଜାବଗିଚା ମୌଜାର ୩୧୬ ଡିସିମିଲ ଜମିରୁ ଉଚ୍ଛେଦ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ଏହି ଜମି ଉପରେ ଥିବା ଆବେଦନକାରୀଙ୍କ କୋଠା ଉଚ୍ଛେଦ ଓ ଭାଙ୍ଗିବା ପ୍ରସଙ୍ଗ ରେ ଫେବ୍ରୁଆରି ୧୮ ତାରିଖ ପର୍ଯ୍ୟନ୍ତ କୌଣସି କଠୋର ପଦକ୍ଷେପ ନିଆଯାଇପାରିବନି ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ଥିବା ବ୍ୟବସ୍ଥା ଅନୁସରଣ ନ କରି ଚିହ୍ନଟ କରାଯାଇଥିବା ସ୍ଥାନରୁ କୌଣସି ଉଚ୍ଛେଦ କରାଯାଇ ପାରିବନି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ସିଏମ୍‌ସି କମିସନର, ପରିବହନ କମିସନର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮କୁ ଧାର୍ଯ୍ୟ କରାଯାଇଛି। ଜି. ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଏହି ଜମିକୁ ନେଇ ଆବେଦନକାରୀ ଓ ସିଏମ୍‌ସି ମଧ୍ୟରେ ବିବାଦ ଲାଗି ରହିଛି। କିଛିଦିନ ତଳେ ସିଏମ୍‌ସି, ସିଡିଏ ଓ ପ୍ରଶାସନର ଅନ୍ୟ ଅଧିକାରୀ ଏହି ଜମି ଉପରକୁ ଯାଇ ମାପଚୁପ କରିଥିଲେ। ଏହି ଜମି ଉପରେ ଥିବା କୋଠାକୁ ସର୍ବସାଧାରଣଙ୍କ କାମ ପାଇଁ ଭଙ୍ଗାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। ଜମି ଉପରେ ମାପଚୁପ ପରେ ପ୍ରଶାସନ ଚିହ୍ନ ଦେଇଥିଲା। କିନ୍ତୁ ଏପରି ମାପଚୁପ ପାଇଁ ଆବେଦନକାରୀଙ୍କୁ କୌଣସି ନୋଟିସ୍‌ ପ୍ରଶାସନ ଦେଇ ନଥିଲା। ଜୋର ଜବରଦସ୍ତ ଭାବେ ଓ ଆଇନରେ ଥିବା ବ୍ୟବସ୍ଥା ଅନୁସରଣ ନ କରି ପ୍ରଶାସନ ଏହି ଜମିରୁ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଚେଷ୍ଟା କରୁଛି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର