ଏମ୍ସରେ ଭର୍ତ୍ତି ପାଇଁ ‌ନାକେଦମ୍‌, ଆଇସିୟୁ କି ଅକ୍ସିଜେନ୍‌ ଦରକାର ଥିଲେ ଅନ୍ୟ ଡାକ୍ତରଖାନା ଯାଅ

ମହାମାରୀରେ କାହିଁକି ଭିତ୍ତିଭୂମି ବଢ଼ାଉ ନାହାନ୍ତି କେନ୍ଦ୍ର ସରକାର?

ଭୁବନେଶ୍ବର : ଏବେ କରୋନା କାଳରେ ଯେତେବେଳେ ଜଣେ ଜୀବନ ବଞ୍ଚାଇବାକୁ ଭୁବନେଶ୍ବର ଏମ୍ସରେ ପହଞ୍ଚୁଛି, ଭର୍ତ୍ତି ହେବାପାଇଁ ନାକେଦମ ହେବାକୁ ପଡ଼ୁଛି। ରୋଗୀ ଭର୍ତ୍ତି ହେଲେ ମଧ୍ୟ ୱାର୍ଡ ମିଳିବାକୁ ୨ରୁ୩ ଦିନ ଲାଗିଯାଉଛି। ଆଉ ଯଦି ଅମ୍ଳଜାନ ସ୍ତର କମ୍‌ କିମ୍ବା ଆଇସିୟୁର ଆବଶ୍ୟକତା ରହୁଛି, ତେବେ ଅଧିକାଂଶ ସମୟରେ ଅନ୍ୟ ଡାକ୍ତରଖାନାକୁ ରେଫର କରିଦିଆଯାଉଛି। ରୋକ୍‌ଠୋକ୍ ଜଣାଇ ଦିଆଯାଉଛି, ଆଇସିୟୁ ଦରକାର ହେଲେ ଆମେ ଦେଇପାରିବୁ ନାହିଁ। ଯଦି ଏହି ସର୍ତ୍ତରେ ଭର୍ତ୍ତି ହେବାକୁ ଚାହୁଛ ତ ରୁହ, ନହେଲେ ଅନ୍ୟ ହସ୍ପିଟାଲକୁ ଚାଲିଯାଅ। ଅର୍ଥାତ ରୋଗୀ ନିଜ ଦାୟିତ୍ବରେ(ରିସ୍କ୍)ରେ ଭର୍ତ୍ତି ହେଉଛନ୍ତି। ଆବଶ୍ୟକ ସମୟରେ ସେମାନଙ୍କୁ ଆଇସିୟୁ ନ ମିଳିଲେ ଏମ୍ସ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କହି ହାତ ଝାଡ଼ି ଦେଉଛନ୍ତି।

କରୋନା ଭଳି ମହାମାରୀ ସ୍ଥିତିରେ ରାଜ୍ୟର ଅନ୍ୟ ଡାକ୍ତରଖାନାର ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟ ସରକାର ଯେଉଁଭଳି ତତ୍ପର ହୋଇଛନ୍ତି, ଏମ୍ସର ଭିତ୍ତିଭୂମି ସଜାଡ଼ିବା ଦିଗରେ କେନ୍ଦ୍ର ସରକାର ସେହିଭଳି ଗୁରୁତ୍ବ ଦେଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। କୋଭିଡ ଆକ୍ରାନ୍ତଙ୍କ ପାଇଁ ଅଧିକ ଶଯ୍ୟା ଆବଶ୍ୟକ ହେବାରୁ ଅଣକୋଭିଡ ଚିକିତ୍ସାକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ଦ୍ବିତୀୟ ଲହରରେ ବୁର୍ଲା, କଟକ, ବ୍ରହ୍ମପୁର ବଡ଼ ମେଡିକାଲ କିମ୍ବା ରାଜଧାନୀର ସମସ୍ତ ଘରୋଇ ଡାକ୍ତରଖାନା କେଉଁଠି ମଧ୍ୟ ଅଣକୋଭିଡ ଚିକିତ୍ସା ବନ୍ଦ କରାଯାଇନାହିଁ। କିନ୍ତୁ ଏମ୍ସ ପକ୍ଷରୁ ଅଣକୋଭିଡ ଚିକିତ୍ସା ବନ୍ଦ କରାଯିବାରୁ ଏହାକୁ ନେଇ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାକୁ ଅବହେଳାର ପ୍ରମାଣ ବୋଲି କହିଛନ୍ତି ଅନେକ।

ଏମ୍ସରେ ଆଇସିୟୁ ଶଯ୍ୟା ସଂଖ୍ୟା ପ୍ରାୟ ୭୩କୁ ବୃଦ୍ଧି କରାଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ। ଏ ନେଇ ଏମ୍ସ ଅଧୀକ୍ଷକ କହିଛନ୍ତି, ଏମ୍ସରେ ରୋଗୀଙ୍କୁ ଫେରାଯାଏ ନାହିଁ। ବରଂ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ସ୍ଥଳରେ ଅନ୍ୟ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦିଆଯାଏ। ତେବେ ଏମ୍ସରେ ବାସ୍ତବ ସ୍ଥିତି ଏବେ ଏଭଳି ହୋଇଛି ଯେ ଉଭୟ କୋଭିଡ ଏବଂ ଅଣକୋଭିଡ କ୍ଷେତ୍ରରେ ଆଇସିୟୁ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ପହଞ୍ଚିଲେ ତାଙ୍କୁ ଫେରାଇ ଦିଆଯାଉଛି। କିଛି ଦିନ ପୂର୍ବରୁ ରାଜଧାନୀର ପାତ୍ରପଡ଼ାରେ ଗ୍ୟାସ ଟାଙ୍କି ଫାଟିଯିବାରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଲା। ସମସ୍ତଙ୍କୁ ତୁରନ୍ତ ଏମ୍ସ ନିଆଯାଇଥିଲା। ମାତ୍ର କେବଳ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଏମ୍ସ ପକ୍ଷରୁ ଅନ୍ୟ ସ୍ଥାନକୁ ରେଫର କରି ଦିଆଗଲା। ଯେଉଁ ରୋଗୀ ଭର୍ତ୍ତି ହୋଇଥିଲେ, ତାଙ୍କୁ ୨ ଦିନ ପରେ ଡିସଚାର୍ଜ କରାଯାଇ ଥିଲା। ରୋଗୀଙ୍କ ସମ୍ପର୍କୀୟଙ୍କ ଅନୁସାରେ, ଏଠାରେ ପ୍ଲାଷ୍ଟିକ ସର୍ଜରି ଡାକ୍ତର ଥାଇ ମଧ୍ୟ ଆଇସିୟୁ ଶଯ୍ୟା ଅଭାବରୁ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ପ୍ଲାବନ କୁମାର ରାୟ ନାମକ ରୋଗୀ ଅଯଥା ଆର୍ଥିକ ଶୋଷଣର ଶିକାର ହେଲେ। ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନା ନିଆ ଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ପ୍ଲାବନଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

କଳିଙ୍ଗବିହାରର ଜଣେ କୋଭିଡ ରୋଗୀଙ୍କ ସ୍ଥିତି ଗୁରୁତର ଥିବାରୁ ଏମ୍ସ ପହଞ୍ଚିଥିଲେ। ତାଙ୍କୁ ଡାକ୍ତରଖାନା ଭିତରକୁ ମଧ୍ୟ ନିଆ ନ ଯାଇ କାର୍‌ ଭିତରେ ତାଙ୍କ ପ୍ରାଥମିକ ଉପଚାର କରାଯାଇଥିଲା। ଏହାପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା। ମାତ୍ର କିଛି ଦିନ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବ୍ରହ୍ମପୁରରୁ ନିଜ କୋଭିଡ ଆକ୍ରାନ୍ତ ସ୍ତ୍ରୀଙ୍କୁ ଏମ୍ସକୁ ନେଇ ଆସିଥିବା ଜଣେ ବ୍ୟକ୍ତି କହନ୍ତି, ଏମ୍ସରେ ଭର୍ତ୍ତି ସମସ୍ୟା ଯୋଗୁଁ ଏକ ଘରୋଇ ଡାକ୍ତରଖାନାରେ ସେ ତାଙ୍କ ସ୍ତ୍ରୀଙ୍କୁ ଭର୍ତ୍ତି କରାଇଥିଲେ। ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ ପରେ ସୁସ୍ଥ ନହେବାରୁ ଏଠାକୁ ଆଣିଲେ। ଏଠାରେ ମଧ୍ୟ ଓ୍ବାର୍ଡ ପାଇବାକୁ ସ୍ତ୍ରୀଙ୍କୁ ଦୁଇ ଦିନ ଲାଗି ଯାଇଥିଲା। ନିଜର ୭୫ ବର୍ଷର ମା’ଙ୍କୁ ନେଇ ଖୋର୍ଧାରୁ ଆସିଥିବା ବ୍ୟକ୍ତି ମଧ୍ୟ ସେହି ସମାନ କଥା କହନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ଏମ୍ସରେ ଭର୍ତ୍ତି ହେବା ପାଇଁ କୋଭିଡ୍ ରୋଗୀଙ୍କୁ ନାକେଦମ୍ ହେବାକୁ ପଡ଼ୁଥିଲେ ମଧ୍ୟ ଥରେ ଏଠାରେ ଭର୍ତ୍ତି ହୋଇଗଲେ, ଉନ୍ନତମାନର ଚିକିତ୍ସା ମିଳେ। ଯେ କୌଣସି ବଡ଼ ଘରୋଇ ଡାକ୍ତରଖାନା ଭଳି ରୋଗୀଙ୍କୁ ସୁବିଧା ମିଳେ ବୋଲି କହନ୍ତି, ଏମ୍ସରେ ଚିକିତ୍ସାଧୀନ କୋଭିଡ ଆକ୍ରାନ୍ତଙ୍କ ପରିଜନ।

ଅନ୍ୟପକ୍ଷରେ ୭ ଦିନ ପୂର୍ବରୁ ସୋମ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଏମ୍ସ ଟ୍ବିଟରରେ କରିଥିବା ଅଭିଯୋଗ ଅନୁସାରେ, ୨୧ ତାରିଖରେ ସେ ତାଙ୍କ କୋଭିଡ ଆକ୍ରାନ୍ତ ଭଉଣୀଙ୍କୁ ଆଡମିସନ କାର୍ଡ ନେଇ ଏମ୍ସ ଯାଇଥିଲେ। ଡାକ୍ତରଖାନା ବାହାରେ ପ୍ରାୟ ୧ ଘଣ୍ଟା ଅପେକ୍ଷା ପରେ ତାଙ୍କୁ କୁହାଯାଇଥିଲା, ଭଉଣୀଙ୍କ ପାଇଁ ଥିବା ଶଯ୍ୟାକୁ ଅନ୍ୟ ଜଣଙ୍କୁ ଦିଆଯାଇଛି। ଏହାକୁ ନେଇକୁ ନେଇ ସିଏମଓ, ମୁଖ୍ୟ ଶାସନ ସଚିବ, ଏମ୍ସ ଭୁବନେଶ୍ବରକୁ ଟ୍ବିଟ କରିଥିଲେ। ଆବଶ୍ୟକ କାଗଜପତ୍ର ମଧ୍ୟ ଅପଲୋଡ କରିଥିଲେ। ଟ୍ବିଟରରେ ହିଁ ଏମ୍ସ ତାଙ୍କ ଭଉଣୀଙ୍କ କାଗଜପତ୍ର ମାଗିଥିଲା। ଏହାର ଗୋଟିଏ ଦିନ ପରେ ସୋମ ତାଙ୍କ ଭଉଣୀ ଆଡମିସନ ପାଇଥିବା ନେଇ ଜଣାଇଥିଲେ। କିଛିବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ, ଏମ୍ସରେ ଭିଆଇପି ରୋଗୀ ଆସୁଥିବାରୁ, କିଛି ଶଯ୍ୟା ସେମାନଙ୍କ ପାଇଁ ସଂରକ୍ଷିତ କରି ରଖାଯାଉଛି। ଏଥିଯୋଗୁଁ ମଧ୍ୟ ଅନେକ ସମୟରେ ସାଧାରଣ ରୋଗୀଙ୍କୁ ଶଯ୍ୟା ପାଇବାକୁ ସମସ୍ୟା ହେଉଛି।

ଏମ୍ସ ପକ୍ଷରୁ କୁହାଯାଇଛି, ଏହି ଡାକ୍ତରଖାନାରେ କୋଭିଡ କେୟାର ପାଇଁ ୩୫୭ ଶଯ୍ୟା ସଂରକ୍ଷିତ ରହିଛି। ସେଥିରୁ ୨୯୫ଟି ୱାର୍ଡ, ୬୨ଟି ଆଇସିୟୁ ରହିଛି। ଅନ୍ୟ ଗୁଡ଼ିକ କୋଭିଡ ସନ୍ଦିଗ୍ଧ, ପରୀକ୍ଷା ପାଇଁ ଅପେକ୍ଷାରେ ରହିଥିବା ରୋଗୀ ରହିଛନ୍ତି। ଏମ୍ସରେ ଯେଉଁଭଳି ଚିକିତ୍ସା ସୁବିଧା ଏବଂ ଅଭିଜ୍ଞ ଡାକ୍ତର ଅଛନ୍ତି, ରାଜ୍ୟର ସରକାରୀ ଡାକ୍ତରଖାନାରେ ନାହାନ୍ତି। ମ୍ୟୁକରମାଇକୋସିସ ଭଳି ରୋଗର ଏଠାରେ ହିଁ ଉନ୍ନତ ଚିକିତ୍ସା ହେଉଛି। ଘରୋଇ ଡାକ୍ତରଖାନାରେ ଏଥିପାଇଁ ରୋଗୀଙ୍କୁ ଅନେକ ଖର୍ଚାନ୍ତ ହେବାକୁ ପଡ଼ିବ। କେବଳ ଓଡ଼ିଶା ନୁହେଁ ; ରାଜ୍ୟ ବାହାରୁ ମଧ୍ୟ ଅନେକ ରୋଗୀ ଏଠାକୁ ଆସୁଛନ୍ତି। କିନ୍ତୁ କୋଭିଡ୍‌ ଭଳି ଏକ ଆସାଧାରଣ ପରିସ୍ଥିତିରେ ଏମ୍ସ ଭଳି ଏକ ଜାତୀୟସ୍ତରର ହସ୍ପିଟାଲ ନିକଟରୁ ଲୋକଙ୍କର ଅନେକ ଆଶା ରହିଛି। ତେଣୁ ଏହାର ଭିତ୍ତିଭୂମି ସଜାଡ଼ିବା ପାଇଁ ସରକାର କାହିଁକି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟ କୋଭିଡ ଓ ଅଣକୋଭିଡ ରୋଗୀଙ୍କ ଉନ୍ନତ ଚିକିତ୍ସା ସାଙ୍ଗକୁ ଏମ୍ସ ଅଧିକ ଲୋକଙ୍କୁ କିଭଳି ଚିକିତ୍ସା ସୁବିଧା ଓ ସେବା ଯୋଗାଇ ପାରିବ ତାହା ଏମ୍ସ ପାଇଁ ଆହ୍ବାନ ପାଲଟିଛି।

ସମ୍ବନ୍ଧିତ ଖବର