ସତୁରି ବର୍ଷ ପରେ ବି ବଦଳୁନି ଗାଇସିଲାଟ୍ ଡାକ୍ତରଖାନାର ଅବସ୍ଥା : ଡାକ୍ତର, ନର୍ସ ଅଭାବ ସାଙ୍ଗକୁ ଡାକ୍ତରଖାନାରେ ପାଣି ନାହିଁ, ଭାରୁଆ ଭରସା

ବରଗଡ଼/ଗାଇସିଲାଟ୍ : ପୁଣି ଥରେ ଉପନିର୍ବାଚନ ପାଇଁ ସାରା ବିଜେପୁର ନିର୍ବାଚନ ମଣ୍ଡଳୀ ଉଠୁଛି ପଡ଼ୁଛି। ରାଜନୈତିକ ଉଷ୍ଣତା ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର, ଗାଇସିଲାଟ୍ ଏବଂ ବରପାଲି ବ୍ଲକ୍‌କୁ ଗ୍ରାସ କରି ସାରିଲାଣି। ନେତା, ମନ୍ତ୍ରୀଙ୍କ ଧାଁଦୌଡ଼, କର୍ମୀଙ୍କ ‌ମେଳି ଆରମ୍ଭ ହୋଇ ସାରିଲାଣି। ପୁଣି ଚାଲିଲାଣି ପ୍ରତିଶ୍ରୁତିର ପର୍ବ। ଏହା ପୂର୍ବରୁ ବି ଗତ ଉପନିର୍ବାଚନ ଓ ସାଧାରଣ ନିର୍ବାଚନ‌ ବ‌େଳେ ଏମିତି ପ୍ରତିଶ୍ରୁତିର ପାହାଡ଼ ଲଦା ହୋଇଥିଲା। ଲୋକେ ଭାବିଥିଲେ ଅଞ୍ଚଳର ଚିତ୍ର ଏଥର ବଦଳିବ। କିନ୍ତୁ ନିରାଶ ହୋଇଛନ୍ତି ଗାଇସିଲାଟ୍ ବ୍ଲକବାସୀ। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ଜଳଜଳ ହୋଇ ଦେଖାଯାଉଛି।

ଏହି ସ୍ବାସ୍ଥ୍ୟକେନ୍ଦ୍ର ୧୯୪୮ ମସିହାରେ ସ୍ଥାପନ ହୋଇଥିଲା। ସାତ ଦଶନ୍ଧି ପରେ ବି ଏହାର ଭିତ୍ତିଭୂମିରେ ବିଶେଷ କିଛି ବିକାଶ ଘଟିନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ସିଏଚ୍‌ସି ନା ପିଏଚ୍‌ସି, ତାହା କେହି ସ୍ପଷ୍ଟ କରି ପାରୁନାହାନ୍ତି। କିଛି ମାସ ତଳେ ଏଠାରେ ସୂଚନା ଫଳକରେ ସିଏଚ୍‌ସି ବୋଲି ଉଲ୍ଲେଖ କରାଯାଇଥିଲ।। ଯଦି ଏହା ସିଏଚ୍‌ସି, ବେଳେ ଏଠାକୁ ବାର୍ଷିକ ୫ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସିବା କଥା। କିନ୍ତୁ ଏଯାଏ ଏଠାକୁ ବାର୍ଷିକ ୫୦ହଜାର ଟଙ୍କା ସରକାରୀ ସହାୟତା ଆସୁଛି। ତେଣୁ ଲୋକେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଅସଲ ପରିଚୟ ଖୋଜି ପାରୁନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଣି ସମସ୍ୟା। ଡାକ୍ତରଖାନାର ମୂଳ ଆବଶ୍ୟକତା ପାଣି। ଏଠାରେ କିନ୍ତୁ ପାଣି ଟୋପାଏ ମିଳୁନି। ଏଠାରେ ଜଳଯୋଗାଣ ବ୍ୟବସ୍ଥା ଫେଲ୍‌। ସେଥିଲାଗି ଚିକିତ୍ସା ବି ବାଧାପ୍ରାପ୍ତ ହେଉଛି। ଡାକ୍ତରଖାନାରେ ଆବଶ୍ୟକ ପାଣି ଯୋଗାଉଛନ୍ତି କିଛି ଭାରୁଆ। ରୋଗୀମାନେ ବି ଭାରୁଆକୁ ୨୦/୩୦ ଟଙ୍କା ଦେଇ ପାଣି ମଗାଉଛନ୍ତି। ପାଣି ନଥିବାରୁ ପ୍ରସୂତିମାନେ ବି ୨/୩ ଘଣ୍ଟା ମଧ୍ୟରେ ଡାକ୍ତରଖାନା ଛାଡ଼ି ଘରକୁ ପଳାଉଛନ୍ତି। ଏନେଇ ଅଭିଯୋଗ କଲେ ମାତ୍ର ଦିନେ କିମ୍ବା ଦୁଇଦିନ ଦୋଷ ଛଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ଜଳ ଯୋଗାଣ କରାଯାଉଛି। ତା’ପରେ ପୁଣି ସେହି ଦୁରବସ୍ଥା।

ଏଠାରେ ୬ଜଣ ଗର୍ଭବତୀ ରହିବାର ବ୍ୟବସ୍ଥା ରହିଛି। କିନ୍ତୁ ବିଶେଷଜ୍ଞ ଡାକ୍ତର ନଥିବାରୁ ଜଟିଳ ସ୍ଥିତି ହେଲେ ଗର୍ଭବତୀଙ୍କୁ ବରଗଡ଼ କିମ୍ବା ପଦ୍ମପୁର ପଠାଯାଉଛି। ଦୈନନ୍ଦିନ ବ୍ୟବହାର ସକାଶେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଅତିକମ୍‌ରେ ୨ହଜାର ଲିଟର୍‌ ପାଣି ଆବଶ୍ୟକ। ଦଶନ୍ଧି ତଳେ ଏଠାରେ ଏକ ବୋରୱେଲ ଖୋଳା ଯାଇଥିଲା। ପାଖାପାଖି ୨ଶହ ଫୁଟ୍‌ ଖୋଳା ହୋଇଥିଲେ ହେଁ ପାଣି ବାହାରିଲା ନାହିଁ। ହସ୍ପିଟାଲ ପରିସରରେ ଗୋଟିଏ ଇନ୍‌ଟେକ୍‌ ୱେଲ୍‌ ଅଛି। କିନ୍ତୁ ପାଣି ନଥିବାରୁ ଏହା ଅଚଳ। ଗାଇସିଲାଟ୍‌ ସହରରୁ ମାତ୍ର ୨କିଲୋମିଟର୍‌ ଦୂରରେ ଅଂଗନଦୀ‌ରେ ପର୍ଯ୍ୟାପ୍ତ ପାଣି ପ୍ରବାହିତ ହେଉଛି। କିନ୍ତୁ ଏହାର ତଟବର୍ତୀ ଇଲାକାରେ ଭୂତଳ ଜଳସ୍ତର ହ୍ରାସ ପାଇ ସାରିଛି। ହସ୍ପିଟାଲକୁ ପାଇପ୍‌ ଯୋ‌ଗେ ଜଳ ଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ପାଇପ୍‌ରେ ମୋଟର୍‌ ଲଗାଇ ସ୍ଥାନେସ୍ଥାନେ ପାଣି ଚୋରି ହେଉଥିବାରୁ ସ୍ଥିତି ସାଂଘାତିକ ସ୍ତରକୁ ଚାଲି ଆସିଥିବା ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା କହୁଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ରକୁ ପାଇପ୍‌ ଜଳ ଯୋଗାଣକୁ ବ୍ୟବସ୍ଥିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି‌ ବୋଲି ସିଡିଏମ୍‌ଓ ଡା. ସାଧୁଚରଣ ଦାଶ ପ୍ରତିକ୍ରିୟାରେ କହିଛନ୍ତି। ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ସେଠାରେ ନଳକୂପ ଖନନ କଲେ କିଛି ଲାଭ ମିଳୁନି ବୋଲି ସେ କହିଛନ୍ତି।

ତେବେ ସମସ୍ୟା ଏତିକିରେ ତୁଟି ନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତିଙ୍କୁ ଦୀର୍ଘ ଦେଢ଼ ବର୍ଷ ହେଲା ରନ୍ଧାଖାଦ୍ୟ ମିଳୁନାହିଁ। ଏଠାରେ ଅନ୍ୟତମ ସମସ୍ୟା ହେଲା ଡାକ୍ତର ଅଭାବ। ଜଣେ ଲେଖାଏଁ ସ୍ତ୍ରୀ ଓ ପ୍ରସୂତି, ଭେଷଜ, ଶିଶୁ ରୋଗ ବିଭାଗ ଡାକ୍ତର ରହିବା କଥା। କିନ୍ତୁ ବର୍ତମାନ ଜଣେ ମାତ୍ର ଏମ୍‌ବିବିଏସ୍ ଡାକ୍ତର ଡେପୁଟେସନରେ ଅଛନ୍ତି। ସେ ପୁଣି ଗୋଟିଏ ବେଳା ଡ୍ୟୁଟି ସାରି ପଳାଉଛନ୍ତି। ୨ଜଣ ଷ୍ଟାଫ୍‌ ନର୍ସଙ୍କ ମଧ୍ୟରୁ ଜଣେ ପ୍ରସୂତିକାଳୀନ ଛୁଟିରେ ଥିବାବେଳେ ଅନ୍ୟ ଜଣେ ତାଲପାଲିକୁ ଡେପୁଟେସନରେ ଯାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୭୦ବର୍ଷର ପୁରୁଣା ଶଯ୍ୟା, ସାଲାଇନ୍ ଷ୍ଟାଣ୍ଡ ବ୍ୟବହାର ହେଉଛି। ଏଠାରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲୋକଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗାଇସିଲାଟ୍ ବ୍ଲକର ଲ‌କ୍ଷେରୁ ଅଧିକ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଠାରେ ସ୍ଥାୟୀ ଡାକ୍ତରଟିଏ ନାହାନ୍ତି। ୫ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ବୋଲି ସିଡିଏମ୍‌ଓ ଡା. ଦାଶ କହିଛନ୍ତି।

ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଉପନିର୍ବାଚନର ଉଷ୍ଣତା ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର