ନୟାଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର : ତାଗିଦ ନାହିଁ କି ନଜର ନାହିଁ

ନୂଆଗାଁ : ନୟାଗଡ଼ ଜିଲ୍ଲାରେ ଖୋଲିଛି ମାଳମାଳ ବିଦ୍ୟାଳୟ। ଆଶ୍ରମ, ସେବାଶ୍ରମ ବିଦ୍ୟାଳୟଠାରୁ ଆରମ୍ଭ କରି ସରକାରୀ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟମାନ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରି ମଣିଷ କରି ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି। ସବୁଠି ଅଭିଭାବକମାନେ ପିଲାଙ୍କ ପାଠପଢ଼ା ପ୍ରତି ଅଧିକରୁ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ହେଲେ ସରକାରଙ୍କ ସବୁ ବ୍ୟବସ୍ଥା ପାଣିର ଗାର ସଦୃଶ ହୋଇଛି। ଢିଲା ଶିକ୍ଷା ବ୍ୟବସ୍ଥାକୁ ସରକାରୀ ଶିକ୍ଷକ ଫୁ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ତେବେ ଶିକ୍ଷା ଅଧିକାରୀଙ୍କ ତାଗିଦ୍‌ ନଥିବା ଏବଂ ବିଦ୍ୟାଳୟକୁ ଗସ୍ତ ନଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ପ୍ରକାଶ ଥାଉକି, ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧ଶହ ୫୮ଗୋଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟଗୁଡିକରେ ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସିଥାନ୍ତି। କେତେକ ବିଦ୍ୟାଳୟରେ ଶ୍ରେଣୀଗୃହ ନଥିବା ଯୋଗୁ ଗୋଟିଏ ଗୋଟିଏ ବଖରାରେ ୫ଟି ଶ୍ରେଣୀର ପିଲା ବସି ପାଠପଢୁଥିବା ବେଳେ ଆଉ କେତେକ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବା ବେଳେ ଅଧିକ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ଆଳରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଫୋନ୍‌ରେ ଗପିବା ଏବଂ ଗୁଲିଖଟି କରିବାର ନଜିର ରହିଛି।

ସେହିପରି ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ କର୍ମଚାରୀମାନେ ଖାମଖିଆଲ ଭାବେ ଦେଖି ଆସୁଛନ୍ତି। ବ୍ଲକ୍‌ର କାପ୍ତାପଲ୍ଲୀ ବିଦ୍ୟାଳୟକୁ ଲକ୍ଷ୍ୟ କଲେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତି। ସେଥି ମଧ୍ୟରୁ ଗତକାଲି ୩୮ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବା ଛାତ୍ର ଉପସ୍ଥାନରୁ ଜଣାପଡ଼ିଛି। ବିଦ୍ୟାଳୟର ଭଙ୍ଗା, ପରିତ୍ୟକ୍ତ ଘରେ ଛାତ୍ରଛାତ୍ରୀମାନଙ୍କୁ ବସାଇ ରନ୍ଧାଖାଦ୍ୟ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ଭାତ ସାଙ୍ଗକୁ ଡାଲମା ବଦଳରେ ଡାଲି ଖାଇବାକୁ ଦିଆଯାଇଥିଲା। ଡାଲିରେ କଂଚା ପରିବା ନ ପକାଇ ପାଣିଆ ଡାଲି କରି ଦେଇଥିଲେ। କେବଳ ପାଚିକାମାନେ ଏଥିରେ ସଂପୃକ୍ତ ଅଛନ୍ତି ତାହା ନୁହେଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଖାଦ୍ୟକୁ ବାଟମାରଣା କରୁଥିବା ଜଳଜଳ ହୋଇ ଦେଖିବାକୁ ମିଳିଥିଲା।

ସେହିପରି ମାଳିସାହି ପଞ୍ଚାୟତ ଚକାପଥର ବିଦ୍ୟାଳୟକୁ ଦେଖିବାକୁ ଗଲେ ସେଠାରେ ଛାତ୍ରଛାତ୍ରୀ ବସି ପାଠ ପଢିବାକୁ ଘର ନାହିଁ। ଗାଁର ଏକ କୋଠଘରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୨ ଜଣ ଛାତ୍ରଛାତ୍ରୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବସି ପାଠ ପଢୁଛନ୍ତି। ପଞ୍ଚାୟତର ଖଙ୍ଗୁରୀ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଏକ ସେବାଶ୍ରମ ବିଦ୍ୟାଳୟ ରହିଛି। ଆଜି ଶନିବାର ଥିବାରୁ ଦିନ ୧୦ଟା ୩୦ରୁ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଶିକ୍ଷକମାନେ ବିଦ୍ୟାଳୟ ଛାଡ଼ି ନିଜ ନିଜର ବ୍ୟକ୍ତିଗତ କାମରେ ଚାଲି ଯାଇଥିଲେ। ସରକାରୀ ନିୟମ ଅନୁଯାୟୀ ବିଦ୍ୟାଳୟକୁ ୧୧ଟା ୩୦ ପର୍ଯ୍ୟନ୍ତ ଖୋଲିବାର କଡ଼ା ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ଏଠାରେ ଏହାର ଅନୁରୂପ ବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ଘଟଣାରେ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ମଳୟ ରଜଂନ ଚିନ୍ନରା ଖଙ୍ଗୁରୀ ସେବାଶ୍ରମ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି। ସ୍ଥାନୀୟ ସରପଞ୍ଚ ପର୍ଶୁରାମ ସ୍ବାଇଁ ବାରମ୍ବାର ହେଉଥିବା ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷା କମିଟି ମାଧ୍ୟମରେ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର