ୟୁଟ୍ୟୁବ୍‌ ପାଠପଢ଼ା ପ୍ରହସନ: ୮୦% ପିଲା ବଞ୍ଚିତ

ଆଜି ପଢ଼ିଲେ ୧୦ ଲକ୍ଷ, ଦଶମରେ ସର୍ବାଧିକ/ଗଣିତ, ବିଜ୍ଞାନ ପଢ଼ିବାକୁ ଆଗ୍ରହ ନାହିଁ

ଭୁବନେଶ୍ବର : ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ କରାଯାଉଛି। ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ତିନି ଦିନ ହେଲା ଦିନକୁ ୪ ଘଣ୍ଟା ଲେଖାଏଁ କ୍ଲାସ ଚାଲିଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳିପାରି ନାହିଁ। ସହରାଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ ସହ ଯୋଡ଼ି ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ଫଳପ୍ରଦ ହୋଇପାରି ନାହିଁ। ଏବେ ସୁଦ୍ଧା ୮୦% ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଗ୍ରାଉଣ୍ଡ ଜିରୋ ସ୍ଥିତି ପରିଖିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୧୦ଟି ଶ୍ରେଣୀରେ ପ୍ରାୟ ୬୬ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଜିର ଦିନରେ ମାତ୍ର ୧୦ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ୟୁଟ୍ୟୁବ୍‌ରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଯଦି ପ୍ରତି ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ହିସାବକୁ ନିଆଯାଏ ତେବେ ୫୦ ହଜାରୁ ଅଧିକ ହେବେ। ଏଥିସହ ଅଭିଭାବକ ବି ୟୁଟ୍ୟୁବ୍‌ ପାଠପଢ଼ା ଦେଖୁଛନ୍ତି। ଫଳରେ ପିଲାଙ୍କ ସଂଖ୍ୟା ୧୦ ଲକ୍ଷରୁ କମ୍‌ ହେବ ବୋଲି ସୂଚନା ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କେବଳ ନବମ ଓ ଦଶମ ଶ୍ରେଣୀରେ ୩ ଲକ୍ଷ ୬୧ ହଜାର ଯୋଡ଼ି ହୋଇଛନ୍ତି। ଯେତେବ‌େଳେ କି ବାକି ୮ଟି ଶ୍ରେଣୀରେ ସାଢ଼େ ୬ ଲକ୍ଷ ସାମିଲ ହୋଇ ଶିକ୍ଷା ଗ୍ରହଣ କରିଛନ୍ତି। ପ୍ରାଥମିକ ଶ୍ରେଣୀର ବହୁ ପିଲା ୟୁଟ୍ୟୁବ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏକ ନିର୍ଦ୍ଦିଷ୍ଟ ବିଷୟର କ୍ଲାସ ଚାଲିଥିବା ବେଳେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ହାରାହାରି ୪୫ରୁ ୫୨ ହଜାର ଜଣ ୟୁଟ୍ୟୁବ୍‌ ଦେଖୁଛନ୍ତି। ‌ସେଥିମଧ୍ୟରେ ପ୍ରାଥମିକ ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ରହୁଛନ୍ତି, ଯେଉଁମାନଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ହେବ। ଅର୍ଥାତ୍‌ ଉଭୟ ଶ୍ରେଣୀର ୪୦ରୁ ୪୫ ହଜାର ପିଲା ୟୁଟ୍ୟୁବ୍‌ରୁ ପଢ଼ୁଥିବା ଆକଳନ କରାଯାଇଛି। ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ବହୁ କମ୍‌ ସଂଖ୍ୟକ ପିଲା ୟୁଟ୍ୟୁବ୍‌ରେ ପଢ଼ୁଛନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଗଣିତ ଓ ବିଜ୍ଞାନ ବିଷୟ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ସେତେଟା ଉତ୍ସାହ ଦେଖାଉ ନାହାନ୍ତି। ଏହି ଦୁଇ ବିଷୟର ପାଠପଢ଼ା ଚାଲିଥିବା ବେଳେ ବହୁ ସଂଖ୍ୟକ ପିଲା ଅନୁପସ୍ଥିତ ରହୁଛନ୍ତି। ଯେତେବେଳେ କି ସାହିତ୍ୟ, ହସଖେଳ ଆଦି ବିଷୟରେ ପିଲାଙ୍କ ସଂଖ୍ୟା ବହୁତ ଅଧିକ ରହୁଛି। ଯେହେତୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତାବର୍ଷକୁ ମାଟ୍ରିକ୍‌ ପରୀକ୍ଷା ଦେବେ ତେଣୁ ସେମାନଙ୍କ ମଧ୍ୟରେ ଆଗ୍ରହ ରହୁଛି। ଆଜି ଦଶମ ଶ୍ରେଣୀର ଗୋଟିଏ କ୍ଲାସରେ ୨ ଲକ୍ଷ ୪୫ ହଜାର ଓ ଅନ୍ୟ ଏକ କ୍ଲାସରେ ୨ ଲକ୍ଷ ୨ ହଜାର ଜଣ ଉପସ୍ଥିତ ଥିଲେ। ତେବେ ୟୁଟ୍ୟୁବ୍‌ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ତିନି ଦିନରେ ଦୁଇଗୁଣରୁ ଅଧିକ ହୋଇଛି।

ପ୍ରଥମ ଦିନରେ ଏକ ଲକ୍ଷ ୭୬ ହଜାର ଜଣ ସବ୍‌ସ୍କ୍ରାଇବର ଥିଲେ, ଯାହାକି ଆଜିର ଦିନରେ ୪ ଲକ୍ଷ ୮ ହଜାରରେ ପହଞ୍ଚିଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ୟୁଟ୍ୟୁବ୍‌ ପାଠପଢ଼ା ଫଳପ୍ରଦ ହେଉ ନ ଥିବାରୁ ବିଭିନ୍ନ ଶିକ୍ଷକ ଓ ଛାତ୍ର ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା) ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା କହିଛନ୍ତି ଯେ ମୋବାଇଲ୍‌ ନ ଥିବାରୁ ୟୁଟ୍ୟୁବ୍‌ ପାଠପଢ଼ାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ତେଣୁ ଦୂରଦର୍ଶନ ସହ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯାଉ। ଏଭଳି ପାନ୍ତରଅନ୍ତର ଶିକ୍ଷା ଦ୍ବାରା ୟୁଟ୍ୟୁବ୍‌ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବ। ଏଆଇଏସ୍ଏଫ୍ ସଭାପତି ସଂଘମିତ୍ରା ଜେନା କହିଛନ୍ତି ଯେ ୟୁଟ୍ୟୁବ୍ ଜରିଆରେ ଶିକ୍ଷାଦାନ ଏକ ପ୍ରହସନ। ଏଥିରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ଓ ଇଣ୍ଟରନେଟ୍‌ ସଂଯୋଗ ନଥିବା, ଆର୍ଥିକ ଅବହେଳିତ ବର୍ଗ ପରିବାରରେ ସ୍ମାର୍ଟ ଫୋନ ଓ ଡାଟା କ୍ରୟ ପାଇଁ ଅର୍ଥ ନଥିବା ହେତୁ ବହୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଧନୀ-ଗରିବ ବିଭାଜନ ବା ଡିଜିଟାଲ ଡିଭାଇଡ୍ କରାଇ ସଂଖ୍ୟା ଗରିଷ୍ଠ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କଲାଣି। ତେଣୁ ଶ୍ରେଣୀ ଗୃହରେ ୨୫ ଜଣ ଛାତ୍ରଛାତ୍ରୀ ଶାରିରୀକ ଦୂରତା ସହ କୋଭିଡ୍ ସୁରକ୍ଷାରେ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର