ରୋଗପୋକ, ଅଦିନିଆ ବର୍ଷା, ମରୁଡ଼ି ମାଡ଼ର ପ୍ରଭାବ : ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଖସିଲା, କୃଷି କର୍ମଣ ପୁରସ୍କାର ମିଳିବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ୨୦୧୬-୧୭ରେ ୧୧୬.୮୨ ଲକ୍ଷ ମେଟ୍ରିକ ଟନ୍‌ର ଖାଦ୍ୟଶସ୍ୟ ଉତ୍ପାଦନ କରି ରେକର୍ଡ ଅର୍ଜନ କରିଥିଲା ଓଡ଼ିଶା। ଏ ନେଇ ଗତ ବିଧାନସଭାରେ ବିଭାଗୀୟ ଖର୍ଚଦାବି ଆଲୋଚନା ଅବସରରେ ଶାସକ ଦଳ ସଦସ୍ୟମାନେ ସରକାରଙ୍କ ସଫଳତା ବଖାଣିଥିଲେ। କିନ୍ତୁ ୨୦୧୭-୧୮ରେ ଏହା ୮୪.୭୧ ଲକ୍ଷ ମେଟ୍ରିକ ଟନ୍‌କୁ ଖସି ଆସିଛି। ବର୍ଷକ ବ୍ୟବଧାନରେ ୩୨.୧୧ ଲକ୍ଷ ଟନ୍‌ ଉତ୍ପାଦନ ତଳକୁ ଖସିବା ଫଳରେ ରାଜ୍ୟ କୃଷି ଅର୍ଥନୀତି, ଅଭିବୃଦ୍ଧି ଗୁରୁତର ବାଧାପ୍ରାପ୍ତ ହୋଇଛି।

ଗତ ଖରିଫ ଋତୁରେ ରାଜ୍ୟରେ ଏକାଦିକ୍ରମେ ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ମାଡ଼ରେ କୃଷି କ୍ଷେତ୍ର ପ୍ରତି ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଆଧାରରେ ୫ ବର୍ଷରେ ଚାରି ଚାରି ଥର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି। କିନ୍ତୁ ଉତ୍ପାଦନ ହ୍ରାସ ପାଇବାର ଧାରା ଆଗାମୀ ଦିନରେ ଜାରି ରହିଲେ, ଖାଦ୍ୟଶସ୍ୟ ଉତ୍ପାଦନ ଆଧାରରେ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିବାର ସମ୍ଭାବନା କ୍ଷୀଣ।

୨୦୧୬-୧୭ ଖରିଫ, ରବି ଋତୁରେ ଖାଦ୍ୟଶସ୍ୟ ଉତ୍ପାଦନ ନେଇ ଚୂଡ଼ାନ୍ତ ଆକଳନ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୧୧୬.୮୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ଏଥିମଧ୍ୟରେ ୯୭.୯୪ ଲକ୍ଷ ଟନ୍‌ ଚାଉଳ, ୯.୯୮ ଲକ୍ଷ ଟନ୍‌ର ଡାଲିଜାତୀୟ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ରହିଥିଲା। ଏଭଳି ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ନେଇ ବିଭିନ୍ନ ସମୟରେ ସରକାର ଡିଣ୍ଡିମ ପିଟିବାକୁ ପଛେଇନାହାନ୍ତିି। ଇତି ମଧ୍ୟରେ କୃଷି ବିଭାଗ ତରଫରୁ ୨୦୧୭-୧୮ ବର୍ଷ ଖରିଫ ଓ ରବି ଋତୁର ଖାଦ୍ୟଶସ୍ୟ ଉତ୍ପାଦନ ନେଇ ତୃତୀୟ ଆକଳନ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୮୪.୭୧ ଲକ୍ଷ ମେଟ୍ରିକ ଟନ୍‌କୁ ଖସିଆସିଛି। ଗତବର୍ଷ ତୁଳନାରେ ଉତ୍ପାଦନ ୩୨.୧୧ ଲକ୍ଷ ମେଟ୍ରିକ ଟନ୍‌ କମିଛି। ଅର୍ଥାତ୍‌ ହ୍ରାସ ହ୍ରାର ୨୭.୪୯ ପ୍ରତିଶତ।

ଏହି ରିପୋର୍ଟ ଅନୁସାରେ ଚାଉଳ ଉତ୍ପାଦନ (୬୫.୨୯ ଲକ୍ଷ ମେଟ୍ରିକ ଟନ୍‌) ସହିତ ମୋଟ ଶସ୍ୟଜାତୀୟ, ଫସଲ ଉତ୍ପାଦନ ବି କମିଛି। ୨୦୧୬-୧୭ରେ ଚାଉଳ ଉତ୍ପାଦନ ୯୭.୯୪ ଲକ୍ଷ ଟନ୍‌ ହୋଇଥିବା ବେଳେ ଗତବର୍ଷ ଏହା ୬୫.୨୯ ଲକ୍ଷ ଟନ୍‌କୁ ହ୍ରାସ ପାଇଛି। ତେବେ ଡାଲିଜାତୀୟ ଶସ୍ୟ ଉତ୍ପାଦନ ୨୦୧୬-୧୭ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ସେହି ବର୍ଷ ୯.୯୮ ଲକ୍ଷ ଟନ୍‌ର ଡାଲିଜତୀୟ ଶସ୍ୟ ଉତ୍ପାଦନ ହୋଇଥିଲା। ଗତବର୍ଷ ଏହା ୧୦.୭୨ ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ତୃତୀୟ ଆକଳନ ରିପୋର୍ଟ ପରେ ଚତୁର୍ଥ ପ୍ରକାଶ ପାଇବ। ଆସନ୍ତା ନଭେମ୍ବର ସୁଦ୍ଧା ଆସିବ ଚୂଡ଼ାନ୍ତ ରିପୋର୍ଟ। ଏହି ୩ୟ ରିପୋର୍ଟର ଆକଳନରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦନ ଦର୍ଶାଯାଇଛି, ଚୂଡ଼ାନ୍ତ ରିପୋର୍ଟରେ ଏଥିରେ ସାମାନ୍ୟ ପରିବର୍ତନ ଘଟିପାରେ। କିନ୍ତୁ ୩୨.୧୧ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ହ୍ରାସ ପାଇବା ସରକାରଙ୍କ ପାଇଁ ନିଶ୍ଚିତ ରୂପେ ମୁଣ୍ଡବ୍ୟଥାର ବିଷୟ।

ଉଲ୍ଲେଖଯୋଗ୍ୟ, ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ ଓ ୨୦୧୪-୧୫ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନରେ ସଫଳତା ଅର୍ଜନ କରିଥିବା ନେଇ ଦ୍ୱିତୀୟ ଶ୍ରେଣୀର ରାଜ୍ୟ ଭାବେ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି। ଚଳିତ ବର୍ଷ ୨୦୧୫-୧୬ ପାଇଁ ମଧ୍ୟପ୍ରଦେଶ କୃଷି କର୍ମଣ ପୁରସ୍କାର ହାସଲ କରିଛି। ଏଥର କୌଣସି ଶ୍ରେଣୀରେ ଶ୍ରେଷ୍ଠତ୍ୱ ଅର୍ଜନ ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇପାରିନାହିଁ। ତେବେ ଗତବର୍ଷର ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ଯୋଗୁଁ ଆଗାମୀ ଦିନରେ କୃଷି କର୍ମଣ ପୁରସ୍କାର ମିଳିବା ନେଇ ସନ୍ଦେହ ରହିଛି।

ରାଜ୍ୟରେ ଗତ ଖରିଫ, ରବି ଋତୁରେ ଖାଦ୍ୟଶସ୍ୟ ଉତ୍ପାଦନ କମିବା ପଛରେ ପ୍ରଧାନ ପ୍ରତିବନ୍ଧକ ହେଉଛି ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ। ମରୁଡ଼ି ଯୋଗୁଁ ୧୭ଟି ଜିଲ୍ଲାର ୬୧୪୦ ଗ୍ରାମର ୩.୨୫ ଲକ୍ଷ ହେକ୍ଟର, ରୋଗପୋକ ଆକ୍ରମଣରେ ୨୬ଟି ଜିଲ୍ଲାର ୮୧୭୦ ଗ୍ରାମର ୧୨୯୭୩୪.୭୩ ଲକ୍ଷ ହେକ୍ଟର ଏବଂ ଅଦିନିଆ ବର୍ଷାରେ ୫ଟି ଜିଲ୍ଲାର ୧୦୩୯ ଗ୍ରାମର ୧୧୪୬୬.୩୨୦ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲହାନି ଘଟିଛି। ଫଳରେ ଗତ ଖରିଫ ଋତୁରେ ଖାଦ୍ୟଶସ୍ୟ ଉତ୍ପାଦନ ଗୁରୁତର ପ୍ରଭାବିତ ହୋଇଛି। ବର୍ତମାନ କାଳବୈଶାଖୀର ତାଣ୍ଡବରେ ରବି ଋତୁରେ ଫସଲହାନି ଘଟୁଥବାରୁ ଅଭିଯୋଗ ହେଉଛି। ଜଳବାୟୁ ପରିବର୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ବିଭିନ୍ନ ରୂପରେ ପ୍ରଳୟ ସୃଷ୍ଟି କରୁଥିବାରୁ ଏହାକୁ ପ୍ରତିହତ କରି କୃଷି କାର୍ଯ୍ୟ ଆଗେଇ ନେବା କୃଷି ବିଜ୍ଞାନୀଙ୍କ ପାଇଁ ଆହ୍ଵାନ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର