କୋଣାର୍କରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

କୋଣାର୍କ : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ ଏକ ପ୍ରମୁଖ ସ୍ଥାନ ଭାବେ ବିବେଚିତ ହୋଇଥାଏ। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥାନ୍ତି। ମାତ୍ର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କିମ୍ବା ସାଧାରଣଜନତା, କାହାର କୌଣସି ବି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାଙ୍କୁ ଏଠାରୁ ୧୫ କିମି ଦୂର ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ୩୬ କିମି ଦୂର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ। କୋଣାର୍କରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବା ବେଳେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ସୂଚନା ଅନୁଯାୟୀ, କୋଣାର୍କରେ ନିର୍ମାଣ ହୋଇଥିବା ଡାକ୍ତରଖାନାଟି ଅଦ୍ୟାବଧି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତ‌ାଲିକାରେ ରହିଛି। ଗତ ନବକଳେବର ସମୟରେ ଏଠାରେ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ଡାକ୍ତରଖାନା ନିର୍ମାଣ ହୋଇଛି। ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଡାକ୍ତରଖାନା ପରିସରରେ ଏହା ଏବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଗୋଟିଏ ପଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତାରେ ବୃଦ୍ଧି ଘଟୁ ନଥିବା ବେଳେ ଅନ୍ୟପଟେ ସ୍ଥାସ୍ଥ୍ୟସେବାରେ ଉନ୍ନତି ଆସିପାରୁ ନାହିଁ। ସେହିପରି ଦୀର୍ଘ ବର୍ଷ ଧରି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇବା ପରେ ଗତକିଛି ଦିନ ପୂର୍ବେ ଏଠାରେ ଜଣେ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଜଣେ ଆୟୁଷ ଡାକ୍ତରଙ୍କ ସମେତ କେତେକ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଚାଲିଛି। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଅନ୍ୟତ୍ର ରେଫର୍‌ କରିଦିଆଯାଉଛି। ଏ ଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର