ନାଚୁଣୀ : ଭୁବନେଶ୍ବରରୁ ବ୍ରହ୍ମପୁରକୁ ଯାଉଥିବା ଏକ୍ସପ୍ରେସ୍‌ ରୋଡ୍‌ର ସ୍ଥାନୀୟ କୁହୁଡ଼ି ତଥା କହ୍ନେଇପୁର ଛକ ନିକଟରେ ରାସ୍ତା ସଂପ୍ରସାରଣ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଏବେ ପ୍ରାୟତଃ ସରିଆସିଲାଣି। ମାତ୍ର ୧୬ ନମ୍ବର ଜାତୀୟ ରାଜପଥର କୁହୁଡ଼ି ନିକଟସ୍ଥ କୟଥପଲ୍ଲା ଅଞ୍ଚଳରେ ଥିବା ପୁରୁଣା ଶୌଚାଳୟଟିର ଅବସ୍ଥା କହିଲେ ନସରେ। କବାଟରେ ତାଲା ଝୁଲୁଥିବା ବେଳେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡ଼ି ଯାଉଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

publive-image

ରାସ୍ତା ମଝିରେ ଆଲୋକୀକରଣ ପାଇଁ ପୋତାଯାଇଥିବା ୧୦ରୁ ୧୨ଟି ଖୁଣ୍ଟରେ ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ୍‌ ସଂଯୋଗ ହୋଇନଥିବା ବେଳେ କେତେକ ଖୁଣ୍ଟି ଉଭାନ ହୋଇଗଲାଣି। ସେହିଭଳି ସୁନାଖଳା ନିକଟସ୍ଥ କହ୍ନେଇପୁର ଛକରେ ରାସ୍ତାର ଉଭୟ ପାର୍ଶ୍ବରେ ନିର୍ମିତ ହୋଇଥିବା ଶୌଚାଳୟକୁ ବ୍ୟବହାର କରାନଯାଇ ଆରମ୍ଭରୁ ସେଠା‌ରେ ତାଲା ଝୁଲୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ପ୍ରାୟ ୨୦ ରୁ ଊର୍ଦ୍ଧ୍ବ ବିଜୁଳି ଖୁଣ୍ଟର ମୂଳରୁ ନଟ୍‌ବୋଲ୍ଟ ଖୋଲି କାଢ଼ି ନେଇଥିବା ଦେଖିବାକୁ ମିଳୁଛି।

publive-image

ସ୍ଥାନୀୟ ଅଞ୍ଚଳରେ ରାଜପଥ ପାର୍ଶ୍ବକୁ କିଛି ଉଠା ଦୋକାନୀ ପସରା ଖୋଲି କବ୍‌ଜା କରିବା ଫଳରେ ରାସ୍ତାରେ ଯାଉଥିବା ଦୂରଦୂରାନ୍ତର ଯାନବାହାନଗୁଡ଼ିକ ରାସ୍ତାରେ ଅଟକି ଜିନିଷପତ୍ର କିଣାକିଣିରେ ସମୟ ବିତାଉଥିବାରୁ ପଛରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ଠଉରାଇନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥି ପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେଉନଥିବାରୁ ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି। ନିର୍ମାଣ ସରିଥିବା ସଂପୃକ୍ତ ଅଂଚଳରେ ୧୬ ନମ୍ବର ଜାତୀୟ ରାଜପଥର ଚାରି ଥାକିଆ ସଂପ୍ରସାରଣ ହୋଇଥିବା ବେଳେ ଆବଶ୍ୟକ ଆଲୋକୀକରଣ ହୋଇନଥିବାରୁ ନିକଟସ୍ଥ ଜନବସତିର ଲୋକଙ୍କ ଯାତାୟାତ ନିଛାଟିଆ ହୋଇଯାଉଛି। ରାସ୍ତାରେ ସ୍ଥାନୀୟ ଯାତ୍ରୀମାନଙ୍କ ସମେତ ଅଜଣା ଯାତ୍ରୀ ଅସାମାଜିକ ଲୋକଙ୍କ ହାବୁଡ଼ରେ ପଡ଼ି ଲୁଟ୍‌ମାର୍‌ର ଶିକାର ହେଉଛନ୍ତି। ଅଯଥା ଝାମେଲାକୁ ଡରି ଏବାବଦରେ କେହି ପୁଲିସକୁ ଖବର ଦେଉନାହାନ୍ତି।

publive-image

ଉଭୟ ପଟ ରାସ୍ତା ବ୍ୟସ୍ତବହୁଳ ଥିବା ବେଳେ ରାସ୍ତାର କୟଥପଲ୍ଲା ଓ କହ୍ନେଇପୁର ଛକରେ ଅବ୍ୟବସ୍ଥା ଲାଗିରହିଥିବାରୁ ନିକଟସ୍ଥ ସୁନାଖଳା ଓ ନାଚୁଣୀ ଓଭରବ୍ରିଜ୍‌ ରାସ୍ତାରେ ଏ ଯାଏଁ ଆଲୋକୀକରଣ ସଂପୂର୍ଣ୍ଣ ହୋଇପାରିନାହିଁ। ଏନ୍‌ଏଚ୍‌ଏଆଇର ସ୍ଥାନୀୟ ରାସ୍ତା ସଂପ୍ରସାରଣ କାର୍ଯ୍ୟ ସରିଥିଲେ ମଧ୍ୟ ଏହି ରାସ୍ତାର ବୁଲାଣିରେ ଆଲୋକ ବ୍ୟବସ୍ଥା ଏବଂ ସୂଚନା ଫଳକ ଅଭାବରୁ ଯାତ୍ରୀ ଭ୍ରମରେ ପଡ଼ୁଛନ୍ତି। ସେହିଭଳି ରାସ୍ତା ପାର ହେବା ପାଇଁ ରହିଥିବା କ୍ରସ୍‌କଟ୍‌ ଗୁଡ଼ିକର ନିର୍ମାଣ ଅଧାପନ୍ତରିଆ ଓ ଅସମତଳ ହୋଇ ରହିଯାଇଛି। ଫଳରେ ଅନ୍ଧାରରେ ଟିକିଏ ଅନ୍ୟମନସ୍କ କିମ୍ବା ଏହି ସ୍ଥାନ ପ୍ରତି ଅଜ୍ଞ ରହିଲେ ଦୁର୍ଘଟଣାର ଆଶଙ୍କା ରହୁଛି। ଏହି କାରଣରୁ ରାତିରେ ଯାତାୟାତ ବେଳେ ଯାନବାହାନ ପରସ୍ପର ପିଟି ହୋଇ ଅଯଥାରେ ଧନଜୀବନ ନଷ୍ଟ ହେଉଛି। ଏନ୍‌ଏଚ୍‌ଏଆଇ ଏ ସମ୍ବନ୍ଧରେ ଉଦାସୀନ ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ହେଉଛି।