ଭୁବନେଶ୍ବର: ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ନିର୍ବାଚନ କମିସନଙ୍କ ଛାଟ। ଓଡ଼ିଶା‌ରେ ଏକକାଳୀନ ଚାଲିଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଏହାସହ ମେଡିକାଲ ଛୁଟିରେ ଥିବା ବରିଷ୍ଠ ଆଇପିଏସ୍‌ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥାର ମଧ୍ୟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନିର୍ବାଚନ କମିସନ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂପର୍କିତ ପତ୍ର ଲେଖି ସୂଚନା ଦେଇଛନ୍ତି।

Advertisment

ଆଇପିଏସ୍‌ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ
୩୦ ସୁଦ୍ଧା ମେଡିକାଲ ବୋର୍ଡରେ ହାଜର ହେବେ ଆଶିଷ
ଇଭିଏମ୍‌ ଭଙ୍ଗା ଘଟଣାରେ ତଦନ୍ତକୁ ତ୍ବରାନ୍ବିତ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଡି.ଏସ୍‌ କୁଟ୍ଟେ ଓ ଆଇଜି(ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଆଶିଷ ସିଂହ ନିର୍ବାଚନରେ ଅନୈତିକ ହସ୍ତକ୍ଷେପ କରୁଥିବା ସଂପର୍କରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଗତକାଲି ନିର୍ବାଚନ କମିସନଙ୍କୁ ରିପୋର୍ଟ ଦେଇଥିଲେ। ସମୟ ସମୟରେ କ୍ଷେତ୍ରସ୍ତରରୁ ନିଆଯାଇଥିବା ଇନ୍‌ପୁଟ ମଧ୍ୟ ଏହି ଅଭିଯୋଗକୁ ପ୍ରମାଣିତ କରିଥିଲା। ‌ଏହାକୁ ଆଧାର କରି ଶ୍ରୀ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଛି। ଆସନ୍ତାକାଲି ଅପରାହ୍‌ଣ ୩ଟା ସୁଦ୍ଧା ସେ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର, ଓଡ଼ିଶା କାର୍ଯ୍ୟାଳୟକୁ ଆସି ରିପୋର୍ଟ କରିବେ। ଶ୍ରୀ କୁଟ୍ଟେଙ୍କ ନାଁରେ ଥିବା ଅଭିଯୋଗ ଫର୍ଦ୍ଦକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବ ଚାର୍ଜସିଟ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

ସେହିପରି ଆଶିଷ ସିଂହ ଚଳିତମାସ ୪ ତାରିଖରୁ ମେଡିକାଲ ଲିଭ୍‌ରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‌ଏହି ମେଡିକାଲ ବୋର୍ଡ ଗଠନ ପାଇଁ ଏମ୍‌ସର ନିର୍ଦ୍ଦେଶକଙ୍କ ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ତାରିଖ ସୁଦ୍ଧା ଶ୍ରୀ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ୩୧ ତାରିଖ ସୁଦ୍ଧା କମିସନଙ୍କରୁ ରିପୋର୍ଟ ପଠାଇବା ଲାଗି କୁହାଯାଇଛି। ଅପରପକ୍ଷରେ ପୋଲିଂ ବୁଥରେ ଇଭିଏମ୍‌ ଭଙ୍ଗା ଘଟଣାରକୁ ନେଇ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏହାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି କମିସନ ନିର୍ଦ୍ଦେଶ ଦେଇଛନ୍ତି।