ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗର ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ। ଅଧିକାରୀ ଜଣେ ହେଲେ ବି ତାଙ୍କ ବିରୋଧରେ ଅଭିଯୋଗ ଅନେକ। ଏଣୁ ଜିଲ୍ଲାରୁ ଏପରି ଅଧିକାରୀଙ୍କୁ ବିଦା କରିବାକୁ ଦାବି କରି ଜିଲ୍ଲା ବିଜେପି ସହରରେ ବିଶାଳ ଶୋଭାଯାତ୍ରା କରିବା ସହ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛି। ନିଜ ଅଧସ୍ତନ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗରେ ଏବେ ରାଜା ବାବୁ ଜାମିନରେ ଅଛନ୍ତି। ଏପଟେ ଯାହାକୁ ଯାହା ପରିଲେ ରାସ୍ତାରେ ଫୋନ୍‌ରେ ଦୁର୍ବ୍ୟବହାର କରିବା ଅଭିଯୋଗର ଲମ୍ବା ତାଲିକା ତାଙ୍କ ନାଁରେ ବଢ଼ିଚାଲିଛି। ତାଙ୍କ ଦୁର୍ବ୍ୟବହାରରୁ ନେତା ଅଧିକାରୀ କେହି ବାଦ୍‌ ପଡ଼ିନାହାନ୍ତି। ଯାହାକୁ ନେଇ ତାଙ୍କର ବଦଳି ଦାବିରେ ବହୁ ସମୟ ଧରି ବିଜେପି କର୍ମକର୍ତ୍ତା ଧାରଣାରେ ବସିଥିଲେ। ସଂଧ୍ୟା ସୁଦ୍ଧା ଏଭଳି ଅଧିକାରୀଙ୍କ ବଦଳି ହେଉ ବୋଲି ଦାବି କରି ଜିଦ୍‌ରେ ଅଟଳ ଥିଲେ।

Advertisment

ବଲାଙ୍ଗୀର ଜିଲ୍ଲା ବିଜେପିର ଶତାଧିକ କର୍ମକର୍ତ୍ତା କୋଶଲ କଳାମଣ୍ଡଳରୁ ଶୋଭାଯାତ୍ରାରେ ବାହାରି ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ତୁରନ୍ତ ଗିରଫ କରିବା ସହ ଏଠାରୁ ବଦଳି କରାଯାଉ ବୋଲି ଦାବି କରିଥିଲେ। ବିଜେପି ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜାଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆଣିଛି। ଅଧସ୍ତନ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯାତନା, ଅନ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର, ଗତ ମାସରେ ସବୁ କର୍ମଚାରୀଙ୍କ ଦରମା ବନ୍ଦ କରିବା, ନିଜ ଖାସ୍‌ କେତେଜଣ ମିଲର୍ସଙ୍କ ସହ ମିଶି ଚାଷୀଙ୍କୁ ଶୋଷଣ କରିବା, ଜିଲ୍ଲାର ନେତୃ ସ୍ଥାନୀୟ ଲୋକଙ୍କୁ ଫୋନ୍‌ରେ ଗାଳିଗୁଲଜ ଓ ଧମକ ଦେବା ଭଳି ଅନେକ ଅଭିଯୋଗ ଅଣାଯାଇଛି।

ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପ୍ରଭାସ ପାଣିଗ୍ରାହୀ, ପଙ୍କଜିନୀ ପଣ୍ଡା, ଦୀନେଶ ଶର୍ମା, ଲକ୍ଷବଚ୍ଚ ବାଗ, ମାଧବ ସାଏ, ମୁକେଶ ଜୈନ, ଶିବଦତ୍ତ ମିଶ୍ର, ରାକେଶ ମିଶ୍ର, ଅମିତ ସିଂନିନା, ରାଜକିଶୋର ନାଏକ, ଦୀନବନ୍ଧୁ ବେହେରା, ଅକ୍ଷୟ ରଣା, ଅନିଲ ନାୟକ, ପୀତାମ୍ବର ଖମାରୀ, ପ୍ରଶାନ୍ତ ଦାସ, ବନଶ୍ରୀ ଆଚାର୍ଯ୍ୟ, ରଂଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ, ଅନିତା ମିଶ୍ର, ସସ୍ମିତା ବେହେରା, ସୌଦାମିନୀ ମିଶ୍ର, ନରସିଂହ ସିଂହ, ରମା ପ୍ରଧାନ, ଅନିଲ ପାଣିଗ୍ରାହୀ, ବଡ଼ବାବୁ ସେଲମା, ପ୍ରବୀଣ ଅଗ୍ରୱାଲ ଓ ଅନ୍ୟମାନେ ବକ୍ତବ୍ୟ ରଖି ଅଧିକାରୀଙ୍କ ବିରୋଧରେ ଗର୍ଜିଥିଲେ। ଶେଷରେ ଉପଜିଲ୍ଲାପାଳ ଆନ୍ଦୋଳନସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ।

ଅଧିକାରୀ ଏକ, ଅଭିଯୋଗ ଅନେକ

ସରକାରଙ୍କ ଗେହ୍ଲାପୁଅ ବଲାଙ୍ଗୀରର ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ। ତାଙ୍କ ବିରୋଧରେ ଗତ କିଛିମାସ ହେଲା ଏକାଧିକ ଆନ୍ଦୋଳନ ହେଲାଣି। ଗତ ଅଗଷ୍ଟ ମାସରେ ନିଜ କାର୍ଯ୍ୟାଳୟର ମହିଳା ଅଧିକାରୀଙ୍କୁ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରୁ ନେଇ ଥାନା ଯାଏ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ଓ ପ୍ରଶାସନର ସହଯୋଗ ପାଇ ମୁଖ୍ୟ ଯୋଗାଣ ଅଧିକାରୀ ମାନ୍ୟବର ହାଇକୋର୍ଟଙ୍କ ପାଖରୁ ଜାମିନ ଆଣିଥିଲେ। କିନ୍ତୁ ଅଭିଯୋଗକାରୀ ଆଦିବାସୀ ମହିଳା ହୋଇଥିବାରୁ ଜିଲ୍ଲା ଆଦିବାସୀ ସଂଘ ସଶସ୍ତ୍ର ଆନ୍ଦୋଳନ କରିଥିଲା। ଏପରିକି ମୀର ରାଜା ଅଲ୍ଲୀଙ୍କ ବିରୋଧରେ ଏଲ୍‌ସିସି ତଦନ୍ତ କରି ରିପୋର୍ଟ ବି ପ୍ରଦାନ କରିଥିଲା। ଏଲ୍‌ସିସି ଅଧ୍ୟକ୍ଷା ବି ମୀର ରାଜା ଅଲ୍ଲୀଙ୍କୁ ନିଲମ୍ବନ କରିବା ଉଚିତ ବୋଲି ଗଣମାଧ୍ୟମକୁ କହିଥିଲେ। କିନ୍ତୁ ତାଙ୍କ ବିରୋଧରେ ପ୍ରଶାସନ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏପରିକି କେତେ ଜଣ ଖାସ ମିଲର୍ସଙ୍କ ସହ ଗୁପ୍ତ ବୈଠକ ସମୟରେ ଗଣମାଧ୍ୟମ କ୍ୟାମେରା ପହଞ୍ଚିଯିବାରୁ ପାଇଖାନାରେ ମିଲର୍ସ ବନ୍ଧୁଙ୍କ ସହିତ ଲୁଚିଥିଲେ। ଆଉ ଏବେ ମଣ୍ଡିରେ ମନମାନି। ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀଙ୍କୁ ଶୋଷଣ କରାଯାଉଥିବାରୁ ମୀର ରାଜା ଅଲ୍ଲୀଙ୍କ ବିରୋଧରେ ଜାଗାଜାଗାରେ ଆନ୍ଦୋଳନ ତେଜିବାରେ ଲାଗିଛି। ଆଉ ଧାନକିଣାରେ ହେଉଥିବା ଦୁର୍ନୀତି ଓ ବେଆଇନ କାମ ବାବଦରେ ମୀର ରାଜା ଅଲ୍ଲୀ ଗଣମାଧ୍ୟମ କ୍ୟାମେରା ଦେଖିଲେ ଦୁର୍ବ୍ୟବହାର ଦେଖାଉଛନ୍ତି। ତେବେ ଆଗକୁ ରାଜ୍ୟ ସରକାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ନେଉଛନ୍ତି ତାକୁ ଅପେକ୍ଷା।