ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୋର୍ଦ୍ଧା ଦିଗରେ ସ୍ଥାନାନ୍ତର ହେବ। ଏଥିପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିହ୍ନଟ କରିଥିବା ୪ଟି ଜାଗାର ପ୍ରସ୍ତାବ ଦେଇଛନ୍ତି। ଏଥିରେ ପୂର୍ବରୁ ପ୍ରସ୍ତାବିତ ମଳିପଡ଼ା ସମେତ ଟାଙ୍ଗିଆପଡ଼ା, ଜଙ୍କିଆ ଏବଂ ବଡ଼ସାହିରେ ଥିବା ଜମି ଚିହ୍ନଟ ହୋଇଛି। ଏହି ୪ଟି ସ୍ଥାନରୁ କେଉଁଠି ବିମାନବନ୍ଦର ନିର୍ମାଣ ହୋଇପାରିବ ତାହା ପରିଦର୍ଶନ କରି ନିଷ୍ପତ୍ତି ନେବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଖୁବ୍ ଶୀଘ୍ର ଜଣାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇ ସବିଶେଷ ଆଲୋଚନା କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି ଯେ, ଆମକୁ ଜମି ଚିହ୍ନଟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ୧୫୦୦ରୁ ୨୦୦୦ ଏକର ମଧ୍ୟରେ ଥିବା ସରକାରୀ ଜମି ଚିହ୍ନଟ କରିବାକୁ ଆକଳନ ହୋଇଥିଲା। ହେଲେ ବର୍ତ୍ତମାନ ଚିହ୍ନଟ ହୋଇଥିବା ଜମିଗୁଡ଼ିକ ହଜାରେରୁ ୧୫୦୦ ଏକର ମଧ୍ୟରେ ରହିଛି। ଏଠାରେ ବିମାନବନ୍ଦର ହେବ କି ନାହିଁ ତାହା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଜମିଗୁଡ଼ିକୁ ଇଡକୋ ମାଧ୍ୟମରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ଫିଜିବିଲିଟି ଷ୍ଟଡି କରିବେ। ଯେଉଁ ସ୍ଥାନରେ ବିମାନବନ୍ଦର ହେବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥିବ ତାହାକୁ ତୁରନ୍ତ ବିଡିଏକୁ ହସ୍ତାନ୍ତର କରାଯିବ। ଏହାପରେ ଏହି ଅଞ୍ଚଳରେ ଯେପରି ଯୋଜନାବଦ୍ଧ ଭାବେ ବିମାନବନ୍ଦର ନିର୍ମାଣ ହୋଇପାରିବ ସେନେଇ ବିଡିଏ ଯୋଜନା କରିବ। ଏଠାରେ ଆବାସିକ ପ୍ରକଳ୍ପ ଏବଂ ବାଣିଜ୍ୟିକ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଯିବ।
ଅପରପକ୍ଷେ ଜମି ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମେତ ବିଡିଏ କର୍ତ୍ତୃପକ୍ଷଙ୍କୁ ବି ଦାୟିତ୍ୱ ଦିଆଯାଇଥିଲା। ବୃହତ୍ତ ଭୁବନେଶ୍ୱର ପାଇଁ ବିଡିଏ ପକ୍ଷରୁ ଯେଉଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ସେଥିରେ ଖୋର୍ଦ୍ଧା ଭିତରେ କେଉଁଠି ୧୫୦୦ରୁ ୨୦୦୦ ଏକର ପର୍ଯ୍ୟନ୍ତ ଜମି ମିଳିବ ତାହା ଜଣାଇବାକୁ କୁହାଯାଇଥିଲା। କିନ୍ତୁ ବିଡିଏ ଅଧୀନରେ ଥିବା ଅଞ୍ଚଳରେ ଏପରି ଜମି ଚିହ୍ନଟ ହୋଇପାରିନଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରସ୍ତବାକୁ ଏବେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଗତ ସେପ୍ଟେମ୍ବର ୧ ତାରିଖରେ ଆଲୋଚନା କରିବା ସମୟରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମିର ଆବଶ୍ୟକତା ସମ୍ପର୍କରେ କହିିଥିଲେ। ଏବେ ଥିବା ରନେଓ୍ଵର ଦୈର୍ଘ୍ୟ ୯୦୦ଫୁଟ ଥିବାବେଳେ ଏହାକୁ ୧୦୫୦ଫୁଟକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏବେ ଯେତିକି ଜମି ଅଛି ଏବଂ ପାରିପାର୍ଶ୍ୱିକ ଅଞ୍ଚଳ ଯେପରି ଅଛି ସେଥିରେ ଭବିଷ୍ୟତରେ ସମ୍ପ୍ରସାରଣ ସମ୍ଭବ ନୁହେଁ। ତେଣୁ ଭବିଷ୍ୟତରେ ବୋଇଂ ବିମାନ ଚଳାଚଳ ଆରମ୍ଭ କରିବା ଏବଂ ଅଧିକ ବିମାନ ଉଡ଼ାଣ ପାଇଁ ବଡ଼ ରନେଓ୍ଵର ଆବଶ୍ୟକତାକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଭୁବନେଶ୍ୱର ଉପକଣ୍ଠକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିମାନବନ୍ଦରରୁ ୨୦କିମି ମଧ୍ୟରେ ଜମି ଖୋଜା ହେଉଥିବାବେଳେ ଚିହ୍ନଟ ହୋଇଥିବା ଜମିଗୁଡ଼ିକ ପ୍ରସ୍ତାବିତ ଦୂରତା ପାଖାପାଖି ରହିଥିବା ଜଣାପଡ଼ିଛି।
ପ୍ରସ୍ତାବିତ ଜମି ବିମାନବନ୍ଦର ପାଇଁ ଉପଯୁକ୍ତ ହେବ କି ନାହିଁ ସେନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପୂର୍ବରୁ କହିଛନ୍ତି ଯେ, ନୂଆ ବିମାନବନ୍ଦର ହେଲେ କିପରି ଏଠାକୁ ସଡ଼କ ପଥରେ ସୁବିଧାରେ ଯୋଗାଯୋଗ କରିହେବ, ବିମାନବନ୍ଦର ହେବାକୁ ଥିବା ସ୍ଥାନରେ କ’ଣ ପ୍ରତିବନ୍ଧକ ଅଛି କି ନାହିଁ ତାହା ଯାଞ୍ଚ କରିବୁ। ବିମାନବନ୍ଦର ଜମି ଚିହ୍ନଟ ହେଲେ ଏହାକୁ ବିକଶିତ କରି ପୂର୍ଣ୍ଣ ବିମାନବନ୍ଦରରେ ପରିଣତ କରିବାକୁ ପ୍ରାୟ ୫ବର୍ଷ ଲାଗିଯିବ।
୧୦ବର୍ଷର ପବନ ଗତି ଅନୁଧ୍ୟାନ କରାଯିବ
ଭୁବନେଶ୍ୱର : ମଳିପଡ଼ାରେ ପୂର୍ବରୁ ବିମାନବନ୍ଦର ସ୍ଥାନାନ୍ତର ନେଇ ଜମି ଚିହ୍ନଟ ହୋଇଥିଲେ ହେଁ ଏହା କେନ୍ଦ୍ରୀୟ ଟିମ୍ ଦ୍ୱାରା ଖାରଜ ହୋଇଯାଇଥିଲା। ଏଠାରେ ରନେଓ୍ଵ ପାଇଁ ଅନୁକୂଳ ପବନ ବହୁନଥିବାରୁ ଏବଂ ଜମିର ଆକୃତି ଠିକ୍ ନଥିବା କୁହାଯିବା ପରେ ଏହି ପ୍ରସ୍ତାବିତ ଯୋଜନା କାଟ୍ ଖାଇଯାଇଥିଲା।
ଏବେ ପୁଣି ନୂଆ ଜମି ନେଇ ପ୍ରସ୍ତାବ ଆସିଥିବାରୁ ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବିମାନବନ୍ଦର ହେବା ପୂର୍ବରୁ ଆମେ ପ୍ରଥମେ ଚିହ୍ନଟ ହୋଇଥିବା ଜମିର ଫିଜିବିଲିଟି ଷ୍ଟଡି କରିବୁ। ଏହାସହିତ ଏହି ସ୍ଥାନରେ କେଉଁ ଦିଗରୁ ପବନ ବହୁଛି ତା’ର ସର୍ଭେ କରାଯିବ। ଗତ ୧୦ବର୍ଷ ମଧ୍ୟରେ ପବନର ଦିଗ କେଉଁ ଆଡ଼କୁ ରହିଛି ତାହା ପ୍ରଥମେ ପରୀକ୍ଷା କରାଯିବ। ସାଧାରଣତଃ ୩୦ରୁ ୪୦କିମି ଦୂରତା ମଧ୍ୟରେ ପବନର ଦିଗ ସମାନ ରହୁଥିଲେ ହେଁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବାରୁ ପବନର ଦିଗ ବଦଳିବାର ସମ୍ଭାବନାକୁ ଏଡ଼ାଇ ହେବନି। ଯେଉଁଠି ଜମି ଚିହ୍ନଟ ହେବ ସେଠାରେ ଜମିର ଆକୃତି ଏବଂ ପାରିପାର୍ଶ୍ୱିକ ସ୍ଥିତି ରନେଓ୍ଵ ପାଇଁ ଉପଯୋଗୀ ଥିଲେ ସେଠାରେ ବିମାନବନ୍ଦର ହେବ। ଏହି ରନେଓ୍ଵଟି ପବନର ଗତି ବହୁଥିବା ଦିଗରେ ହେବ। ଯେପରି ପବନ ଯଦି ଉତ୍ତର ଦିଗରୁ ବହୁଥିବ ତେବେ ତେବେ ବିମାନ ଉତ୍ତର ଦିଗକୁ ହିଁ ଉଡ଼ାଣ କରିବ। ରନେଓ୍ଵ ଉତ୍ତରମୁହାଁ ହେବ। ତେଣୁ ପବନ କେଉଁ ଦିଗକୁ ବହୁଛି ତାହାକୁ ସର୍ଭେ କରିବା ପରେ ରନେଓ୍ଵ କେତେ ଫୁଟର ହେବ, କିପରି ହେବ ତାହା ସ୍ଥିର କରାଯିବ ବୋଲି ଶ୍ରୀ ହୋତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/airport.jpg)