୪୫୦୦ ଶିଶୁଙ୍କୁ ଛେଉଣ୍ଡ କଲାଣି ମହାମାରୀ, ଆଶୀର୍ବାଦ ଯୋଜନା ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ମହାମାରୀରେ ଅନାଥ, ବାପା କିମ୍ବା ମା’ ଛେଉଣ୍ଡ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୫୦୦ ଶିଶୁ ଉଭୟ ବାପା, ମାଙ୍କୁ ହରାଇ ଅନାଥ ହୋଇଛନ୍ତି କିମ୍ବା ବାପା ଓ ମା’ ଭିତରୁ ଜଣକୁ ହରାଇଛନ୍ତି। ଏଥିମଧ୍ୟରୁ ୬୨୦ ଜଣ ଅନାଥ ହୋଇଥିବାବେଳେ ୩୯୦୦ ବାପା କିମ୍ବା ମା ଛେଉଣ୍ଡ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ‘ଆଶୀର୍ବାଦ’ ଯୋଜନାରେ ସାମିଲ ପାଇଁ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ ୭୧ ଶିଶୁ ଏଥିରେ ସାମିଲ ହେବା ନେଇ ରିପୋର୍ଟ ଦାଖଲ କରି ସାରିଛନ୍ତି। ଖୁବ ଶୀଘ୍ର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ସୂଚନା ମିଳିଛି।

କୋଭିଡର ଦ୍ବିତୀୟ ଲହରରେ ବାପା, ମା ଛେଉଣ୍ଡ ଶିଶୁଙ୍କୁ ସହାୟତା ପ୍ରଦାନ ପାଇଁ ଜୁନ ମାସ ୨୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶୀର୍ବାଦ ଯୋଜନା ଘୋଷଣା କରାଯାଇଛି। ଏହି ‌ଯୋଜନାରେ ବାପା, ମା’ ଉଭୟଙ୍କୁ ହରାଇଥିବା ପିଲାଙ୍କ ଭରଣପୋଷଣ ପାଇଁ ମାସିକ ୨୫୦୦ ଟଙ୍କା ପାଇବେ। ସେହିପରି ଘରର ରୋଜଗାରକ୍ଷମ ବାପା କିମ୍ବା ମା’ଙ୍କ ଭିତରୁ ଜଣକ ମୃତ୍ୟୁ ହୋଇଥିଲେ, ସେମାନଙ୍କୁ ୧୫୦୦ ଟଙ୍କା ଦିଆଯିବ। ଯେଉଁମାନେ ବାଳାଶ୍ରମରେ ରହିବେ ସେମାନଙ୍କ ଜମାଖାତାରେ ଏକ ହଜାର ଟଙ୍କା ଜମା ହେବ। ତେବେ ଶିଶୁମାନେ ପୋଷ୍ୟ ହୋଇଗଲେ ସେମାନେ ଏହି ଯୋଜନାରେ ସାମିଲ ହେବେ ନାହିଁ। ପ୍ରତ୍ୟେକ ଶିଶୁଙ୍କୁ ପରିବାରର ଆବଶ୍ୟକ ଥିବାରୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଥମତଃ ୨୦୨୦ ମାର୍ଚ ମାସରେ ମହାମାରୀ ଘୋଷଣା ହେବା ପରଠାରୁ ଯେଉଁ ଶିଶୁମାନେ ଉଭୟ ମା ଏବଂ ବାପାଙ୍କୁ ହରାଇଛନ୍ତି, ଦ୍ବିତୀୟତଃ ପୂର୍ବରୁ ଯେଉଁମାନଙ୍କ ଜଣେ ଅଭିଭାବକ ଥିଲେ, ମହାମାରୀ ଯୋଗୁଁ ଅନ୍ୟ ଜଣକ ମଧ୍ୟ ଚାଲିଗଲେ ସେମାନଙ୍କୁ ଚିହ୍ନଟ କରାଯାଉଛି। ସର୍ଭେ କାର୍ଯ୍ୟରେ ପ୍ରତ୍ୟେକ ଗାଁ ଏବଂ ପଡ଼ାର ଅଙ୍ଗନବାଡି କର୍ମୀ, ସରପଞ୍ଚଙ୍କୁ ସାମିଲ କରାଯାଇଛି। ଯେଉଁଠି ଯେଉଁ ଶିଶୁଙ୍କୁ ମହାମାରୀ ଅସହାୟ କରିଛି, ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ କୁହାଯାଇଛି। ୨୪ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଶିଶୁଙ୍କୁ ସିଡବ୍ଲୁସିରେ ହାଜର ପାଇଁ କୁହାଯାଇଛି। ଏହାଛଡ଼ା ଆଶୀର୍ବାଦ ଯୋଜନାରେ ସାମିଲ ଶିଶୁଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଆଲୋଚନା କରାଯାଉଛି। ଏ ଯୋଜନା‌ରେ ଅନ୍ତର୍ଗତ ଶିଶୁଙ୍କୁ ବୈଷୟିକ ତାଲିମ ମଧ୍ୟ ଦିଆଯିବ।

ଅନ୍ୟପକ୍ଷରେ ଅସହାୟ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏମାନଙ୍କୁ ସହାୟତା ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ଼ ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି। ବାପା, ମା ଛେଉଣ୍ଡ ଶିଶୁଙ୍କୁ ବାଳାଶ୍ରମକୁ ପଠାଇବା ପାଇଁ ‘ଆଶୀର୍ବାଦ’ ପୂର୍ବରୁ ମଧ୍ୟ ସରକାରଙ୍କ ନୀତି ରହିଛି। ଆଶୀର୍ବାଦ ଯୋଜନା ଘୋଷଣା ପୂର୍ବରୁ ମହାମାରୀରେ ଅନାଥ ହୋଇଥିବା ଅନେକ ଶିଶୁଙ୍କୁ ବାଳାଶ୍ରମ ପଠାଯାଇଛି। ବିଭାଗୀୟ ଅଧିକାରୀଙ୍କ ଅନୁସାରେ, ବାଳାଶ୍ରମ କୌଣସି ଶିଶୁଙ୍କୁ ଘର ହୋଇ ପାରିବ ନାହିଁ। ବାପା, ମା ହରାଇବା ପରେ ମଧ୍ୟ ତାଙ୍କ ନିକଟ ସମ୍ପର୍କୀୟ ଘରେ ରଖିବାକୁ ଚାହିଁଲେ ସେମାନଙ୍କୁ ପିଲାଙ୍କୁ ରଖିବାକୁ ପ୍ରୋତ୍ସାହିତ କରାଯାଉଛି।

ସମ୍ବନ୍ଧିତ ଖବର