ବରିଷ୍ଠତା ଭିତ୍ତିରେ ଆଗରେ ପ୍ରଦୀପ କପୁର
ପଛକୁ ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟୟ, ଅରୁଣ ରାୟ
ନୂଆ ନିୟମ ପରେ ପ୍ରଥମ ଡିଜି ଭାବେ ଦୁଇ ବର୍ଷ ପୂରଣ କରିବେ ଅଭୟ

Advertisment

ଭୁବନେଶ୍ୱର : କିଏ ହେବେ ରାଜ୍ୟର ପରବର୍ତ୍ତୀ ପୁଲିସ ମୁଖିଆ? କାହା ଉପରେ ଆସ୍ଥା ରଖିବେ ସରକାର? ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଚଳିତ ବର୍ଷ ଡିସେମ୍ବରରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ପୁଲିସ ଡିଜି ଅଭୟ। ତେଣୁ ଦଶହରା ପରେ ପ୍ରାୟ ଅଢ଼େଇ ମାସ ପୂର୍ବରୁ ସରକାର ନୂଆ ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ। ଏହାକୁ ନେଇ ପୁଲିସ ମହଲରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ନୂଆ ମୁଖିଆ କିଏ ହେବେ ତାହାକୁ ନେଇ ପାୱାର କରିଡର୍‌ରେ ସରଗରମ ଆଲୋଚନା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଡିଜିପି ନିଯୁକ୍ତି ପାଇଁ ଅନ୍ୟୂନ ୬ ମାସ ଚାକିରି ଥିବା ଆବଶ୍ୟକ। ବରିଷ୍ଠତା ଭିତ୍ତିରେ ରାଜ୍ୟ ସରକାର ଏକ ତାଲିକା ପ୍ରସ୍ତୁତ କରି ୟୁପିଏସ୍‌ସିକୁ ପଠାଇବେ। ଅତି ବେଶିରେ ୮ ଜଣଙ୍କ ତାଲିକା ରାଜ୍ୟ ସରକାର ପଠାଇପାରିବେ। ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ୟୁପିଏସ୍‌ସିର ଏକ କମିଟି ତିନି ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇବ। ସେହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କ ନାମରେ ମୋହର ମାରିବେ। ଯଦି ତିନି ଜଣଯାକ ଡିଜି ହେବା ପାଇଁ ଆଗ୍ରହୀ ନ ହୁଅନ୍ତି, ତେବେ ରାଜ୍ୟ ସରକାର ପୁଣି ଥରେ ୟୁପିଏସ୍‌ସିକୁ ତାଲିକା ପଠାଇବେ।

ଏହି ପ୍ରକ୍ରିୟାକୁ ଦେଖିଲେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ପ୍ରଦୀପ କପୁରଙ୍କ ନାଁ ଆଗରେ ଆସୁଛି। ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ଜାତୀୟ ବୈଷୟିକ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଅଛନ୍ତି। ବରିଷ୍ଠତା ଭିତ୍ତିରେ ତାଙ୍କ ପଛକୁ ସେହି ବ୍ୟାଚ୍‌ର ବିଜୟ ଶର୍ମାଙ୍କ ନାଁ ଆସୁଥିଲେ ମଧ୍ୟ ପୂର୍ବରୁ ଅଗ୍ନିଶମ ଡିଜି ଥିବା ବେଳେ ତାଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ଥିବା ଅଭିଯୋଗରେ ସରକାର ତାଙ୍କୁ ଡିଜି ପଦରୁ ହଟାଇ ଦେଇଥିଲେ। ପୁଣି ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହା ମଧ୍ୟରେ ପାଖାପାଖି ଦୁଇ ବର୍ଷ ବିତିଯାଇଥିଲେ ବି କମିଟି ରିପୋର୍ଟ ଦେଲା କି ନାହିଁ, ସେ ସମ୍ପର୍କରେ କେହି ପାଟି ଫିଟାଉ ନାହାନ୍ତି। ତେଣୁ ଶ୍ରୀ ଶର୍ମାଙ୍କ ନାଁ ପଠା ନ ଯାଇ ପାରେ।

ତାଙ୍କ ପଛକୁ ଅଛନ୍ତି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୭ ବ୍ୟାଚର ସୁନୀଲ କୁମାର ବଂଶଲ। ସେ ଏବେ ମୁମ୍ବାଇ ଏସ୍ଆଇବିର ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି। ୧୯୮୭ ବ୍ୟାଚ୍‌ର ଆଉ କୌଣସି ଅଫିସର୍ ଓଡ଼ିଶା କ୍ୟାଡର୍‌ର ନାହାନ୍ତି। ବଂଶଲଙ୍କ ପଛକୁ ଅଛନ୍ତି ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ସଶସ୍ତ୍ର ପୁଲିସ ବାହିନୀ ସ୍ବତନ୍ତ୍ର ଡିଜିପି ମନୋଜ କୁମାର ଛାବ୍ରା, ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ, ସ୍ପେସାଲ ଡିଜି(କମ୍ୟୁନିକେସନ) ଅରୁଣ କୁମାର ରାୟ। ୧୯୮୮ ବ୍ୟାଚ୍‌ର ଆଉ ଦୁଇ ଜଣ ଅଫିସର ଏମ୍ ଅକ୍ଷୟ ଓ ବିନୟାନନ୍ଦ ଝା ରହିଛନ୍ତି। କିନ୍ତୁ ଅକ୍ଷୟ ଆସନ୍ତା ନଭେମ୍ବର ମାସରେ ଅବସର ନେବେ। ଝା ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଅବସର ନେବେ। ତାଙ୍କ ଚାକିରି ଡିସେମ୍ବରରୁ ଆଉ ୬ ମାସ ନ ଥିବାରୁ ତାଙ୍କ ନାମ ସୁପାରିସ୍ ହୋଇପାରିବ ନାହିଁ। ୧୯୮୬, ୧୯୮୭ ଓ ୧୯୮୮ ବ୍ୟାଚ୍‌ର ୫ ଜଣ ଅଫିସର ଥିବାରୁ ଆଉ ପରବର୍ତ୍ତୀ ବ୍ୟାଚ୍‌ର ଅଫିସରଙ୍କ ନାମ ପଠା ହେବାର ସମ୍ଭାବନା ନାହିଁ।

ବରିଷ୍ଠତା ଭିତ୍ତିରେ ପ୍ରଦୀପ କପୁର, ସୁନୀଲ ବଂଶଲ ଓ ମନୋଜ ଛାବ୍ରାଙ୍କ ନାଁ ପ୍ରଥମେ ଆସିବ ବୋଲି କୁହାଯାଉଛି। କପୁର ଯଦି ରାଜି ନ ହୁଅନ୍ତି, ତେବେ ପରବର୍ତ୍ତୀ ଅଫିସରଙ୍କ କଥା ଚିନ୍ତା କରାଯିବ। ତେବେ ବହୁ ବର୍ଷ ଧରି ଓଡ଼ିଶା ଫେରି ନ ଥିବା ବଂଶଲ ହୁଏତ ରାଜି ନ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତାହେଲେ ତାଙ୍କ ପଛକୁ ରହିବେ ସନ୍ତୋଷ ଉପାଧ୍ୟାୟ। ଯଦି ସେଥିରେ କିଛି ଅସୁବିଧା ଉପୁଜେ କିମ୍ବା ପୁଣି କେହି ମନା କରନ୍ତି, ତା’ହେଲେ ପଛକୁ ଅରୁଣ ରାୟଙ୍କ ନାମ ଆସିବ। ଆଗକୁ ଦୁଇ ଦୁଇଟି ନିର୍ବାଚନ ଥିବାରୁ ଡିଜି ଚୟନ ସରକାରଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ସରକାର ଡିଜି ଚୟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଅନ୍ୟପକ୍ଷରେ ନୂଆ ନିୟମ ଅନୁସାରେ ଅଭୟ ଡିଜିପି ଭାବେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ସେ ୨୦୧୯ ଡିସେମ୍ବର ୯ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ଗତ ଜୁନରେ ତାଙ୍କର ଚାକିରି ଶେଷ ହେଉଥିଲା। କିନ୍ତୁ ସେତେବେଳକୁ ତାଙ୍କର କାର୍ଯ୍ୟକାଳ ଦେଢ଼ ବର୍ଷ ହେଉଥିଲା। ଡିଜିପି ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରୁଥିବା ନିୟମ ଥିବାରୁ ରାଜ୍ୟ ସରକାର ଆଉ ୬ ମାସ ଚାକିରି ବୃଦ୍ଧି କରିଥିଲେ। ଆସନ୍ତା ଡିସେମ୍ବରରେ ତାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ।