ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ: ବିଦେଶରୁ ୩କୋଟି ୮୦ଲକ୍ଷ ଟିକା ଆଣିବାକୁ ଯୋଜନା

୨୮ ତାରିଖ ପରେ ଖୋଲିବ ଟେଣ୍ଡର, ମାସେ ଭିତରେ ଦେବାକୁ ହେବ ୭୫ଲକ୍ଷ ଡୋଜ୍
୪ମାସ ଭିତରେ ସମସ୍ତ ଟିକା ଦେବାକୁ ସର୍ତ୍ତ ରହିଛି, ସର୍ତ୍ତ ଖିଲାପ କଲେ ଟେଣ୍ଡର ବାତିଲ୍
୩୦% ଆଗୁଆ ଟଙ୍କା ଦେବ ଔଷଧ ନିଗମ, ଧାର୍ଯ୍ୟ ଦରରେ ପରିବର୍ତ୍ତନ କରିପାରିବେ ନାହିଁ କଂପାନି

ଭୁବନେଶ୍ବର : ରାଜ୍ୟରେ ଟିକାର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ଭିତ୍ତିକରି ଆଜି ରାଜ୍ୟ ଔଷଧ ନିଗମ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବବଜାରରୁ ୩କୋଟି ୮୦ଲକ୍ଷ ଟିକା ଆଣିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସର୍ତ୍ତ ରଖାଯାଇଛି, ୨-୮ ଡିଗ୍ରି ତାପମାତ୍ରାରେ ସୁରକ୍ଷିତ ରହିପାରୁଥିବା ଟିକା କମ୍ପାନିମାନେ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା ୨୦ ତାରିଖ ଦିନ ୧୧ଟାରୁ ଅନ୍‌ଲାଇନ୍ ଟେଣ୍ଡର ଆରମ୍ଭ ହେବା ସହିତ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଶେଷଦିନ ଉଭୟ ବୈଷୟିକ ଓ ଟିକାର ଦାମ ସଂପର୍କିତ ଟେଣ୍ଡର ଖୋଲିବ ବୋଲି ଜଣାପଡ଼ିଛି।

ଆଜି ରାଜ୍ୟ ଔଷଧ ନିଗମର ୱେବସାଇଟ୍‌ରେ ଗ୍ଲୋବାଲ ଟେଣ୍ଡର୍‌ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି। ଟିକା ଯୋଗାଣକାରୀ କମ୍ପାନି ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ। ୬୦ ଦିନ ଭିତରେ ୨କୋଟି ୨୫ଲକ୍ଷ, ୯୦ଦିନରେ ୩କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି। ଧାର୍ଯ୍ୟ ଡୋଜ୍‌ର ୩୦ ପ୍ରତିଶତ ଟଙ୍କା ଆଗୁଆ ରାଜ୍ୟ ଔଷଧ ନିଗମ ପ୍ରଦାନ କରିବ। ସେହିପରି ଟିକା ପାଇବାର ୨ଦିନ ଭିତରେ ଶତ ପ୍ରତିଶତ ଟଙ୍କା କମ୍ପାନିକୁ ପ୍ରଦାନ କରାଯିବ। ତେବେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଟିକା କମ୍ପାନି ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଦରକାର। ଭାରତରେ ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା, ବିଦେଶରେ ପ୍ରସ୍ତୁତ ହୋଇଥିବା ଟିକାର ଭାରତରେ ପ୍ରସ୍ତୁତକାରୀ ସଂସ୍ଥା କିମ୍ବା ଭାରତକୁ ଆମଦାନି କରୁଥିବା ସଂସ୍ଥା ନିଜର ସମସ୍ତ କାଗଜପତ୍ର ପ୍ରଦାନ କରିବାକୁ ହେବ। ଆବେଦନକାରୀ ଜିଏସ୍‌ଟି ଅଧୀକରେ ପଞ୍ଜୀକୃତ ହେବା ଜରୁରୀ ବୋଲି କୁହାଯାଇଛି।

ଔଷଧ ନିଗମ ପକ୍ଷରୁ ହୋଇଥିବା ଏହି ଗ୍ଲୋବାଲ ଟେଣ୍ଡରର ଅବଧି ୬ମାସ ରଖାଯାଇଛି। ଏହି ସମୟ ଭିତରେ ଆବେଦନ କରିଥିବା ସଂସ୍ଥା ନିଜର ଆବେଦନ ପ୍ରକ୍ରିୟାକୁ ଫେରାଇ ନେଇପାରିବେ ନାହିଁ। ଆବେଦନକାରୀ ସଂସ୍ଥା ଯଦି ପୂର୍ବ ନିର୍ଧାରିତ କୌଣସି ସର୍ତରେ ଖିଲାପ କରନ୍ତି, ତା’ହେଲେ ତାଙ୍କର ଆବେଦନକୁ ଖାରଜ କରିଦିଆଯିବ। ସେହିପରି ଟେଣ୍ଡର ସମୟରେ ଟିକା ଯୋଗାଣକାରୀ ସଂସ୍ଥା ପକ୍ଷରୁ ଧାର୍ଯ୍ୟ ଦରରେ ପରବର୍ତୀ ସମୟରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବନାହିଁ। ଔଷଧ ନିଗମ ପକ୍ଷରୁ ଯେତିକି ସଂଖ୍ୟକ ଟିକା ପାଇଁ ଟେଣ୍ଡର କରାଯିବ, ତାହାର ୫୦ ପ୍ରତିଶତ ଏଲ-୧ ପାଇଁ ସଂରକ୍ଷିତ ରହିବ। ବଳକା ୫୦ ପ୍ରତିଶତକୁ ନିଗମ ଅନ୍ୟ ଏକାଧିକ ଯୋଗ୍ୟ ବିବେଚିତ ସଂସ୍ଥାକୁ ଦେଇପାରିବ। ଚୁକ୍ତି ସ୍ବାକ୍ଷର ହେବାର ୧୨ମାସ ଭିତ‌ରେ ପୁନଃ ଅର୍ଡର କରିବାର କ୍ଷମତା ଔଷଧ ନିଗମ ନିକଟରେ ରହିବ। ଟିକା ଯୋଗାଣକାରୀ ସଂସ୍ଥାକୁ ପ୍ରତ୍ୟେକ ବ୍ୟାଚ୍‌ର ଇନଭଏସ୍‌ ସହିତ ସଂପୃକ୍ତ ବ୍ୟାଚ୍‌ର ଗୁଣବତ୍ତା ସାର୍ଟିଫିକେଟ୍ ପ୍ରଦାନ କରିବାକୁ ହେବ।

ସମ୍ବନ୍ଧିତ ଖବର