ଖୋର୍ଦ୍ଧା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖଣି ସମ୍ପତ୍ତିକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଠାରୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ୧୪ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ଖଣି ସୀମା ମାପଚୁପଠୁ ନେଇ ଖୁଣ୍ଟ ପୋତା ଯାଏ ବିଭିନ୍ନ କାର୍ଯ୍ୟ ନେଇ ସବିଶେଷ ଗାଇଡ୍‌ଲାଇନ୍ ତିଆରି କରାଯାଇଛି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଖଣି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛି। ସରକାରଙ୍କ ଏହି ଚିଠି ମହାପ୍ରଭୁଙ୍କର ଅଚଳ ହୋଇଥିବା ବହୁ ଖଣିର ପୁଣି ନିଲାମ ହେବାର ବାଟ ଖୋଲିଛି। ଏହା ସହ ଆସିବାକୁ ଥିବା ନୂଆ ନିୟମାବଳୀ ଖଣି ଚୋରି ଉପରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି। 

Advertisment

ଧାର୍ଯ୍ୟ ହେଲା ୧୪ ମାନଦଣ୍ଡ 
ଖଣି ସୀମାରେ ପଡ଼ିବ ଖୁଣ୍ଟି
ପ୍ରତି ୬ ମାସରେ ଡ୍ରୋନ୍‌ ସର୍ଭେ

ଚିଠିରେ ଦର୍ଶାଯାଇଛି, ପ୍ରଥମେ ମହାପ୍ରଭୁଙ୍କ ନାଁରେ ଥିବା ସବୁ ଅଚଳ ଓ ସଚଳ ଖଣି ସମ୍ପତ୍ତିର ଏକ ତାଲିକା ପ୍ରସ୍ତୁତ ହେବ। ଶ୍ରୀମନ୍ଦିର ପ୍ରଶାସନ ଏହା ପ୍ରସ୍ତୁତ କରିବ। ତା’ ପରେ ତହସିଲଦାର, ମାଇନିଂ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଓ ‘ଓର୍‌ସାକ୍‌’ ଆଦି ଚାରି ବିଭାଗକୁ ନେଇ ଡିଜିପିଏସ୍‌ ସର୍ଭେ କରାଯିବ। ସର୍ଭେ ମୁତାବକ, ପ୍ରତ୍ୟେକ ଖଣି ଚାରିପାଖରେ ଖୁଣ୍ଟ ପୋତାଯିବ। ତା’ର ସବୁ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ। ସର୍ଭେ ସମୟରେ ଯଦି କୌଣସି ଅତ୍ୟଧିକ ଖଣି ଚୋରି କଥା ପଦାକୁ ଆସେ, ତେବେ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଖଣି ସର୍ଭେ ଓ ଖଣି ଚୋରି ତଥ୍ୟ ରିପୋର୍ଟ ଧରପଗଡ଼ ପରେ ଯାଇ ଖୋର୍ଦ୍ଧା ଖଣି ଅଧିକାରୀଙ୍କ ହାତକୁ ମହାପ୍ରଭୁଙ୍କ ଖଣି ସମ୍ପତ୍ତିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯିବ। ଖଣିର ନଥି ଓ ତଥ୍ୟ ସହିତ ଖଣି ବିଭାଗ ହାତକୁ ଖଣି ସମ୍ପତ୍ତି ଆସିଲା ପରେ ଖଣି ବିଭାଗ ନିଜ ବ୍ୟବସ୍ଥା ଅନୁଯାୟୀ ଖଣି ବ୍ୟବସାୟ ଚଳାଇବ। 

ଖଣିର ଲାଭ ଆୟ ମହାପ୍ରଭୁଙ୍କ ଆକାଉଣ୍ଟରେ ପୈଠ କରାଯିବ। ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପାଣ୍ଠି) ଏବଂ ଇଏମ୍‌ଏଫ୍‌ (ପରିବେଶ ପରିଚାଳନା ପାଣ୍ଠି)କୁ ଅଲଗା କରାଯିବ। ଖଣି ପରିଚାଳନା ପାଇଁ ଖୋର୍ଦ୍ଧା ଖଣି ଉପନିର୍ଦ୍ଦେଶାଳୟକୁ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ନାଁରେ ପ୍ରାୟ ଶହେରୁ ଅଧିକ ଖଣି ଅଛି। ପ୍ରତି ୩୦ଟି ଖଣି ପିଛା ଜଣେ ଲୋକଙ୍କୁ ନିଯୁକ୍ତ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହା ଛଡ଼ା ଖଣି ବିଭାଗ ଏବଂ ମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ପ୍ରତ୍ୟେକ ଛଅ ମାସରେ ଖଣିର ଡ୍ରୋନ୍‌ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।