ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ : ଧରାପଡ଼ିଲେ ୧ ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀ

କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ଟଙ୍କା ଫେରସ୍ତ ନେଇ ଏସ୍‌ଓପି ଜାରି କଲେ ନିର୍ଦ୍ଦେଶକ
କଟୁ ସମାଲୋଚନା କଲେ ବିରୋଧୀ

ଭୁବନେଶ୍ୱର : କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାଞ୍ଚରେ ୧ ଲକ୍ଷ ୬ ହଜାର ୬୩୧ ଜଣ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି। ଏମାନଙ୍କୁ ଟଙ୍କା ଫେରସ୍ତ ପାଇଁ କୃଷି ବିଭାଗ ପକ୍ଷରୁ ଚିଠି ପଠାଯିବା ସହ ଏକ ଏସ୍‌ଓପି ଜାରି କରାଯାଇଛି। ଆଜି ଏ ସଂକ୍ରାନ୍ତରେ କୃଷି ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ କୃଷି ବିଭାଗ ପ୍ରମୁଖ ସଚିବ କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କ ଭିତରୁ କେତେକ ଟଙ୍କା ଫେରସ୍ତ କରିସାରିଛନ୍ତି। ଅନ୍ୟମାନେ ଖୁବ ଶୀଘ୍ର ଫେରସ୍ତ କରିବେ। ତେବେ ବିରୋଧୀ ସରକାରଙ୍କୁ ଘେରିଛନ୍ତି।

ଅଯୋଗ୍ୟ ହିତାଧିକାରୀଙ୍କ ଅର୍ଥ ଫେରସ୍ତ କରିବା ପାଇଁ ସରକାର ଚଳିତ ମାସ ୯ ତାରିଖରୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏ ନେଇ କୃଷି ନିର୍ଦ୍ଦେଶକ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନାରେ ଚୟନ ହୋଇଥିବା ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀମାନଙ୍କ ଭିତରୁ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ଜିଲ୍ଲାଵାରୀ ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇ ନିର୍ଦ୍ଧାରିତ ଏସ୍‌ଓପି ଅନୁଯାୟୀ ଟଙ୍କା ସରକାରୀ ଖାତାକୁ ଫେରିବ। ଏଥିପାଇଁ ପ୍ରତ୍ୟେକ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ବ୍ୟକ୍ତିଗତ ଭାବେ ଚିଠି ଉଭୟ ଇଂରାଜି ଓ ଓଡ଼ିଆ ଭାଷାରେ ଲେଖାଯିବ। ପ୍ରତ୍ୟେକ ଚିଠିରେ କାଳିଆ ଯୋଜନାର ଜିଲ୍ଲା ନୋଡାଲ୍‌ ଅଧିକାରୀଙ୍କ ଦସ୍ତଖତ ରହିବ। ଯେଉଁ ବ୍ୟାଙ୍କରୁ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ସହାୟତା ଅର୍ଥ ପ୍ରଦାନ କରାଯାଇଥିଲା ସେହି ବ୍ୟାଙ୍କ ଖାତାକୁ ଫେରସ୍ତ କରିବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ କରାଯିବ। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ୍‌ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରିବା ପାଇଁ ବିଧାନସଭାରେ ସରକାର ପ୍ରତିଶ୍ରୁତି ଦେଇଥିଲେ। ୫୧ ଲକ୍ଷ ହିତାଧିକାରୀମାନଙ୍କ ଭିତରୁ ୯୮% ଯୋଗ୍ୟ। ପର୍ଯ୍ୟାୟକ୍ରମେ ଜିଲ୍ଲାଵାରୀ ଏହି ଅର୍ଥକୁ ଫେରସ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Flickr

ଅନ୍ୟପଟେ ଏହାକୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପୂର୍ବତନ ବିଜେପି ବିଧାୟକ ତଥା ଦଳର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, କୃଷି ବିଭାଗ ପକ୍ଷରୁ ରାଜ୍ୟର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପାଖକୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ୍‌ ଆସିଛି। ଆଉ ୧ ମାସ ଭିତରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ରାଜ୍ୟରେ କରୋନା ମହାମାରୀ ଜାରି ରହିଥିବାବେଳେ ଏବେ ସରକାର କାଳିଆ ମାଡ଼ କରି ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଯୋଜନାକୁ ତରବରିଆ ଭାବେ ଆରମ୍ଭ କରିଥିଲେ। ବିନା ବଜେଟ୍‌ ଓ ବିନା ଚାଷୀ ତାଲିକାରେ ଠିକ୍‌ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଆକସ୍ମିକ ପାଣ୍ଠିରୁ ଏହି ଅର୍ଥ ବଣ୍ଟାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅତାବିରା ବ୍ଲକ୍‌ର ରଘୁନାଥ ପତି ନାମକ ଜଣେ ଚାଷୀ କାଳିଆ ଯୋଜନାରେ ସହାୟତା ଅର୍ଥ ନେଇନାହାନ୍ତି। ଅଥଚ ତାଙ୍କୁ ଅର୍ଥ ଫେରସ୍ତ କରିବାକୁ ନୋଟିସ୍‌ ଆସିଛି। ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟ ସରକାର କାଳିଆ ତାଲିକା ଏଯାବତ ସଂଶୋଧନ କରିପାରିନାହାନ୍ତି। କାଳିଆ ତାଲିକାରୁ ବାଦ ପକାଇ ଏବେ ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସମାନ ଅଭିଯୋଗ କରି କହିଛନ୍ତି, ସରକାରଙ୍କ କାଳିଆ ହିତାଧିକାରୀ ତାଲିକା ଭୁଲ ବୋଲି ଆରମ୍ଭରୁ ହିଁ କଂଗ୍ରେସ ସ୍ବର ଉଠାଇ ଆସିଥିଲା। ନିଜ ଦଳୀୟ କର୍ମୀଙ୍କୁ ହିତାଧିକାରୀ ତାଲିକାରେ ଭର୍ତ୍ତି କରିଥିଲେ। ଏହାର ବହୁ ପ୍ରମାଣ ବି ବିଧାନସଭାରେ କଂଗ୍ରେସ ଦେଇଛି। ହିତାଧିକାରୀଙ୍କୁ ଚୟନ କରିବା ପାଇଁ ଥିବା ମାପଦଣ୍ଡରେ ଜାଣିଶୁଣି ସରକାରୀ ବାବୁମାନେ ଏପଟସେପଟ କରିଥିଲେ। ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହିସବୁ ବାବୁମାନଙ୍କ ଠାରୁ ଏହି ଅର୍ଥ କାହିଁକି ଆଦାୟ କରାଯାଉନି ବୋଲି ଶ୍ରୀ ବାହିନୀପତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର