ପିପିଲି: ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପିପିଲିରେ ଏକ ବାଇକ୍ ଶୋଭାଯାତ୍ରାରେ ଭୋଟ୍ ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସହ ଲୋକସଭା ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଏକ ଖୋଲା ଜିପ୍ରେ ଠିଆ ହୋଇ ଭୋଟ୍ ପ୍ରଚାର କରୁଥିବା ବେଳେ ପିପିଲି ହାଟଛକଠାରେ ପ୍ରାୟ ୧୧ଟା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ମୁଣ୍ଡ ବୁଲାଇବା କାରଣରୁ ଶ୍ରୀ ପଟ୍ଟନାୟକ ପ୍ରଚାର ଗାଡ଼ି ମଧ୍ୟରେ ପଡ଼ିଯାଇଥିଲେ।
ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ ଓ ବିଧାୟକ ଶ୍ରୀ ମହାରଥୀଙ୍କ ସମେତ ଅନ୍ୟମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ସେ ସୁସ୍ଥ ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ବିଜେଡିର ନେତା ଓ କର୍ମୀମାନେ ତାଙ୍କୁ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କର ନିମ୍ନ ରକ୍ତଚାପ ଥିବା ଜଣାପଡ଼ିଥିଲା। ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସେ ଯାଇଥିଲେ। ଆଜି ଅପରାହ୍ନରେ ଅରୂପ ଏକ ଭିଡିଓ ବାର୍ତ୍ତା ଜାରି କରି ରାତି ଅନିଦ୍ରା ଓ ବିଶ୍ରାମ ଅଭାବରୁ ମୁଁ ଅସୁସ୍ଥ ଅନୁଭବ କରିଥିଲି ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ବିଶ୍ରାମ ନେଉଛି ବୋଲି କହିଛନ୍ତି।