ପୁରୀ : ରେଳ ବିଭାଗକୁ ଘରୋଇକରଣ ପ୍ରତିବାଦରେ ମଙ୍ଗଳବାର ଦିନ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବତଟ ରେଳପଥ ଶ୍ରମିକ ସଂଘ। ଏନେଇ ଆଜି ସଂଘ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ପୂର୍ବତଟ ରେଳପଥର ହଜାର ହଜାର କର୍ମଚାରୀ ବିଏନ୍ଆର ହୋଟେଲଠାରୁ ଶୋଭାଯାତ୍ରାରେ ବାହାରି ରେଳଷ୍ଟେସନ୍ ପର୍ଯ୍ୟନ୍ତ ଯିବାପରେ ସେଠାରେ ଅଧିବେଶନରେ ସାମିଲ୍ ହୋଇଥିଲେ। ଶୋଭାଯାତ୍ରା ଯୋଗୁ ଚକ୍ରତୀର୍ଥ ରୋଡ୍ରୁ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପ୍ରାୟ ଘଣ୍ଟା ଟ୍ରାଫିକ୍ ଜାମ୍ ହୋଇଯାଇଥିଲା।
ରେଳ ବିଭାଗର ଘରୋଇକରଣକୁ ତୀବ୍ର ବିରୋଧ ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି ଶ୍ରମିକ ସଂଘ। ରେଳ କର୍ମଚାରୀମାନେ ଆଜି ହଜାର ହଜାର ସଂଖ୍ୟାରେ ସାମିଲ୍ ହୋଇ ନିଜର ଶକ୍ତି ପ୍ରଦର୍ଶନ ସହ ଆଗାମୀ ଦିନରେ ବଡ଼ଧରଣର ଧର୍ମଘଟ କରିବାକୁ ଚେତାବନୀ ଦେବା ସହିତ ଏହି ଶୋଭାଯାତ୍ରା କରାଯାଇଥିଲା।
ରେଳ କର୍ମଚାରୀମାନେ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଆୟୋଜନ ହୋଇଥିଲା। ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନ (ଏଆଇଆର୍ଏଫ)ର ସଭାପତି ଡ.ଏନ୍ କହ୍ନେୟା, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର, ଏଆଇଆର୍ଏଫର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ପୂର୍ବତଟ ରେଳପଥର ଟି.କେ ମଣ୍ଡଳ, ପୂର୍ବତଟ ରେଳପଥ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରୟ, ଏଆଇଆର୍ଏଫ୍ର ଉପସଭାପତି ପି.କେ ପାଟ୍ଟଶାହାଣୀ ପ୍ରମୁଖ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ଆଜିର ଏହି ଶୋଭାଯାତ୍ରା ଓ କାର୍ଯ୍ୟକ୍ରମକୁ ରଂଜିତ ଦାସ, ରାଜୀବ ପାଢ଼ୀ ଓ ପୂର୍ବତଟ ରେଳ ଶ୍ରମିକ ସଂଘର ସହ ସମ୍ପାଦକ ସୁନିଲ ପାତ୍ର ପରିଚାଳନା କରିଥିଲେ।