କଟକ: ଯେଉଁ ଉପକରଣର ଦାମ ୨୦୨୨-୨୩ରେ ୮ ଲକ୍ଷ ଟଙ୍କା ଥିଲା, ତାହାକୁ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଗୁଣ ଅଧିକ ଦର ଅର୍ଥାତ ୧୬ ଲକ୍ଷ ଟଙ୍କାରେ କିଣିଛି ଅଗ୍ନିଶମ ବିଭାଗ। ଏହି ଉପକରଣ କିଣା ଟେଣ୍ଡରରେ ବଡ଼ ଧରଣର ଦୁର୍ନୀତି ‌ହୋଇଥିବା ଅଭିଯୋଗ ହୋଇଛି। ଏହାର ଛାନଭିନ୍ ହେଲେ ଏହା ପଛରେ ହୋଇଥିବା କାରବାର ଧରା ପଡିବ ବୋଲି କୁହାଯାଉଛି।

Advertisment

ତଥ୍ୟ ଅନୁଯାୟୀ, ଅଗ୍ନିଶମ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷରେ ହାଇଡ୍ରୋଲିକ୍ କଟର୍, ସ୍ପ୍ରେଡର ସହିତ ପାଵାର ପ୍ୟାକ୍ ୨୬ଟି ସେଟ୍ କିଣିଥିଲା। ପ୍ରତି ସେଟ୍‌କୁ ୭ ଲକ୍ଷ ୯୫ ହଜାର ୫୮୩ ଟଙ୍କାରେ କିଣା ଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ସେହି ସମାନ ଧରଣର ୫୦ଟି ସେଟ୍ ଉପକରଣ ଅଗ୍ନିଶମ ବିଭାଗ କିଣିଥିଲା। କିନ୍ତୁ ପ୍ରତି ସେଟ୍ ପିଛା ୧୬ ଲକ୍ଷ ୫୯ ହଜାର ୯୦୬ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଗୋଟିଏ ବର୍ଷରେ ସେଟ୍ ପିଛା ମୂଲ୍ୟ ହଠାତ ଦୁଇ ଗୁଣ ବଢିଯିବା ଏବେ ସନ୍ଦେହର କାରଣ ହୋଇଛି। ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ଅଗ୍ନିଶମ ବିଭାଗ ପକ୍ଷରୁ ହାଇଡ୍ରୋଲିକ୍ କଟର୍, ସ୍ପ୍ରେଡର ସହିତ ପାଵାର ପ୍ୟାକ୍ ୨୬ ସେଟ୍ କିଣିବା ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତ ପ୍ରକାଶ ପାଇବା ପରେ ୯ଟି କମ୍ପାନି ଏଥିରେ ସାମିଲ ହୋଇଥିଲେ। ଏଥିରୁ ବୈଷୟିକ କମିଟି ଦୁଇଟି ସଂସ୍ଥାକୁ ଚୟନ କରିଥିଲା। ଏହି ଦୁଇଟି ସଂସ୍ଥା ଭିନ୍ନ ଭିନ୍ନ ଉପକରଣ ପ୍ରସ୍ତୁତକାରୀ କମ୍ପାନିର ସାମଗ୍ରୀ ନମୁନା ଉପସ୍ଥାପନ କରିଥିଲା। ସବୁଠାରୁ କମ୍ ମୂଲ୍ୟ ଉଲ୍ଲେଖ କରିଥିବା ଆରୟ ଆସୋସିଏଟ୍ ଆର୍ଥିକ କମିଟିରେ ଚୂଡ଼ାନ୍ତ ହୋଇଥିଲା। ସେ ୨ କୋଟି ୬ ଲକ୍ଷ ୮୫ ହଜାର ୧୫୮ ଟଙ୍କାରେ ୨୬ଟି ସେଟ୍ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ଅର୍ଥାତ ଗୋଟିଏ ସେଟ୍ ପିଛା ମୂଲ୍ୟ ରହିଥିଲା ୭ ଲକ୍ଷ ୯୫ ହଜାର ୫୮୩ ଟଙ୍କା।

ଏଲ-୨ରେ ଥିବା କମ୍ପାନି ରେସକ୍ୟୁ ଟେକ୍ନୋଲଜି ୨୬ଟି ସେଟ୍ ଦେବାକୁ ୨ କୋଟି ୭ ଲକ୍ଷ ୯ ହଜାର ଟଙ୍କା ଉଲ୍ଲେଖ କରିଥିଲା। ଅର୍ଥାତ ସେଟ୍ ପିଛା ମୂଲ୍ୟ ଥିଲା ୭ ଲକ୍ଷ ୯୬ ହଜାର ୫୦୦ ଟଙ୍କା। ମୂଲ୍ୟ ଅଧିକ ଥିବା ଦର୍ଶାଇ ଏହି କମ୍ପାନିକୁ ଆର୍ଥିକ କମିଟିରେ ବାଦ୍ ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଆରୟ ଆସୋସିଏଟ୍ ନିକଟରୁ ୨୬ ସେଟ୍ ଉପକରଣ କିଣିଥିଲା। ପୁଣି ଥରେ ୨୦୨୩ ଡିସେମ୍ବର ୧୨ ତାରିଖରେ ଅଗ୍ନିଶମ ବିଭାଗ ପକ୍ଷରୁ ସମାନ ହାଇଡ୍ରୋଲିକ୍ କଟର୍, ସ୍ପ୍ରେଡର ସହିତ ପାଵାର ପ୍ୟାକ୍ ଖରିଦ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ୫ଟି କମ୍ପାନି ସାମିଲ ହୋଇଥିଲେ। ସେଥିରୁ ତିନୋଟି ସଂସ୍ଥାଙ୍କୁ ବୈଷୟିକ କମିଟି ଚୟନ କରିଥିଲା। ଏହି ତିନୋଟି ସଂସ୍ଥା ଗୋଟିଏ ପ୍ରସ୍ତୁତକାରୀ କମ୍ପାନି ହୋଲମେତ୍ରୋରର ସାମଗ୍ରୀ ଯୋଗାଇବା ପାଇଁ ନମୁନା ବୈଷୟିକ କମିଟିରେ ଦାଖଲ କରିଥିଲେ। ଏହି ତିନୋଟି ମଧ୍ୟରୁ ଆର୍ଥିକ କମିଟିର ରେସକ୍ୟୁ ଟେକ୍ନୋଲଜି ସର୍ବନିମ୍ନ ମୂଲ୍ୟ ରଖିଥିବାରୁ ଚୟନ ହୋଇଥିଲା। ୨୦୨୩ ବର୍ଷରେ ଏହି କମ୍ପାନି ୮ କୋଟି ୩୦ ଲକ୍ଷ ୩୬ ହଜାର ୬୦୦ ଟଙ୍କାରେ ହାଇଡ୍ରୋଲିକ୍ କଟର୍, ସ୍ପ୍ରେଡର ସହିତ ପାଵାର ପ୍ୟାକର ୫୦ଟି ସେଟ୍ ଦେବାକୁ ଚୁକ୍ତି ହୋଇଥିଲା। ବୁଝାମଣା ପରେ ଏହାର ମୂଲ୍ୟ ୮ କୋଟି ୨୯ ଲକ୍ଷ ୯୫ ହଜାର ୩୦୦ ଟଙ୍କାରେ ଚୂଡ଼ାନ୍ତ ହୋଇ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଥିଲା। ଏଥିରେ ଗୋଟିଏ ସେଟ୍‌ର ମୂଲ୍ୟ ପହଞ୍ଚି ଯାଇଥିଲା ୧୬ ଲକ୍ଷ ୫୯ ହଜାର ୯୦୬ ଟଙ୍କା।

ଏହି କମ୍ପାନି ୨୦୨୨-୨୩ ଆର୍ଥିକ ବର୍ଷରେ ଏଲ୍ ୨ ଭାବେ ବାଦ୍ ପଡ଼ିଥିଲା। ଗୋଟିଏ ସେଟ୍ ପିଛା ୭ ଲକ୍ଷ ୯୬ ହଜାର ୫୦୦ ଟଙ୍କା ଦର୍ଶାଇ ବାଦ ପଡିଥିବା କଂପାନି କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ଗୋଟିଏ ସେଟ୍ ପିଛା ୧୬ ଲକ୍ଷ ୫୯ ହଜାର ୯୦୬ ଟଙ୍କା ଦର୍ଶାଇ ଟେଣ୍ଡର ହାତେଇ ନେଇଛି। ଏଭଳି ସ୍ଥିତିରେ ଗୋଟିଏ ବର୍ଷ ଭିତରେ ଅଗ୍ନିଶମ ବିଭାଗ ୫୦ଟି ସେଟ୍ ବାବଦରେ ଅତିରିକ୍ତ ୪ କୋଟି ୩୧ ଲକ୍ଷ ୭୦ ହଜାର ୩ ଶହ ଟଙ୍କା ଅଧିକ ଖର୍ଚ୍ଚ କରିଛି। ହାଇଡ୍ରୋଲିକ୍ କଟର ଓ ପାଵାର ପ୍ୟାକ୍ ସମାନ ମଡେଲ୍ ଉଭୟ ଆର୍ଥିକ ବର୍ଷରେ କିଣାଯାଇଥିବା ବେଳେ ଭିନ୍ନ ସ୍ପେଡର ମଡେଲ ପାଇଁ ଦୁଇ ଗୁଣ ଅଧିକ ମୂଲ୍ୟ ଦେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।