ରାୟଗଡ଼ା ଏଲପିଜି ବଟଲିଂ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ, ଦୈନିକ ୭ ଜିଲ୍ଲାକୁ ପ୍ରେରଣ ହେବ ୭୦୦୦ ସିଲିଣ୍ଡର୍ 

ରାୟଗଡ଼ା: ସ୍ଥାନୀୟ ରାୟଗଡ଼ା ସହରର ପିତାମହଲ ଶିଳ୍ପାଞ୍ଚଳରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରାକ୍ ପ୍ରେରଣ ଯାଞ୍ଚ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନର ଜେନେରାଲ୍ ମ୍ୟାନେଜର ହେମନ୍ତ କୁମାର ସିଂ। ବର୍ତ୍ତମାନ ଦୈନିକ ୭ଟି ଜିଲ୍ଲାକୁ ୭୦୦୦ ସିଲିଣ୍ଡର ପ୍ରେରଣ କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାୟଗଡ଼ାରେ ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଣ୍ଟର ଶିଳାନ୍ୟାସ କରିଥିବା ବେଳେ ୨ ବର୍ଷ ପରେ ପ୍ଲାଣ୍ଟର ନିର୍ମାଣ କାମ ଶେଷ ହୋଇଛି। ଦୈନିକ ୧୫ ହଜାର ସିଲିଣ୍ଡର ଫିଲିଂ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବା ପରେ ଆଜିଠୁ ଦୈନିକ ୭ ହଜାର ସିଲିଣ୍ଡର ରାୟଗଡ଼ା, କଳାହାଣ୍ଡି, ନୂଆପଡା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ପ୍ରେରଣ ଆରମ୍ଭ ହୋଇଛି। ପ୍ରେରଣ ଆରମ୍ଭ ପରେ ଖାଉଟିମାନେ ଜାଳେଣୀ ବ୍ୟବହାର ସମୟରେ କିପରି ସତର୍କତା ଅବଲମ୍ବନ କରିବେ ସେନେଇ ସଚେତନ କରାଯିବ। ଗ୍ୟାସ୍ ପ୍ରେରଣ କରୁଥିବା କର୍ମଚାରୀ ସିଲିଣ୍ଡର ସଠିକ୍ ସିଲ୍ ହୋଇଛି ନା ନାହିଁ, ସଠିକ୍ ଓଜନର ଅଛି ନା ନାହିଁ ଓ ତ୍ରୁଟିମୁକ୍ତ ସିଲିଣ୍ଡର ପ୍ରଦାନ କିପରି ହୋଇପାରିବ ସେ ଦିଗରେ ଏକ ସଚେତନତା ରଥ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବ।

ସଚେତନତା ଯୋଗୁ ଗ୍ରାହକମାନେ ସତର୍କ ରହିବା ସହ ଠକାମିର ଶିକାର ହୋଇପାରିବେନି ବୋଲି ଶ୍ରୀ ସିଂ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ଡିଜିଏମ୍ (ଅପରେସନ୍) ରାଜେଶ କୁମାର ସିହ୍ନା, ସିଆରଏମ୍ ସମ୍ବଲପୁର ଜିତାମ୍ରିତ୍ ଦତ୍ତ, ସିନିୟର୍ ମାର୍କେଟିଂ ମ୍ୟାନେଜର୍ ମନୋଜ କୁମାର ବେହେରା, ସେଲସ୍ ଅଫିସର୍ ରାୟଗଡ଼ା ଶୋଭନ୍ କୁମାର ସାହୁ, ସେଲସ୍ ଅଫିସର୍ ସମ୍ବଲପୁର ଅଜିତ୍ କୁମାର ସାହୁ, ସେଲସ୍ ଅଫିସର ଜୟପୁର କଳ୍ପତରୁ ପଲାଇ, ଅନୁଗୁଳ ସେଲସ୍ ଅଫିସର ଅଭିନାଶ କୁମାର ଜଜ୍, ରାୟଗଡ଼ା ପ୍ଲାଣ୍ଟ୍ ମ୍ୟାନେଜର୍ କେ. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର