ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ପରିସରରେ ୨୦୦୧ ମାର୍ଚ୍ଚ ମାସରେ ଏନ୍ଟିପିସି-ସେଲ୍ ପାୱାର କମ୍ପାନି ଲିମିଟେଡ୍(ଏନ୍ଏସ୍ପିସିଏଲ୍) ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟଥିଲା, ଆର୍ଏସ୍ପି ଓ ସହରାଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା। ଉଦ୍ଦେଶ୍ୟ କିଛି ପରିମାଣରେ ସାଧିତ ବି ହେଲା। ଭବିଷ୍ୟତରେ ଆର୍ଏସ୍ପି ଆଧୁନିକୀରଣ ଅଧିନରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକରେ ଅତ୍ୟଧିକ ପରିମାଣର ବିଦ୍ୟୁତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଏନ୍ଏସ୍ପିସିଏଲ୍ ପକ୍ଷରୁ ୨୫୦ ମେଗାୱାଟ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଇଥିଲା। ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରୁ ଉତ୍ପାଦନ ବି ଆରମ୍ଭ ହେଲା। ମାତ୍ର କୋଇଲା ଅଭାବ ଯୋଗୁଁ ଗତ ୯ ତାରିଖରୁ ଏଠାରେ ଉତ୍ପାଦନ ବନ୍ଦ ହୋଇଯାଇଛି। ତେବେ ଉଦ୍ଘାଟନର ମାତ୍ର ଦୁଇ ମାସ ଭିତରେ ଏଠାରେ ଉତ୍ପାଦନ ବନ୍ଦ ହୋଇଯିବା, ଏବେ ଆଲୋଡ଼ନ ସୃଷ୍ଟି କରିଛି।
ସଂପ୍ରତି ଦେଶସାରା କୋଇଲା ସଙ୍କଟ ଦେଖାଦେଇଛି। ଫଳରେ ବିଭିନ୍ନ ଶିଳ୍ପ କାରଖାନା, ବିଶେଷକରି ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏହାଦ୍ବାରା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନି ଏନ୍ଏସ୍ପିସିଏଲ୍। ଆର୍ଏସ୍ପି ହିଁ ଏନ୍ଏସ୍ପିସିଏଲ୍କୁ ଆବଶ୍ୟକୀୟ କୋଇଲା ଯୋଗାଇଥାଏ। ତେବେ ବର୍ତ୍ତମାନ ଆର୍ଏସ୍ପିକୁ ନିଜ ଭାଗର କୋଇଲା ମିଳିପାରୁନି। ପୂର୍ବାପେକ୍ଷା ବର୍ତ୍ତମାନ ଆର୍ଏସ୍ପିକୁ ପ୍ରାୟ ୫୦% କମ୍ କୋଇଲା ଯୋଗାଣ ହେଉଛି। ଫଳସ୍ବରୂପ ଏନ୍ଏସ୍ପିସିଏଲ୍କୁ ନିଜ ଭାଗର କୋଇଲା ମିଳିପାରୁନି।
ପ୍ରକାଶଥାଉକି, ଏନ୍ଏସ୍ପିଏଲ୍ର ଏହି ୨୫୦ ୱାଟ୍ ବିଶିଷ୍ଟ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେଲେ ମଧ୍ୟ ଆର୍ଏସ୍ପି କିମ୍ବା ସହରାଞ୍ଚଳକୁ ବିଦ୍ୟୁତ ସରବରାହରେ କୌଣସି ବିଶେଷ ଫରକ ପଡ଼ିବନାହିଁ। ତେବେ ଭବିଷ୍ୟତରେ ହେବାକୁ ଥିବା ଆର୍ଏସ୍ପି ଆଧୁନିକୀକରଣ ଅନ୍ତର୍ଗତ ପ୍ରକଳ୍ପ ପାଇଁ ଏହା କାର୍ଯ୍ୟକ୍ଷମ ହେବା ନିତାନ୍ତ ଆବଶ୍ୟକ। ଏନ୍ଏସ୍ପିସିଏଲ୍ର ଏହି ୨୫୦ ମେଗାୱାଟ୍ ବିଶିଷ୍ଟ ପ୍ଲାଣ୍ଟର ଉତ୍ପାଦନ ବନ୍ଦକୁ ନେଇ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ବୀକାର କରିନାହାନ୍ତି। ମୋ’ ଜାଣତରେ ସବୁ ଠିକ୍ ଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।