ଭୁବନେଶ୍ବର : ଅକ୍ଷୟ ଶକ୍ତି ନୀତି ୨୦୨୨ ଅନୁଯାୟୀ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ହଜାର ମେଗାୱାଟ ସବୁଜ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି। ଯାହାମୁଖ୍ୟତଃ ସୌର ଓ ଜଳ ବିକାଶ ମାଧ୍ୟମରେ ହାସଲ କରାଯିବ ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।
ଶ୍ରୀ ଦେବ କହିଛନ୍ତି ଯେ ଓପନ ଆକ୍ସେସ-କାପଟିଭ୍ ଗ୍ରାହକଙ୍କୁ ୧୫ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଭିତରେ ସ୍ଥାପିତ ଆରଇ ପ୍ରକଳ୍ପରୁ ଶକ୍ତି ବ୍ୟବହାର ଉପରେ ଇଲେକ୍ଟ୍ରିସିଟି ଡ୍ୟୁଟି ୟୁନିଟ୍ ପିଛା ୫୦ ପଇସା ଓ ଏସ୍ଟିୟୁ ଚାର୍ଜ ୟୁନିଟ୍ ପିଛା ୨୦ ପଇସାର ରିହାତି ପ୍ରାବଧାନ ରହିଛି। ୨୦୨୬ ମସିହା ମାର୍ଚ୍ଚ ନିର୍ମିତ ପ୍ରକଳ୍ପଗୁଡ଼ିକ ପାଇଁ ଆହୁରି ୫ବର୍ଷ ପାଇଁ ଏହି ସୁବିଧାର ପ୍ରାବଧାନ ରହିଛି। ରାଜ୍ୟରେ ଆରଇ ପ୍ରକଳ୍ପରୁ ଶକ୍ତି କ୍ରୟ କଲେ ସଂରକ୍ଷଣ ପ୍ରକଳ୍ପଗୁଡ଼ିକୁ ୧୫ବର୍ଷ ପାଇଁ ଇନପୁଟ ଏନର୍ଜି ପାଇଁ ଇଲେକଟ୍ରିସିଟି ଡ୍ୟୁଟିରେ ୟୁନିଟ୍ ପିଛା ୫୦ ପଇସା ରିହାତିର ବ୍ୟବସ୍ଥା ରହିଛି। ରାଜ୍ୟରେ ଆରଇ ପ୍ରକଳ୍ପରୁ ଶକ୍ତି କ୍ରୟ କଲେ ୧୫ବର୍ଷ ପାଇଁ ଓପନ ଆକ୍ସେସ୍ ଗ୍ରାହକଙ୍କୁ କ୍ରସ୍ ସବସିଡି ସରଚାର୍ଜରେ ୫୦ ପ୍ରତିଶତ ରିହାତି ଓ ହ୍ବିଲିଂ ଚାର୍ଜରେ ୨୫ ପ୍ରତିଶତ ରିହାତିର ପ୍ରାବଧାନ ରହିଛି। ଆରଇ ପ୍ରକଳ୍ପଙ୍କ ପାଇଁ ଜମି କ୍ରୟ କିମ୍ବା ଲିଜ୍ ଉପରେ ଷ୍ଟାମ୍ପ ଡ୍ୟୁଟି, ଜମି ରୂପାନ୍ତର ଓ ପଞ୍ଜୀକରଣ ଖର୍ଚ୍ଚରେ ସଂପୂର୍ଣ୍ଣ ଛାଡ଼ର ବ୍ୟବସ୍ଥା, ସରକାରୀ ଜମିକୁ ଲିଜ ପାଇଁ ବର୍ତ୍ତମାନ ଅବସ୍ଥିତ ଥିବା ବାର୍ଷିକ ଆଇପିଆର ଦରରେ ୨ ପ୍ରତିଶତ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।
ଏହାବାଦ୍ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ଓ ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନି ଦ୍ବାରା କେନ୍ଦ୍ର ସରକାରଙ୍କ ପିଏମ୍-କୁସୁମ ଯୋଜନା ମାଧ୍ୟମରେ କୃଷି ଅନୁପଯୋଗୀ ଜମିଗୁଡ଼ିକରେ ଗ୍ରାଉଣ୍ଡ ମାଉଣ୍ଟେଡ୍ ସୌର ବ୍ୟବସ୍ଥା ଓ ସୌର ପମ୍ପ ବ୍ୟବସ୍ଥାର କାର୍ଯ୍ୟକାରୀ ପାଇଁ ଯୋଜନା କରାଯାଇଛି। ଯାହାକି କୃଷକମାନଙ୍କ ସମୃଦ୍ଧିରେ ସହାୟକ ହେବ। ଏହି ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ୩୦ ପ୍ରତିଶତର ରିହାତିର ବ୍ୟବସ୍ଥା ରହିଛି। ସେହିପରି ଆବାସିକ ଘରରେ ସୌରଶକ୍ତି ଉତ୍ପାଦନ ପାଇଁ ରୁଫ୍-ଟପ୍ ସୌର ବ୍ୟବସ୍ଥା ଯୋଜନାର ରୂପାୟନ ପାଇଁ ୪ଟି ବିଦ୍ୟୁତ ବିତରଣଙ୍କୁ ଦାୟିତ୍ବ ଦିଆଯାଇଛି। ଅଧିକରୁ ଅଧିକ ସୌରଶକ୍ତି ଉତ୍ପାଦନ ପାଇଁ ରୁଫ୍-ଟପ୍ ସୌର କାର୍ଯ୍ୟକ୍ରମ ଫେଜ୍-୨ ମାଧ୍ୟମରେ ସର୍ବାଧିକ ୪୦ ପ୍ରତିଶତ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଘରୋଇ ଉପଭୋକ୍ତାମାନେ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ହେଉଥିବା ଖର୍ଚ୍ଚ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ୪୦ ପ୍ରତିଶତ ରିହାତି ଓ ୩ କିଲୋୱାଟରୁ ୧୦ପର୍ଯ୍ୟନ୍ତ କ୍ଷମତା ପାଇଁ ୨୦ ପ୍ରତିଶତି ରିହାତିର ବ୍ୟବସ୍ଥା ରହିଥିବା ଶ୍ରୀ ଦେବ କହିଛନ୍ତି।