ଅନୁବାଦ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ

ନୂଆଦିଲ୍ଲୀ: ଅନୂଦିତ କୃତି ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ। ଏହା ଆଜି ନୂଆଦିଲ୍ଲୀଠାରେ ବିଧିବଦ୍ଧ ଭାବେ ଅନୁମୋଦିତ ତଥା ଘୋଷିତ ହୋଇଛି।

୨୦୧୯ ବର୍ଷ ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିବା ଅଜୟ କୁମାର ପଟ୍ଟନାୟକଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ରେ ରହିଛି ମୋଟ ୨୫ଟି ଅନୂଦିତ ଗଳ୍ପ। ଚନ୍ଦ୍ରଶର୍ମା ଗୁଲେରୀଙ୍କ ଏକମାତ୍ର ଅଥଚ ଅତ୍ୟନ୍ତ ସୁଖ୍ୟାତି ପ୍ରାପ୍ତ ଗଳ୍ପ ‘ଉସନେ କହାଥା’ ର ଅନୁବାଦ ‘ସେ କହିଥିଲା’ ସମେତ ସେଥିରେ ଅଛି ରାଜା ରାଧିକା ରମଣ ସିଂହ, ଜୟଙ୍କର ପ୍ରସାଦ, ପ୍ରେମଚନ୍ଦ, ବିଶ୍ବମ୍ଭର ଶର୍ମା ‘କୈାଶିକ’, ରାଧାକୃଷ୍ଣ, ଭଗବତୀ ପ୍ରସାଦ ବାଜପେୟୀ, ପାଣ୍ଡେୟ ବଚନ ଶର୍ମା ‘ଉଗ୍ର’, ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ, ୟଶ ପାଲ, ବୃନ୍ଦାବନଲାଲ ବର୍ମା, ଜୈନେନ୍ଦ୍ର କୁମାର, ଭଗବତୀ ଚରଣ ବର୍ମା, ସୁଦର୍ଶନ, ରାଙ୍ଗେୟ ରାଘବ, ଚନ୍ଦ୍ରଗୁପ୍ତ ବିଦ୍ୟାଳଙ୍କାର, ଦ୍ବିଜେନ୍ଦ୍ରନାଥ ମିଶ୍ର ‘ନିର୍ଗୁଣ’, ସିୟାରାମଶରଣ ଗୁପ୍ତ, ସଚ୍ଚିଦାନନ୍ଦ ହୀରାନନ୍ଦ ବାତ୍ସାୟନ ‘ଅଜ୍ଞେୟ’, ଚନ୍ଦ୍ରକିରଣ ସୈାନରିକ୍କା, ଉଷା ପ୍ରିୟମ୍ବଦା, କମଳେଶ୍ବର, ମୋହନ ରାକେଶ, ମନୁ ଭଣ୍ଡାରୀ ଓ ଭୀଷ୍ମ ସାହନୀଙ୍କ ଗଳ୍ପ। ଗଳ୍ପଗୁଡ଼ିକ ‘ପୈାରୁଷ’, ‘ଜନସୁଧା’, ‘ଅର୍ପିତା’, ‘ମହାନଦୀ’, ‘ଶ୍ରୀ’ ଓ ‘ସହକାର’ ଆଦି ପତ୍ରିକାରେ ପ୍ରକାଶିତ। କଟକର ‘ବିଜୟିନୀ ପବ୍ଲିକେସନ୍’ ଏହି ପୁସ୍ତକର ପ୍ରକାଶକ।

ଏହା ପୂର୍ବରୁ ଅନୁବାଦ ଲାଗି ଶ୍ରୀ ପଟ୍ଟନାୟକ ଓଡ଼ିଶାର ଓ ସର୍ବଭାରତୀୟ ସ୍ତରର ଅନେକ ପୁରସ୍କାର ଲାଭ କରିସାରିଛନ୍ତି।  ପୂର୍ବରୁ ସେ ୧୯୭୬-୭୭ ଓ ୧୯୮୬-୮୭ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ‘ହିନ୍ଦୀତର ଭାଷୀ କ୍ଷେତ୍ରର ହିନ୍ଦୀ ଲେଖକ ପୁରସ୍କାର’ ଦୁଇଥର ପାଇଥିଲେ। ୧୯୮୩ରେ ସର୍ବଭାରତୀୟ ସ୍ତରରେ ‘ରାମକୃଷ୍ଣ ହିରଜୀମଲ ଡାଲମିୟାଁ ପୁରସ୍କାର ବି ପାଇଥିଲେ। ଏସବୁ ସହିତ ସର୍ବଭାରତୀୟ ସ୍ତରରେ ସେ ‘ବିକ୍ରମଶିଳା ବିଶ୍ବବିଦ୍ୟାଳୟ’ ପକ୍ଷରୁ ମାନଦ ଡି.ଲିଟ୍. ବି ପାଇଛନ୍ତି। ଓଡିଶାରୁ ସେ ପାଇଥିବା ପୁରସ୍କାର ମଧ୍ୟରେ ପୁନର୍ନବା ସାହିତ୍ୟ ସଂସଦ, ଚାନ୍ଦୋଳର ‘ନେତ୍ରମଣି ଅନୁବାଦ ପୁରସ୍କାର’ (୨୦୦୬) ଓ ଉତ୍କଳ ସାହିତ୍ୟ ସମାଜ, କଟକର ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର’ (୨୦୦୬) ପ୍ରମୁଖ।

୧୯୪୯ ମସିହା ଜୁନ୍ ୫ ତାରିଖରେ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଅଜୟ କୁମାର ପଟ୍ଟନାୟକଙ୍କର ଜନ୍ମ। ୧୯୭୧ରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ହେବାପରେ, ୧୯୭୪ରେ ସେଠାରୁ ସେ ଡି.ଫିଲ୍. କରିଥିଲେ। ତା’ପରେ ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି ସେ ଅବସର ଗ୍ରହଣ କରିଛନ୍ତି। ଏହି ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ୧୯୮୨ରୁ ୧୯୮୩ ପର୍ଯ୍ୟନ୍ତ କଟକର ସରକାରୀ ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନରେ ପ୍ରାଚାର୍ଯ୍ୟ ଦାୟିତ୍ଵ ମଧ୍ୟ ଅନ୍ତର୍ଭୁକ୍ତ। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ତାଙ୍କ ତତ୍ତ୍ଵାବଧାନରେ ଏମ୍.ଫିଲ୍., ପିଏଚ୍.ଡି. ଓ ଡି.ଲିଟ୍. କରିଛନ୍ତି।

କେବଳ ଏତିକି ନୁହେଁ, ଅଜୟ କୁମାର ପଟ୍ଟନାୟକଙ୍କ ପୁସ୍ତକର ସଂଖ୍ୟା ପ୍ରାୟ ୪୦ରୁ ଊର୍ଦ୍ଧ୍ବ। ତା ମଧ୍ୟରେ ରହିଛି ନିଜସ୍ଵ ରଚନା ସହିତ ଓଡ଼ିଆରୁ ହିନ୍ଦୀକୁ ଏବଂ ହିନ୍ଦୀ ରୁ ଓଡ଼ିଆକୁ ଅନେକ ଅନୂଦିତ ପୁସ୍ତକ। ମରାଠୀ ପୁସ୍ତକ ‘ବନଗରବାଡୀ’ ସମେତ ହିନ୍ଦୀରୁ ଓଡ଼ିଆକୁ ରମାନାଥ ତ୍ରିପାଠୀଙ୍କ ‘ଶଙ୍ଖ-ସିନ୍ଦୂର’, ନରେନ୍ଦ୍ର କୋହଲିଙ୍କ ‘ଦୀକ୍ଷା’, ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ‘ଜାୟସୀ’, ନିରାଲାଙ୍କ ଉପନ୍ୟାସ ‘ବିଲ୍ଲେସୁର୍ ଛେଲିଆ’ ଆଦି ଅନୁବାଦ କରିଛନ୍ତି। ଏହା ବ୍ୟତୀତ ‘ମନୋଜ ଦାସ କୃତ କହାନୀ ସଂଗ୍ରହ’ ଓ ‘ପ୍ରଭଞ୍ଜନ’, ରବି ରାୟଙ୍କ ଆତ୍ମଜୀବନୀ ‘ଅନ୍ବେଷା କା ଆକାଶ’, ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ‘ମୁରଲୀ ସାହୁକା ଦିନ’, ପ୍ରତିଭା ରାୟଙ୍କ ‘ପୁଣ୍ୟତୋୟା’, ସାତକଡ଼ି ସୋତାଙ୍କ ‘ନୀଲାଚଲ କୋ ରାସ୍ତା’, ସୁସ୍ମିତା ବାଗଚୀଙ୍କ ‘ଦେବଶିଶୁ’, ଓ ମନୋରମା ମହାପାତ୍ରଙ୍କ ‘ବନ୍ଦ ଘର କା କିବାଡ଼’ ତାଙ୍କର କେତୋଟି ହିନ୍ଦୀକୁ ଅନୂଦିତ ପୁସ୍ତକ। ଏହା ବ୍ୟତୀତ ହିନ୍ଦୀରେ ସେ ଅନେକ ଆଲୋଚନା ପୁସ୍ତକ ଓ ହିନ୍ଦୀ ସାହିତ୍ୟର ଇତିହାସ ମଧ୍ୟ ଲେଖିଛନ୍ତି।

ପୁରସ୍କୃତ ଅନୁବାଦକ ଶ୍ରୀ ପଟ୍ଟନାୟକ ଏହି ପୁସ୍ତକର ମୁଖବନ୍ଧରେ ହିନ୍ଦୀ କାହାଣୀ ପରମ୍ପରା ସଂପର୍କରେ ସମ୍ୟକ୍ ଆଲୋକପାତ କରିବା ସହିତ କହିଛନ୍ତି, “ହିନ୍ଦୀ କାହାଣୀର ଏଇ ସୁଦୀର୍ଘ ପରଂପରାରୁ ଭିନ୍ନ ଭିନ୍ନ ସ୍ୱାଦର ପ୍ରତିନିଧିମୂଳକ ପଚିଶ ଜଣ ଗାଳ୍ପିକଙ୍କୁ ନେଇ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମୋର ଏଇ ବିନମ୍ର ପ୍ରୟାସ- ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’।

ସମ୍ବନ୍ଧିତ ଖବର