ନୂଆଦିଲ୍ଲୀ : କୋଭିଡ୍-୧୯ର ଆକ୍ରାନ୍ତ ହୋଇଥିଲେ ନୂଆଦିଲ୍ଲୀସ୍ଥିତ ଆର୍ଥିକ ସମୃଦ୍ଧି ସଂସ୍ଥାନ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ ଗ୍ରୋଥ୍’)ର ନିର୍ଦ୍ଦେଶକ ପ୍ରଫେସର ଅଜିତ ମିଶ୍ର। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ, ୧୯ଦିନ ହସ୍ପିଟାଲ ରହିଥିବା ସମୟରେ ସେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ପ୍ରଫେସର ମିଶ୍ର।
ଏହି ସାକ୍ଷାତକାର ସମୟରେ ଶ୍ରୀ ମିଶ୍ର କିଭଳି କୋଭିଡ୍-୧୯ର ସଂକ୍ରମଣ ହେଲେ ବୋଲି ଜାଣିଲେ ଏବଂ କିଭଳି ସୁସ୍ଥ ହେଲେ, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୫ ତାରିଖରେ ବ୍ ଫେରିବା ପରେ ରାତିରେ ତାଙ୍କୁ ଜ୍ବର ହେଲା। ଏହା କୋଭିଡ୍-୧୯ର ଲକ୍ଷଣ ହୋଇନଥିଲେ ବି ପରୀକ୍ଷା କରିବାକୁ ଉଚିତ ମନେକଲି। ନିର୍ଦ୍ଦେଶକ ହିସାବରେ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ବହୁ ଲୋକଙ୍କ ସହିତ ବୈଠକ ମଧ୍ୟ କରିଥିଲେ। ଏହି କାରଣ ପାଇଁ ପରୀକ୍ଷା କରିବା ଜରୁରି ମନେକରି ଆର୍ଏମ୍ଏଲ୍ ପରୀକ୍ଷା କେନ୍ଦ୍ର ଗଲେ। ପରୀକ୍ଷାକେନ୍ଦ୍ରରେ ବି ଗହଳି ଥିଲା ଏବଂ ୨୦୦ ଲୋକ ପରୀକ୍ଷା ପାଇଁ ଅପେକ୍ଷା କରିଥିଲେ। ସୌଭାଗ୍ୟବଶତଃ, ତାଙ୍କ ପରୀକ୍ଷା ନମୁନା ସଂଗ୍ରହ କରାଗଲା। ରିପୋର୍ଟରେ ଯଦି ପଜିଟିଭ୍ ଆସିବ, ଫେରିଗଲେ ଅସୁବିଧା ହେବ ବୋଲି କହିବାରୁ ତାଙ୍କୁ ଗୋଟିଏ ରୁମ୍ରେ ରଖାଯାଇଥିଲା।
ଏହାର ୪ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୧୯ ତାରିଖ ଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଲା। ଏହାପରେ ତାଙ୍କୁ ସଫଦର୍ଜଙ୍ଗ ହସ୍ପିଟାଲକୁ ନିଆଗଲା ବୋଲି କହିଛନ୍ତି ପ୍ରଫେସର ମିଶ୍ର। ‘କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ୮୦ ପ୍ରତିଶତ ରୋଗୀଙ୍କ କମ୍ ଲକ୍ଷଣ ରହିଥାଏ। ସୌଭାଗ୍ୟବଶତଃ ମୁଁ ସେମାନଙ୍କ ଭିତରୁ ଜଣେ। ତେବେ, ହସ୍ପିଟାଲରେ ରହିଥିବାବେଳେ ଶାରୀରିକ ଅସୁସ୍ଥତାକୁ ନେଇ ଆଶଙ୍କା ନଥିଲେ ମଧ୍ୟ ମନରେ ଭୟ ରହିଥିଲା। ସେହି ସମୟରେ ପାଖରେ ଥିବା ଡାଏରିରେ ବହୁ ସମୟ ଧରି ଲେଖାଲେଖି କରୁଥିଲି। ଏହି ସମୟରେ ସକାରାତ୍ମକ ଚିନ୍ତାଧାରା ଅତ୍ୟନ୍ତ ଜରୁରି ‘ ବୋଲି କହିଛନ୍ତି ପ୍ରଫେସର ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି ଯେ, ବ୍ରିଟେନ୍ରୁ ଫେରିବା ପରେ ବୃଦ୍ଧ ବାପାମା’ଙ୍କ ସହ କିଛି ସମୟ ବିତାଇଥିବାରୁ ଦୁହିଁଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିଥିଲା। ବାଥ୍ରେ ଥିବା ତାଙ୍କ ପତ୍ନୀ ମଧ୍ୟ କୋଭିଡ୍-୧୯ରେ ସଂକ୍ରମଣ ହୋଇଥିଲେ। ମାତ୍ର, ଦ୍ରୁତ ଗତିରେ ସେ ଆରୋଗ୍ୟ ଲାଭ କରିଥିଲେ। ନିଜେ ରାମମୋହନ ହସ୍ପିଟାଲରେ ୪ ଦିନ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ୧୫ ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ଶ୍ରୀ ମିଶ୍ର।
ପ୍ରଫେସର ମିଶ୍ରଙ୍କ ସୁସ୍ଥତା ଗୋଟିଏ ବାର୍ତ୍ତା ଦେଇଛି ଯେ, କୋଭିଡ୍-୧୯େର ସଂକ୍ରମଣ ହେଉଥିବା ବ୍ୟକ୍ତିମାନେ ଆଦୌ ଆତଙ୍କିତ ହେବା ଉଚିତ ନୁହେଁ।