ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିଚିତ ମୁହଁ, ବାଣିଜ୍ୟ ପ୍ରବନ୍ଧନ ବିଭାଗର ବରିଷ୍ଠତମ ପ୍ରଫେସର୍ ଅର୍କ କେଶରୀ ଦାସମହାପାତ୍ର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ)ର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଗୁରୁବାର ଏହି ବିଶ୍ବବିଦ୍ୟାଳୟ ପାଇଁ ଚୂଡ଼ାନ୍ତ ଦୌଡ଼ରେ ଥିବା ତିନି ପ୍ରଫେସର୍ଙ୍କ ସାକ୍ଷାତକାର ନେବା ପରେ କୁଳାଧିପତି ତଥା ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ କୁଳପତି ଭାବେ ପ୍ରଫେସର୍ ଦାସମହାପାତ୍ରଙ୍କ ନାମ ଘୋଷଣା କରିଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦରେ ନିଯୁକ୍ତି ଦିଆଯାଇଛି। ପ୍ର. ଦାସମହାପାତ୍ର ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ପିଜି କାଉନ୍ସିଲ୍ ଅଧ୍ୟକ୍ଷ ଅଛନ୍ତି। ସେ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି, ୟୁଜିସି ମାନବ ସମ୍ବଳ ବିକାଶ କେନ୍ଦ୍ର ଓ ଜନଜାତି ଅଧ୍ୟୟନ ଜାତୀୟ ସଂଶାଧନ କେନ୍ଦ୍ରର ନିର୍ଦ୍ଦେଶକ, ଦୂର ନିରନ୍ତର ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ, ଡିନ୍, ବିତ୍ତ ନିୟନ୍ତ୍ରକ, ସିନେଟ୍, ସିଣ୍ଡିକେଟ୍ ଓ ଏକାଡେମିକ୍ କାଉନ୍ସିଲ୍ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ, ବାଣିଜ୍ୟ ପ୍ରବନ୍ଧନ ବିଭାଗର ମୁଖ୍ୟ ଭାବେ ସଫଳତାର କାର୍ଯ୍ୟ କରିଛନ୍ତି।
ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ୧୯୬୩ ମସିହାରେ ଜନ୍ମିତ ପ୍ର. ଦାସମହାପାତ୍ର ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଥିଲେ। ସେ ସେଠାରୁ ଫାଇନାନ୍ସରେ ପିଏଚ୍ଡି ଡିଗ୍ରି ହାସଲ କରିଥିଲାବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଏମ୍ଫିଲ୍ ଓ ଡିଲିଟ୍ ଉପାଧି ହାସଲ କରିଥିଲେ।
ସେ ଆସାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ, ଗୌହାଟିରୁ ଅଧ୍ୟାପନା ଜୀବନ ଆରମ୍ଭ କରି ପରେ ସିଲ୍ଚରସ୍ଥିତ ଆସାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୦୨ ମସିହାରେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଯୋଗ ଦେଇ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଅଧୀନରେ ୧୬ ଜଣ ପିଏଚ୍ଡି, ସେତିକି ଜଣ ଏମ୍ଫିଲ୍ ଡିଗ୍ରି ହାସଲ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରିକାରେ ୮୫ଟି ଗବେଷଣା ସଂଦର୍ଭ ପ୍ରକାଶିତ ହୋଇଛି। ପ୍ର. ଦାସମହାପାତ୍ର ପିଏଚ୍ଆଇ ଦ୍ବାରା ପ୍ରକାଶିତ ଇଣ୍ଟର୍ନେସନାଲ୍ ଆକାଉଣ୍ଟିଂ ସମେତ ୮ଟି ଉପାଦେୟ ପୁସ୍ତକ ରଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/prof-ak-dasmohapatra-.jpg)