ପ୍ରଫେସର, ଆସୋସିଏଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ ବିବାଦ : ୧୯ରେ ସବୁ ମାମଲାର ଏକତ୍ର ଶୁଣାଣି

କଟକ : ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପ୍ରସଂଗ ବିବାଦକୁ ନେଇ ହାଇକୋର୍ଟରେ ଦାୟର ସମସ୍ତ ମାମଲାର ଏକତ୍ର ଶୁଣାଣି ହେବ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲା ସହିତ ପୁରୁଣା ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡିକର ଏକତ୍ର ଶୁଣାଣି ପାଇଁ ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଜିଏଆର ଦୋରା, ଜୟନ୍ତ କୁମାର ରଥ ଓ ଏସ୍.ଏସ୍. ଦାସ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର ଲେଙ୍କା, ଶାଶ୍ବତ ଦାସ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ, ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ହୋଇଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଜୁଲାଇ ୩୧ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ଜୁଲାଇ ୩୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସଂଗକୁ ନେଇ ସା‌ନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସାନି ବିଜ୍ଞପ୍ତି ମଧ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ହାଇକୋର୍ଟରେ ଅଗଷ୍ଟ ୧୮ରେ ମାମଲା ରୁଜୁ ହୋଇଥିଲା। ଡକ୍ଟର ପ୍ରୟାସ ଦାସନାଙ୍କ ପକ୍ଷରୁ ଦାୟର ମାମଲାରେ ଉଚ୍ଚ ଶିକ୍ଷା ବିଭାଗର ଏ ସଂପର୍କିତ ୨୦୧୯, ଜୁଲାଇ ୩୧ର ବିଜ୍ଞପ୍ତିକୁ ରଦ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଯଦି କୌଣସି ଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଏ ଓ ପଦ ସଂଖ୍ୟା ଦୁଇଟି ଥାଏ ତେବେ ଏଥିରେ ସଂରକ୍ଷଣ ରହିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ମାମଲା ରୁଜୁ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ବବିଦ୍ୟାଳୟ ଗୁଡିକରେ ବିଭିନ୍ନ ପଦବି ପୂରଣ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏସଟ ପ୍ରଫେସର ପଦବି ପୂରଣ ବେଳେ ଓଆରଭି ଆକ୍ଟ ଲାଗୁ ହେବ ନାହିଁ ଓ କୌଣସି ପ୍ରକାର ସଂରକ୍ଷିଣ ବ୍ୟବସ୍ଥା ରଖାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ସହିତ ରଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏସଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ପାଇଁ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବି କ୍ଷେତ୍ରରେ କୌଣସି ପଦବି ସଂରକ୍ଷିତ ରଖା ଯାଇ ନଥିଲା। ଏହା ପରେ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଡକ୍ଟର ବୈରାଗୀ ଚରଣ ମଲ୍ଲିକ, ଧନଞ୍ଜୟ ସୋରେନ୍ ଓ ଡକ୍ଟର ଖଗେନ୍ଦ୍ର ସେଠୀ ମାମଲା ରୁଜୁ କରିଥିଲେ। ଚାକରି କ୍ଷେତ୍ରରେ ସଂରକ୍ଷଣ ପ୍ରସଂଗରେ ରାଜ୍ୟ ଏସଟି ଆଣ୍ଡ ଏସସି ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇ ପାରିବ। ଅନ୍ୟ କୌଣସି ବିଭାଗର ଏହି ପ୍ରସଂଗରେ କ୍ଷମତା ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। ଏପରି ବିଜ୍ଞପ୍ତି ଓଆରଭି ଆକ୍ଟ ଓ ୟୁଜିସି ନିୟମାବଳୀର ମଧ୍ୟ ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗର ଏ ସଂପର୍କିତ ବିଜ୍ଞପ୍ତି ସହିତ ଏହା ଆଧାରରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର