ଜେଏନୟୁର ସିଆଇଏସ୍‌ ବିଭାଗର ପ୍ରଫେସର ଅରୁଣ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ତଥା ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ସିଆଇଏସ୍‌ ବିଭାଗ ପ୍ରଫେସର ଅରୁଣ ମହାନ୍ତିଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଲୋଧିଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ଶ୍ରୀ ମହାନ୍ତି ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରୁ ସ୍ନାତକ ଶିକ୍ଷା ଲାଭ କରି ଜୀବନର ଦୀର୍ଘ ୩୦ ବର୍ଷ ରୁଷିଆରେ ବିତାଇଛନ୍ତି। ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ସମ୍ମାନଜନକ ପୁସ୍କିନ୍‌ ଗୋଲ୍‌ଡ ମେଡାଲ ପ୍ରଦାନ କରାଯାଇଥିଲା। ପ୍ରଫେସର ଶ୍ରୀ ମହାନ୍ତି ଓଡ଼ିଆ ସାଂସ୍କୃତିକ ପରିଷଦର ସଭାପତି ରହିବା ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରୁଥିଲେ। ତାଙ୍କର ପରଲୋକରେ ଜେଏନୟୁର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର