ପ୍ରଫେସର ଅଶୋକ ମହାପାତ୍ର ହେଲେ ସୋଆ ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି ସୋଆର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ ଏମ୍‌ସ୍‌, ନୂଆଦିଲ୍ଲୀର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ବର ଏମ୍‌ସ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ।

୧୯୭୫ ମସିହାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରୁ ସ୍ନାତକ ଡିଗ୍ରି କରିବା ପରେ ପ୍ରଫେସର ମହାପାତ୍ର ୧୯୮୨ରେ ନ୍ୟୁରୋ ସର୍ଜରିରେ ଏମ୍‌ସ୍‌ରୁ ଏମ୍‌ସିଏଚ୍‌ ଡିଗ୍ରି ହାସଲ କରିଥିଲେ। ପରେ ଏମ୍‌ସ୍‌, ନୂଆଦିଲ୍ଲୀର ସ୍ନାୟୁଶଲ୍ୟ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ ଏବଂ ପରେ ସେହି ବିଭାଗର ମୁଖ୍ୟ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ। ଦେଶରେ ଜଣେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ପ୍ରଫେସର ମହାପାତ୍ରଙ୍କର ଖ୍ୟାତି ରହିଛି। ୨୦୧୭ ମସିହାରେ ଏମ୍‌ଏସ୍‌ରେ ଯୋଡ଼ା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅଲଗା କରିବା ଘଟଣାରେ ସେ ଚର୍ଚ୍ଚିତ ହୋଇଥିଲେ।

କୁଳପତି ଭାବେ ନିଯୁକ୍ତି ହେବା ପରେ ପ୍ରଫେସର ମହାପାତ୍ରଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ଶୁଭେଚ୍ଛା ଜଣାଇଛନ୍ତି। ଦାୟିତ୍ବ ଗ୍ରହଣ ଅବସରରେ ସୋଆର ରେଜିଷ୍ଟ୍ରାର୍‌ ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ ମଲ୍ଲିକ, ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଛାତ୍ର ମଙ୍ଗଲ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ମୁଖ୍ୟ ଭିଜିଲାନ୍ସ ଅଫିସର୍‌ ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର