ସଫଳ ବ୍ୟକ୍ତିଙ୍କ ଜୀବନ ଉତ୍ତରପିଢ଼ି ପାଇଁ ଆଲୋକବର୍ତ୍ତିକା

ପ୍ରଫେସର‌ ବୈଷ୍ଣବ ଚରଣ ସାମଲଙ୍କ ଜୟନ୍ତୀ

କଟକ : ନୂଆ ପିଢ଼ିର ପିଲାମାନେ ଜୀବନରେ କିଛି ହେଲେ ପରିବାର, ବାପ-ମା’ଙ୍କ ଉପରେ ଦୋଷ ଲଦି ଦେଉଛନ୍ତି। ଯେଉଁମାନେ ପ୍ରତିବନ୍ଧକକୁ ଏଡ଼ାଇ ନିରନ୍ତର ସାଧନା କରନ୍ତି, ସେମାନେ ଜୀବନରେ ସଫଳ ହୋଇଥାନ୍ତି। ପ୍ରଫେସର ବୈଷ୍ଣବ ଚରଣ ସାମଲ ଏହି ଭଳି ଜଣେ ସଫଳ ବ୍ୟକ୍ତିତ୍ବ। ସଫଳ ବ୍ୟକ୍ତିଙ୍କ ଜୀବନ ଉତ୍ତରପିଢ଼ିଙ୍କ ପାଇଁ ଆଲୋକବର୍ତ୍ତିକା ବେ‌ାଲି କହିଛନ୍ତି ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ।

ସାରସ୍ବତ ଅନୁଷ୍ଠାନ ‘ଖୋଲାର୍ଝକା’ ପକ୍ଷରୁ ମହାନଦୀଭବନରେ ଅନୁ୍‌ଷ୍ଠିତ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ୮୦ତମ ଜୟନ୍ତୀ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, ସଫଳ ବ୍ୟକ୍ତିଙ୍କ ଜୟନ୍ତୀ ଉତ୍ସବ ଉତ୍ତର ପିଢ଼ିକୁ ଶିକ୍ଷା, ଉତ୍ସାହ ଓ ପ୍ରେରଣା ଦେଇଥାଏ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଇଞ୍ଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସଙ୍କ ପୁସ୍ତକ ‘ସରିନାହିଁ ମନର କଥା’କୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ ଆମ ଭାଷା, ସାହିତ୍ୟକୁ ସମୃଦ୍ଧ କରିବା ସହିତ ଓଡ଼ିଶା ସଂପର୍କରେ ଉ‌ପାଦେୟ ତଥ୍ୟ ପ୍ରଦାନରେ ସହାୟତା କରିବ ‌େବାଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଇଞ୍ଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ସମାରୋହରେ ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପ୍ରଜ୍ଞା ଓ ନମ୍ରତା ପ୍ରଫେସର ସାମଲଙ୍କ ଦୁଇ ବୈଭବ। ଏହା ହିଁ ତାଙ୍କୁ ଆଦର୍ଶ ମଣିଷ, ଭଲ ଶିକ୍ଷକ ଓ ସଫଳ ବ୍ୟକ୍ତିତ୍ବର ପରିଚୟ ଦେଇଛି । ପ୍ରଫେସର ବିଜୟ କୁମାର ଶତପଥୀ ଓ ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ସାମଲଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପିକା ଡ. ସଞ୍ଜିତା ମିଶ୍ର ଲୋକାର୍ପିତ ପୁସ୍ତକ ‘ସରିନାହିଁ ମନର କଥା’କୁ ସମୀକ୍ଷା କରିଥିଲେ। ଏହି ଅବସରରେ ‘ଖୋଲାର୍ଝକା’ ପକ୍ଷରୁ ପ୍ରଫେସର ସାମଲଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ବିଭିନ୍ନ ଅନୁ‌ଷ୍ଠାନ ଓ ବ୍ୟକ୍ତିବିଶେଷ ପ୍ରଫେସର ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଓ ବିଶ୍ବମିତ୍ରା ମିଶ୍ର ମାନପତ୍ର ପାଠ କରିଥିଲେ। ଉତ୍ସବରେ ପ୍ରଫେସର ସାମଲଙ୍କ ଝିଅ ମଞ୍ଜୁଶ୍ରୀ ସାମଲ ବକ୍ତବ୍ୟ ପ୍ରଦାନ କରିଥିଲେ। ‘ଖୋଲାର୍ଝକା’ ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ବାଳ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିୟତି ଅଧିକାରୀ ଓ ଜୀବନାନନ୍ଦ ଅଧିକାରୀ ସଂଗୀତ ପରିବେଷଣ କରିଥିଲେ। ଆଇନଜୀବୀ ଆକାଶ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର