କଟକ: ଦେଶର ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭବାନୀ ଶଙ୍କର ଦାସ ଆଉ ନାହାନ୍ତି। ଶୁକ୍ରବାର ସକାଳ ୯ଟା ୫୦ ମିନିଟ୍‌ରେ କଟକର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପର‌‌ଲୋକ ଘଟିଛି। ତାଙ୍କୁ ୮୬ବର୍ଷ ‌ହୋଇଥିଲା। କିଛି ବ‌ର୍ଷ ହେଲା ଫୁସ୍‌ଫୁସ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ପ୍ରଫେସର ଦାସ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରିବାର ପକ୍ଷରୁ ତାଙ୍କୁ କଟକର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ନ୍ୟୁରୋପାଥୋଲୋଜିଷ୍ଟି ଡାକ୍ତର ସରଳା ଦାସ, ପୁଅ ଡାକ୍ତର କନିଷ୍କ ଦାସ, ବୋହୂ ଡାକ୍ତର ସୁରଭି ମହାନ୍ତି, ଝିଅ ଡାକ୍ତର ତପସ୍ବିନୀ ସାହୁ, ଜ୍ବାଇଁ ତୁଷାରକାନ୍ତି ସାହୁ‌, ନାତିନାତୁଣୀ ଖାରବେଳ, ମାଧବୀ, ତବିଶ୍ବୀ, ତେଜସ୍ବୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଖବର ପାଇ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ଡାକ୍ତର, ପାରିବାରିକ ବନ୍ଧୁ, ପୂର୍ବତନ ସହକର୍ମୀ ଝାଞ୍ଜିରୀମଙ୍ଗଳା ବାସଭବନରେ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ‌ହୋଇଥିଲା। ପୁଅ ଡାକ୍ତର କନିଷ୍କ ମୁଖାଗ୍ନି ଦେଇଥିଲେ।

Advertisment

ପ୍ରଫେସର ଦାସ ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନ ଜଗତସିଂହପୁର)ର ଗଜରାଜପୁର ଗ୍ରାମରେ ୧୯୩୬, ଅକ୍ଟୋବର ମାସ ୨୮ତାରିଖରେ ଜନ୍ମଗ୍ରହଣ କରିଥିଲେ। ଅନାଦିନାଥ ଦାସ-ଚିତ୍ରକଳା ଦେବୀଙ୍କ ପୁଅ ପ୍ରଫେସର ଦାସ ୧୯୬୦ରେ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍ ଡିଗ୍ରି ହାସଲ କରିଥିଲେ। ୧୯୬୫ରେ କେଜିଏମ୍‌ସି(ଲକ୍ଷ୍ନୌ)ରୁ ଜେନେରାଲ ସର୍ଜରିରେ ସ୍ବତନ୍ତ୍ର ଡିଗ୍ରି ଓ ୧୯୭୦ରେ ଦିଲ୍ଲୀ ଏମ୍‌ସରୁ ନ୍ୟୁରୋସର୍ଜରିରେ ସ୍ବତନ୍ତ୍ର ଡିଗ୍ରି ହାସଲ କରିଥିଲେ। ୧୯୬୧ ମସିହାରେ ଏସ୍‌ସିବି ମେଡିକାଲରେ ମେଡିକାଲରେ କାର୍ଯ୍ୟ କରୁଥିବା ବେଳେ ଏମ୍‌ବିବିଏସ୍ ସହପାଠିନୀ ଡାକ୍ତର ସାରଳା ଦାସଙ୍କ ସହିତ ତାଙ୍କର ବିବାହ ହୋଇଥିଲା।

ପ୍ରଫେସର ଦାସ ୧୯୬୧-୬୨ କଟକର ଶିଶୁରୋଗ ପ୍ରତିଷ୍ଠାନର ରେଜି‌ଷ୍ଟ୍ରାର, ୧୯୬୮ର-୭୦ ଏସ୍‌ସିବି ମେଡିକାଲର ନ୍ୟୁରୋସର୍ଜରିରେ ଓ ୧୯୭୦-୮୦ ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ପ୍ରଫେସର ଦାସ ବୁର୍ଲା ମେଡିକାଲ କଲେଜରେ ନ୍ୟୁରୋସର୍ଜରି ବିଭାଗ ପ୍ରତିଷ୍ଠା କରିଥିଲେ। ପ୍ରଫେସର ଦାସ ୧୯୮୧ରୁ ୧୯୯୬ପର୍ଯ୍ୟନ୍ତ ସମ୍ମାନଜନକ ନିମହାନ୍‌ସ (ବାଙ୍ଗାଲୋର)ର ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୯୬ରେ ଅବସରଗ୍ରହଣ କରିଥିଲେ। ଅବସର ପରେ ପ୍ରଫେସର ଦାସ କଟକ ଫେରିଥିଲେ। ସେ ୧୯୯୭ରୁ ଭୁବନେଶ୍ବରସ୍ଥିତ କଳିଙ୍ଗ ହସ୍ପିଟାଲ୍‌ ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଜଣେ ସଫଳ ନ୍ୟୁରୋସର୍ଜନ ଭାବେ ପ୍ରଫେସର ଦାସ ବହୁ ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଂପନ୍ନ କରି ସେମାନଙ୍କ କରି ଜୀବନ ବଞ୍ଚାଇ ଥିଲେ। ସେ ବିଶ୍ବର ଅନେକ ଦେଶ ଭ୍ରମଣ କରି ନ୍ୟୁରୋସର୍ଜରି କର୍ମଶାଳାରେ ଯୋଗ ଦେଇଥିଲେ। ଜଣେ ଅମାୟିକ ଓ ବନ୍ଧୁବତ୍ସଳ ‌ବ୍ୟକ୍ତି ଭାବେ ପ୍ରଫେସର ସବୁ ମହଲରେ ଜଣାଶୁଣା ଥ‌ିଲେ |