ଓଡ଼ିଶାରେ ନ୍ୟୁରୋସର୍ଜରିର ମୂଳଦୁଆ ପକାଇ ଥିଲେ ପ୍ରଫେସର ଡାକ୍ତର ସନାତନ ରଥ

କଟକ ( ପୁଷ୍ପମିତ୍ର ମହାନ୍ତି) : ଅନ୍ତର୍ଜାତୀୟ ସ୍ତରରେ ନ୍ୟୁରୋ ସର୍ଜରୀ ଚିକିତ୍ସା କ୍ଷେତ୍ରରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସ୍ୱନାମଧନ୍ୟ ପ୍ରଫେସର ଡାକ୍ତର ସନାତନ ରଥଙ୍କର ଆଜି ହୃଦାଘାତରେ ପରଲୋକ ହୋଇଯାଇଛି। ନ୍ୟୁରୋ ସର୍ଜରୀ ଚିକିତ୍ସା କ୍ଷେତ୍ରରେ ଜଣେ ପ୍ରବାଦ ପୁରୁଷ ରୂପେ ବିବେଚିତ ହେଉଥିବା ପ୍ରଫେସର ଡାକ୍ତର ସନାତନ ରଥଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିବା ସହ ସ୍ନାୟୁଶୈଲ୍ୟ ବା ନ୍ୟୁରୋସର୍ଜରୀ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ୟସ୍ଥାନ; ଯାହା ନିକଟ ଭବିଷ୍ୟତରେ ପୂର୍ଣ୍ଣ ହେବାର ସମ୍ଭାବନା କ୍ଷୀଣ।

୨୫ ଜୁଲାଇ ୧୯୩୪ରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ଡାକ୍ତର ସନାତନ ରଥ। ୧୯୫୭ରେ ସେ ଏମବିବିଏସ୍‌ (ଉତ୍କଳ)ରେ ଉତ୍ତୀର୍ଣ୍ଣ ହେବାପରେ ୧୯୬୨ ମସିହାରେ ପାଟନାରୁ ଏମଏସ (ସର୍ଜରୀ)ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ୧୯୬୫ରେ ସେ ସିଏମ୍‌ସି ଭେଲୋରରୁ ଏମଏସ୍‌ ନ୍ୟୁରୋ ସର୍ଜରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ସେହିବର୍ଷ ମେ ମାସରେ କଟକ ଏଏସ୍‌ସିବି ମେଡିକାଲ କଲେଜ ଓ ହସପିଟାଲରେ ନ୍ୟୁରୋ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଭାବରେ ନିଜର ଡାକ୍ତରୀ ଜୀବନ ଆରମ୍ଭ କରିଥିଲେ। ପରେ, ସେ ଜାନୁଆରି ୧୯୬୮ରୁ ମେ ୧୯୭୦ ପର୍ଯ୍ୟନ୍ତ ସେହି ବିଭାଗର ଆସୋସିଏଟ୍‌ ପ୍ରଫେସର ପଦବୀରେ ରହି କାର୍ଯ୍ୟ ଜାରି ରଖିଥିଲେ।

 

ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ଥିବାବେଳେ ନିଜସ୍ୱ ପ୍ରଚେଷ୍ଟାରେ ସେ ଏସ୍‌ସିବି ମେଡିକାଲରେ ଜେନେରାଲ ସର୍ଜରୀ ଅଧୀନରେ ନ୍ୟୁରୋ ସର୍ଜରୀର ଏକ ୟୁନିଟ୍‌ ଆରମ୍ଭ କରିଥିଲେ। ଏସ୍‌ସିବି ମେଡିକାଲରେ ନ୍ୟୁରୋ ସର୍ଜରୀ ବିଭାଗ ଆରମ୍ଭ ହେବାପରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ବହୁ ରାଜ୍ୟର ରୋଗୀ ଉପକୃତ ହେବା ସହ ଚିକିତ୍ସା ସୁବିଧା ପାଇ ପରିଥିଲେ। ୧୯୯୧ରେ ସେ ଓଡ଼ିଶାରେ ମେଡିକାଲ୍‌ ଶିକ୍ଷା ନିର୍ଦ୍ଦେଶକ (ଡିଏମ୍‌ଇଟି) ହେବା ପର୍ଯ୍ୟନ୍ତ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରିଥିଲେ।

ରାଜ୍ୟରେ ସ୍ନାୟୁ ବିଜ୍ଞାନ ଓ ନ୍ୟୁରୋ ସର୍ଜରୀକୁ ଡାକ୍ତର ରଥ ନିଜସ୍ୱ ଉଦ୍ୟମ ଓ ଆଗ୍ରହ ବଳରେ ଏକ ନୂତନ ସୋପାନରେ ନେଇ ପହଞ୍ଚାଇବାରେ ବିଶେଷ ସଫଳତା ଲାଭ କରିଥିଲେ। ଡାକ୍ତର ରଥଙ୍କ ବ୍ୟକ୍ତିଗତ ଓ ଏକକ ଉଦ୍ୟମରେ କଲିକତା ଏବଂ ତ୍ରିଭେନ୍ଦମ ପୂର୍ବରୁ ୧୯୮୧ରେ ରାଜ୍ୟରେ ସିଟି ସ୍କାନ୍‌ ସ୍ଥାପନ କରାଯାଇ ପାରିଥିଲା।

ପ୍ରଫେସର ରଥ ଓଡ଼ିଶାରେ ସ୍ନାୟୁ ବିଜ୍ଞାନର ମାନ ବୃଦ୍ଧି କରିବାକୁ ଅନେକଗୁଡ଼ିଏ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ଯାଇଛନ୍ତି। ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ଡାକ୍ତର ରଥ ଏଡିନବର୍ଗରେ ପ୍ରଫେସର ଗିଲିଙ୍ଗହମ୍‌ଙ୍କ ସହ ଏବଂ କାନାଡାରେ ପ୍ରଫେସର ଜେ ପି ଦାସଙ୍କ ସହ ମିଳିତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଏଣ୍ଡୋକ୍ରିନୋଲୋଜି ଏନ୍‌ଏସ୍‌ଆଇର ସଭାପତି ଭାବେ ୧୯୯୪ରେ ନିର୍ବାଚିତ ହୋଇଥିଲେ। ଜଣେ ନ୍ୟୁରୋ ସର୍ଜନ ଏବଂ ଶିକ୍ଷାବିତ୍‌ ଭାବରେ ପ୍ରଫେସର ଡାକ୍ତର ରଥ ବହୁତ ସକ୍ରିୟ ରହିବା ସହ ସେ ୧୯୯୫ରେ ଏଏନ୍‌ଇଆଇର ସଭାପତି ମଧ୍ୟ ଥିଲେ।

କେବଳ ଜଣେ ସଫଳ ଚିକିତ୍ସକ ନୁହନ୍ତି ସମାଜସେବା କ୍ଷେତ୍ରରେ ମଧ୍ୟ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ପ୍ରଫେସର ଡାକ୍ତର ସନାତନ ରଥ। ତାଙ୍କର ବିୟୋଗ ରାଜ୍ୟର ଚିକିତ୍ସା ଜଗତରେ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ।

ସମ୍ବନ୍ଧିତ ଖବର