ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ହଠାତ୍ ଆଜି ତାଙ୍କ ବ୍ରହ୍ମପୁର ହିଲ୍ପାଟଣା ଗୋପବନ୍ଧୁନଗର ବାସଭବନରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବର୍ତ୍ତମାନ ସେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସେ ୧୯୮୧ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବହୁ ବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରି ୨୦୧୫ରେ ଅବସର ନେଇଥିଲେ। ଏହାପରେ ସେ ଆସାମର ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଡିନ୍ ତଥା ପ୍ରଫେସର ଅଫ୍ ଏମିନେନ୍ସ ଭାବେ ଯୋଗ ଦେଇଥିଲେ। ସେଠାରେ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମାପନ କରିବା ପରେ ୨୦୨୧ରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ।
୧୯୫୫ ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ବେହେରା ଗଞ୍ଜାମ ଜିଲ୍ଲା ଆସ୍କାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ପରବର୍ତ୍ତୀ ସମୟରେ ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୮୧ ମସିହାରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପ୍ରାଧ୍ୟାପକ ଭାବେ ଦାୟିତ୍ବ ସମ୍ପାଦନ କରିବା ସହ ବିଭାଗୀୟ ମୁଖ୍ୟ ଭାବେ ବହୁ ଛାତ୍ରଛାତ୍ରୀଙ୍କ ପଥପ୍ରଦର୍ଶକ ସାଜିଥିଲେ। ଭାରତର ୧୦ଜଣ ଶ୍ରେଷ୍ଠ ଶିକ୍ଷାବିତ୍ଙ୍କ ମଧ୍ୟରୁ ଜଣେ ଭାବେ ଗଣା ଯାଉଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍କୁ ବହୁବାର ମନୋନୀତ ହେବା ସହ ସେ ନାକ୍ ଟିମ୍ର ସଦସ୍ୟ ରହିଥିଲେ। ସ୍ବର୍ଗତ ବେହେରା ଜଣେ ଭିଜିଟିଂ ପ୍ରଫେସର ଭାବେ ଏବଂ ବିଭିନ୍ନ ସେମିନାରରେ ଜଣେ କି’ନୋଟ ଏଡ୍ରେସି ଭାବେ ଦେଶବିଦେଶ ବୁଲି ଜ୍ଞାନ ବିତରଣ କରୁଥିଲେ ଏବଂ ସବୁ ମହଲରେ ପ୍ରିୟଭାଜନ ହୋଇ ପାରିଥିଲେ। ବହୁ ଛାତ୍ରଛାତ୍ରୀ ତାଙ୍କ ଅଧୀନରେ ଗବେଷଣା କରି ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି। ସବୁବେଳେ ନିଜ ଦରମା ଟଙ୍କାରୁ ପିଲାଙ୍କ ଉନ୍ନତି କଳ୍ପେ ଓ ନିଜ ବିଭାଗର ବିକାଶ ପାଇଁ ମୁକ୍ତ ହସ୍ତରେ ଖର୍ଚ୍ଚ କରୁଥିଲେ। କିଛି ଦିନ ତଳେ ଅସୁସ୍ଥତା ହେତୁ ଛୁଟି ନେଇ ବିଶ୍ରାମ ନେବା ପରେ ଗତ ୨୧ ତାରିଖ ଦିନ ବ୍ରହ୍ମପୁର ଫେରିଥିଲେ।
ଆଜି ବାସଭବନରେ ଦ୍ବିପହର ଭୋଜନ ପରେ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ତାଙ୍କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିକଟରେ ତାଙ୍କ ପତ୍ନୀ ଉପସ୍ଥିତ ଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ପୁଅ ଓ ଝିଅ ପହଞ୍ଚିବା ପରେ ସ୍ବର୍ଗତ ବେହେରାଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କ ଶରୀରକୁ ଏମ୍କେସିଜି ମେଡିକାଲ୍ କଲେଜକୁ ଦାନ କରାଯିବ। ଏଥିପାଇଁ ଦୁଇମାସ ପୂର୍ବେ ପ୍ରଫେସର ବେହେରା ଇଚ୍ଛାପତ୍ର ସ୍ବାକ୍ଷର କରିଥିଲେ। ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଫେସର ବେହେରାଙ୍କ ବିୟୋଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ.ଜୟନ୍ତ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଭଦ୍ର, ମେଳାପି ତଥା ବନ୍ଧୁବତ୍ସଳ ଥିଲେ। କେବଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୁହଁ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବି ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି ପ୍ରଫେସର ଡ. ମହାପାତ୍ର ଶୋକବାର୍ତ୍ତାରେ ଜଣାଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଗଣଯୋଗାଯୋଗ ବିଭାଗ ମୁଖ୍ୟ ଗଣେଶ୍ବର ସେଠୀ, ବନ୍ଦନା ପଣ୍ଡା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ.ଭାରତୀବାଳା ପଟ୍ଟନାୟକ, ସିପିଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଫେସର୍ ଡକ୍ଟର ସୁନୀଲକାନ୍ତ ବେହେରାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।