ପ୍ରଫେସର ଦୁର୍ଗାପ୍ରସାଦ ନାୟକ ଆଉ ନାହାନ୍ତି

ସମ୍ବଲପୁର : ଅଧ୍ୟୟନ, ଅଧ୍ୟାପନା ଓ ସମାଜସେବା କ୍ଷେତ୍ରର ଜଣେ କିଂବଦନ୍ତି ପୁରୁଷ ତଥା ବାମପନ୍ଥୀ ଚିନ୍ତାନାୟକ ପ୍ରଫେସର ଡ. ଦୁର୍ଗା ପ୍ରସାଦ ନାୟକ ଆଉ ନାହାନ୍ତି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ସମ୍ବଲପୁର ମୁଦିପଡ଼ାସ୍ଥିତ ବାସଭବନରେ ହୃଦ୍‌ଘ‌ାତରେ ତାଙ୍କ ପରଲୋକ ଘଟିଛି।

୧୯୨୪ ମସିହା ଅକ୍ଟୋବର ୧ ତାରିଖ ସମ୍ବଲପୁର ପଟ୍ଟନାୟକପଡ଼ାରେ ଜନ୍ମିତ ଦୁର୍ଗା ପ୍ରସାଦ ଛାତ୍ରଜୀବନରୁ ଥିଲେ ସଂଗ୍ରାମୀ। ପ୍ରାଥମିକ ଶିକ୍ଷା ନିଜ ପୈତୃକ ଗାଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ କୁକେତିରାରେ ସଂପନ୍ନ ହୋଇଥିଲା। ସମ୍ବଲପୁର ଜିଲ୍ଲା ସ୍କୁଲରୁ ସେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ସେ ଥିଲେ ଜିଏମ୍ କଲେଜର ପ୍ରଥମ ବ୍ୟାଚ୍ ଛାତ୍ର। ସ୍ବାଧୀନତା ସଂଗ୍ରାମୀଙ୍କୁ ସହାୟତା କରି ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ। ଭାରତର ପ୍ରଥମ ଛାତ୍ର ସଂଗଠନ ଅଖିଳ ଭାରତ ଛାତ୍ର ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୫ରେ ପଶ୍ଚିମ ଓଡ଼ିଶାରେ ଏଆଇଏସ୍‌ଏଫ୍‌ର ପ୍ରଥମ ଶାଖା ଗଠନ କରିଥିଲେ। ତେବେ, ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନା‌ତକୋତ୍ତର ଶିକ୍ଷାଲାଭ ପରେ ଅଧ୍ୟାପନାକୁ ବୃତ୍ତି ଭାବେ ଆପଣେଇ ଥିଲେ।

ଓଡ଼ିଶାର ପ୍ରମୁଖ ମହାବିଦ୍ୟାଳୟ ସମ୍ବଲପୁରର ଜିଏମ୍ କଲେଜ, ବଲାଂଗୀର ରାଜେନ୍ଦ୍ର କଲେଜ, କଟକର ରେଭେନ୍‌ସା କଲେଜରେ ଅଧ୍ୟାପନା ପରେ ସମ୍ବଲପୁର ଟିଏଫ୍ କଲେଜ (ବର୍ତ୍ତମାନର ଏନ୍‌ଏସ୍‌ସିବି) ଏବଂ ସୋନପୁର କଲେଜ ଅଧ୍ୟକ୍ଷ ଦାୟିତ୍ବ ତୁଲାଇ ୧୯୮୨ ମସିହାରେ ସରକାରୀ ସେବାରୁ ଅବସର ନେଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରୌଢ଼ ଶିକ୍ଷା, ଏନ୍‌ଏସ୍‌ଏସ୍‌ ପାଇଁ କାମ କରିବା ସମୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଛାତ୍ରଛାତ୍ରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ବିଭିନ୍ନ ସ୍ଥାନ ଗସ୍ତ କରି ଅନେକ ତଥ୍ୟ ସଂଗ୍ରହ କରିଥିଲେ। ୧୯୭୬ ମସିହାରେ ଇସ୍‌କଫ୍, ଶାନ୍ତି ଓ ସଂହତି ପରିଷଦର ପ୍ରତିନିଧି ଭାବେ ସୋଭିଏତ୍‌ ୟୁନିୟନ, ହଂଗେରି ଆଦି ଦେଶକୁ ଯାଇଥିଲେ। ଅବସର ଗ୍ରହଣ ପରେ ପ୍ରତ୍ୟକ୍ଷ ରାଜନୀତିକୁ ଆସି କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହେବା ସହିତ ଦୈନିକ ଅଗ୍ନିଶିଖାର ମୁଖ୍ୟ ସଂପାଦକ ଦାୟିତ୍ବ ତୁଲାଇଥିଲେ। ଉଭୟ ପ୍ରାକୃତିକ ଓ ସାମାଜିକ ପରିବେଶର ସ୍ଥିତି ଓ ସମସ୍ୟାର ଅନୁଧ୍ୟାନ ତଥା ସମାଧାନ ନିମନ୍ତେ ଶ୍ରମିକ, ଶୋଷିତ ଓ ବିସ୍ଥାପିତଙ୍କ କଲ୍ୟାଣ ନିମନ୍ତେ ତାଙ୍କ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ।

ବାଣିଜ୍ୟ ସହିତ ବହୁବିଧି ଭାଷା, ଗଣନା, ବିଜ୍ଞାନ, ସମାଜ ବିଜ୍ଞାନ, ଆଇନଶାସ୍ତ୍ର ଆଦି କ୍ଷେତ୍ରରେ ଅଶେଷ ଜ୍ଞାନ ରହିଥିଲା। ବିଭିନ୍ନ ଶ୍ରମିକ ସଂଗଠନ ସହିତ ସଂପୃକ୍ତ ଥିଲେ। ଶ୍ରମିକ କଲ୍ୟାଣ, ସେବା ଓ ଶ୍ରମ ସଂଗଠନ କ୍ଷେତ୍ରରେ ନିଷ୍ଠାପର, ନିରବଚ୍ଛିନ୍ନ ଓ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ବିଭାଗ ପକ୍ଷରୁ ୨୦୧୭ ମସିହାରେ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ସମାରୋହରେ ତାଙ୍କୁ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା। ଲମ୍ବା ସମୟ ପର୍ଯ୍ୟନ୍ତ ସମ୍ବଲପୁରର ମୁରବି ରହିଥିଲେ। ବହୁ ବର୍ଷ ତଳେ ପତ୍ନୀ ପୂର୍ବତନ ବିଧାୟିକା ସୈରିନ୍ଧ୍ରୀ ନାୟକଙ୍କୁ ହରାଇଥିବା ଦୁର୍ଗା ପ୍ରସାଦ ପ୍ରଚଣ୍ଡ ସ୍ମରଣ ଶକ୍ତିର ଅଧିକାରୀ ଥିଲେ। ସେ ପଶ୍ଚିମ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଜୀବନର ‘ଏନ୍‌ସାଇକ୍ଲୋପେଡିଆ’ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଦୁର୍ଗା ପ୍ରସାଦ ତାଙ୍କ ପଛରେ ଦୁଇପୁଅ ଡାକ୍ତର ଅଶ୍ବିନୀ ନାୟକ ଓ ଆଇନଜୀବୀ ଶରତ ନାୟକ, ଏକମାତ୍ର ଝିଅ ସମ୍ବଲପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷା ତଥା ବିଜେଡି ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା କବିତା ପୁରୋହିତଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ସୋମବାର ପୂର୍ବାହ୍ଣରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାଡ଼ିଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଗଂଗାଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାରାଜୁ, ଉପକୁଳସଚିବ ଡ. ଉମାଚରଣ ପତି, ଡ. ଶ୍ୟାମାଚରଣ ଆଚାର୍ଯ୍ୟ, ବିଶିଷ୍ଟ ସିପିଆଇ ନେତା ଅଶୋକ ବିଶିଙ୍କ ସହିତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର