ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଶିକ୍ଷାବିତ୍ ପ୍ରଫେସର୍ ଗୌରକିଶୋର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ଦିଲ୍ଲୀର ନୋଏଡାସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଶ୍ରୀ ଦାସଙ୍କର ୮୬ ବର୍ଷ ବୟସରେ ବିୟୋଗ ହୋଇଥିଲା। ତାଙ୍କ ପତ୍ନୀ ବୁଲ୍ବୁଲ୍ ଦାସ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ। ଦୁଇ ଝିଅ ମଧୁମିତା ଦାସ ଓ ଗୀତାଞ୍ଜଳି ଦାସ ରହିଛନ୍ତି।
ରେଭେନ୍ସା କଲେଜରେ ଶିକ୍ଷାଲାଭ ସମୟରେ ଶ୍ରୀ ଦାସ ଛାତ୍ର ରାଜନୀତିରେ ସାମିଲ ହୋଇଥିଲେ। ୧୯୫୪-୫୫ ଶିକ୍ଷାବର୍ଷରେ କଲେଜ ଛାତ୍ର ସଂଘର ସଭାପତି ରହିଥିଲେ। ଇଂରାଜୀ ଅନର୍ସରେ ସ୍ନାତକ କରି ସର୍ବୋଚ୍ଚ ନମ୍ବର ରଖିଥିଲେ। ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ସେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ। ଏହାପରେ ଇଂଲଣ୍ଡରେ ଏମ୍ଏ କରିବା ସହ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଡକ୍ଟରେଟ୍ ଡିଗ୍ରି ହାସଲ କରିଥିଲେ। ବିଶ୍ବବିଖ୍ୟାତ ସାହିତ୍ୟିକ ଇ. ଏମ୍ ଫୋଷ୍ଟର୍ଙ୍କ ଉପରେ ନିବନ୍ଧ ଲେଖି ଚର୍ଚ୍ଚାର ପରିସରକୁ ଆସିଥିଲେ। ତାଙ୍କ ଦ୍ବାରା ଇଂରାଜୀରେ ରଚିତ ପୁସ୍ତକ ‘ଇ. ଏମ୍ ଫୋଷ୍ଟର୍ସ ଇଣ୍ଡିଆ’ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିଥିଲା, ଯାହାକି ଲଣ୍ଡନରୁ ପ୍ରକାଶିତ ହୋଇଥିଲା। ସେହିପରି ତାଙ୍କ ସମ୍ପାଦନାରେ ଫୋଷ୍ଟରଙ୍କ ଶତବାର୍ଷିକ ଗ୍ରନ୍ଥ ଲଣ୍ଡନରୁ ପ୍ରକାଶ ପାଇଥିଲା। ଶ୍ରୀ ଦାସ ଆମେରିକାର ଏମ୍ଆଇଟିରେ ଗବେଷଣା ଓ ଅଧ୍ୟାପନା ମଧ୍ୟ କରିଥିଲେ।
୧୯୫୬ ମସିହାରେ ସେ ରେଭେନ୍ସା କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ୧୯୬୧ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଷୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଉକ୍ତ ବିଭାଗର ରିଡର୍, ପ୍ରାଧ୍ୟାପକ ଓ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍, ପ୍ରୋ-ଭାଇସ୍ ଚାନ୍ସେଲର, ସାଉଥ୍ କ୍ୟାମ୍ପସ୍ର ନିର୍ଦେଶକ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପରି ଗୁରୁତ୍ବପୂର୍ଣ୍ଣ ପଦରେ ଶ୍ରୀ ଦାସ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ।