କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଆଦିବାସୀ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ ଦିଆଯିବ: କୁଳପତି

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଆଦିବାସୀ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ ଦିଆଯିବ। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ପ୍ରଫେସର ଡ.ଗୋବିନ୍ଦ ଜେ ଚକ୍ରପାଣି ଯୋଗ ଦେବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁଁ ଅଦିବାସୀଙ୍କ ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଏହାର ଗବେଷଣା ପାଇଁ ପଦକ୍ଷେପ ନିଆଯିବ। ଏହା ସହିତ ବିଜ୍ଞାନ, ସୋସିିଓଲୋଜି, ଫିଲୋସଫି, ଗଣିତ ବିଭାଗର ପିଜିର ପାଠ୍ୟକ୍ରମ ଆରମ୍ଭ ପାଇଁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

କଳାହାଣ୍ଡି ଜିଲ୍ଲାକୁ ଗବେଷଣାର ଏକ ହବ୍‌ ଭାବରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ନବନିଯୁକ୍ତ କୁଳପତି କହିଛନ୍ତି। ସ୍କୁଲ୍‌ ଜୀବନରେ ଏଠାରେ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ଥିବା ଯୋଗୁଁ ବର୍ତ୍ତମାନ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଉଚ୍ଚଶିକ୍ଷାକୁ ଏକ ସୋପାନରେ ପହଞ୍ଚାଇବା ପାଇଁ ବଦ୍ଧପରିକର କରିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଏଥି ନିମନ୍ତେ ସବୁ ସ୍ତରରେ ସହଯୋଗ ଓ ଆଗ୍ରହର ଆବଶ୍ୟକ ରହିଛି ବୋଲି ସେ ଆଶା କରିଛନ୍ତି।

କଳାହାଣ୍ଡି ଜିଲ୍ଲା ସହିତ ପିଲାଦିନର ନିଆରା ଅନୁଭୂତି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ବହୁବିଧ ଉନ୍ନତି ପାଇଁ ଖୋରାକ ଯୋଗାଇଛି। ପ୍ରଫେସର ଡ.ଗୋବିନ୍ଦ ଯେ ଚକ୍ରପାଣି ଭବାନୀପାଟଣା ସହରର ପୁଲିସ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀ ଓ ବ୍ରଜମୋହନ ହାଇସ୍କୁଲରେ ଷଷ୍ଠ ଶ୍ରେଣୀ ଅଧ୍ୟୟନ କରିଥିଲେ। ତାଙ୍କ ବାପା ଭବାନୀପାଟଣା ସହରସ୍ଥିତ ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ପ୍ରାୟ ଦୁଇ ବର୍ଷ ତାଙ୍କ ସ୍କୁଲ୍‌ ଜୀବନ କଟିଥିଲା। ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥିବା ଯୁକ୍ତ ଦୁଇ ଶ୍ରେଣୀକୁ ସ୍ଥାନୀୟ ବ୍ରଜ ମୋହନ ହାଇସ୍କୁଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି କଳାହାଣ୍ଡି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ବର୍ତ୍ତମାନ କୁଳପତି ଯୋଗଦେବା ପରେ କଳାହାଣ୍ଡିବାସୀଙ୍କ ବିଶ୍ୱବିଦ୍ୟାଳୟ ସ୍ୱପ୍ନ ସାକାର ହୋଇଛି।

ସମ୍ବନ୍ଧିତ ଖବର