ଆଇଆଇଏମ୍‌ରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କଲେ ପ୍ର.ମହାଦେବ ପ୍ରସାଦ ଜୟସ୍ୱାଲ୍

ସମ୍ବଲପୁର : ପ୍ରଫେସର୍‌ ମହାଦେବ ପ୍ରସାଦ ଜୟସ୍ୱାଲ୍‌ ଲଗାତାର ଦ୍ୱିତୀୟ ଥର ପାଇଁ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ପ୍ର. ଜୟସ୍ୱାଲ୍ ସମ୍ବଲପୁର ଆସି ଦ୍ୱିତୀୟ ଅବଧି ପାଇଁ ନିର୍ଦ୍ଦେଶକଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଏହି ନୂଆ ଆଇଆଇଏମ୍‌ର ପ୍ରଥମ ନିର୍ଦ୍ଦେଶକଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିବା ଏହି ଶିକ୍ଷା ପ୍ରଶାସକ ପୁଣି ଆଉ ୫ ବର୍ଷ ପାଇଁ ଅର୍ଥାତ୍‌ ୨୦୨୭ ପର୍ଯ୍ୟନ୍ତ ଅନୁଷ୍ଠାନର ମୁଖ୍ୟ ପଦରେ ଅଧିଷ୍ଠିତ ହୋଇଛନ୍ତି। ନିଜ ଦକ୍ଷ ନେତୃତ୍ବ ଓ ଯୋଜନାବଦ୍ଧ କାର୍ଯ୍ୟ ଜରିଆରେ ସ୍ବଳ୍ପ ସମୟ ମଧ୍ୟରେ ନୂଆ ପିଢ଼ିର ଆଇଆଇଏମ୍‌ ଗୁଡ଼ିକ ମଧ୍ୟରେ ସମ୍ବଲପୁରର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିବା ପ୍ରଫେସର୍ ଜୟସ୍ୱାଲ୍ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପରବର୍ତ୍ତୀ ୫ ବର୍ଷର ଯୋଜନା ଓ କାର୍ଯ୍ୟ ଖସଡ଼ା ସଂପର୍କରେ ଅନୌପଚାରିକ ଆଲୋଚନା କରିଥିଲେ।

ପ୍ର. ଜୟସ୍ୱାଲ କହିଲେ, ଏକ ନୂଆ ଅନୁଷ୍ଠାନର ମୁଖ୍ୟ ଭାବେ ତାଙ୍କର ପ୍ରଥମ ୫ ବ‌ର୍ଷ କେ‌ମିତି ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ ହେବ, ଭଲ ଅଧ୍ୟାପକ ଆସିବେ, ବିଭିନ୍ନ ମୌଳିକ ସମସ୍ୟା ଦୂର ହେବ ସେ ସବୁରେ ଗଲା। ନିଜସ୍ବ କ୍ୟାମ୍ପସ୍‌ ନଥିବାରୁ ଭିତ୍ତିଭୂମି ଚିନ୍ତା ସବୁବେଳେ ମୁଣ୍ଡରେ ଥିଲା। କିନ୍ତୁ ଏବେ ଆମ ସ୍ଥାୟୀ କ୍ୟାମ୍ପସ୍‌ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେପ୍‌ଟେମ୍ବର ସୁଦ୍ଧା କ୍ୟାମ୍ପସ୍ ହସ୍ତାନ୍ତର କରିବାକୁ ନିର୍ମାଣ ଦାୟିତ୍ବରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍‌ବିସିସିକୁ କହାଯାଇଛି। ସେପ୍‌ଟେମ୍ବରରେ ହିଁ ଆମେ ବସନ୍ତପୁରସ୍ଥିତ ନିଜ ସ୍ଥାୟୀ କ୍ୟାମ୍ପସ୍‌କୁ ଯିବାର ଯୋଜନା ରଖିଛୁ ବୋଲି ପ୍ର. ଜୟସ୍ୱାଲ କହିଥିଲେ। ପ୍ରଥମ ପର୍ଯ୍ୟାୟରେ କ୍ଲାସ୍‌ରୁମ୍, ପ୍ରଶାସନିକ କୋଠା, ହଷ୍ଟେଲ୍ ଆଦି ପ୍ରସ୍ତୁତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଅଧ୍ୟାପକଙ୍କ ଆବାସ ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ।

ଆଗାମୀ ୫ ବର୍ଷର ଯୋଜନା ସଂପର୍କରେ ପ୍ର. ଜୟସ୍ବାଲ କହିଲେ, ଏବେ ସମୟ ଆସିଛି ଆମକୁ ନୂଆ କିଛି କରିବାକୁ ହେବ, ଯାହା ଆମକୁ ଅନ୍ୟଠୁ ଭିନ୍ନ କରିବ। ଦ୍ବିତୀୟ ପର୍ଯ୍ୟାୟରେ ଆମେ ୩ଟି ବିଷୟକୁ ନିଜ ଲକ୍ଷ୍ୟ ଭାବେ ଗ୍ରହଣ କରି ତାହା ହାସଲ ପାଇଁ କାର୍ଯ୍ୟ କରିବୁ। ପ୍ରଥମଟି ହେଲା ସ୍ଥାନୀୟ ବ୍ୟବସାୟକୁ ବିଶ୍ବ ବଜାରରେ ପହଞ୍ଚାଇବା, ଦ୍ବିତୀୟଟି ଷ୍ଟାର୍ଟଅପ୍‌ ଅଭିଯାନ ଆରମ୍ଭ କରିବା ତଥା ତୃତୀୟରେ ଗବେଷଣା ଓ ଉଦ୍ଭାବନକୁ ଗୁରୁତ୍ବ ଦେବା। ଭାରତ ଷ୍ଟାର୍ଟଅପ୍‌ରେ ବିଶ୍ବର ତୃତୀୟ ସ୍ଥାନରେ ରହିଛି ଓ ଏଥି ପାଇଁ ଅନେକ ସୁଯୋଗ ରହିଛି। ଆମେ ଦେଶର ବିଭିନ୍ନ ସହରରେ ଷ୍ଟାର୍ଟଅପ୍‌ ଅଭିଯାନ ଆରମ୍ଭ କରିବୁ ଯାହାର ମୁଖ୍ୟାଳୟ ସମ୍ବଲପୁର ହେବ। ବିଭିନ୍ନ ସ୍ଥାନରେ ଇନ୍‌କ୍ୟୁବେସନ୍ ସେଣ୍ଟର୍ ଖୋଲାଯିବ। ବୌଦ୍ଧିକ ଉତ୍ସ (ଇଣ୍ଟେଲେକ୍‌ଚୁଆଲ୍ ରିସୋର୍ସ) ସୃଷ୍ଟି ଉପରେ ଗୁରୁତ୍ବ ଦିଆଯିବ। ଏମ୍‌ବିଏ ପାଠ ପଢ଼ାଇବା କାମ ତ ସବୁ ଅନୁଷ୍ଠାନ କରୁଛନ୍ତି। ଆମେ ସମସ୍ତଙ୍କଠାରୁ ଭିନ୍ନ ପାଠପଢ଼ା ସହ ବ୍ୟବହାରିକ କାର୍ଯ୍ୟ ଉପରେ ସର୍ବାଧିକ ଗୁରୁତ୍ବ ଦେବୁ। ଆମେ କଣ ନୂଆ ଉଦ୍ଭାବନ କଲୁ, ନୂଆ ଧାରା ସୃଷ୍ଟି କଲୁ ତାହା ହିଁ ଆମର ପରିଚୟ ସୃଷ୍ଟି କରିବ ବୋଲି ପ୍ର. ଜୟସ୍ୱାଲ କହିଥିଲେ। ସେହିପରି ଆଗାମୀ ଦିନରେ ଅନ୍ତର୍ଜାତୀୟ ସହବନ୍ଧନକୁ ଗୁରୁତ୍ବ ଦିଆଯିବ। ବିଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଚୁକ୍ତି ସ୍ୱାକ୍ଷର ଓ ଅଧ୍ୟାପକ ଅଦଳବଦଳ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।

ଆଇଆଇଏମ୍‌ରେ ପ୍ରତି ୧୦ ଜଣ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ଅଧ୍ୟାପକ ରହିବା ଦରକାର। ବର୍ତ୍ତମାନ ଆମର ୪୦୦ ବିଦ୍ୟାର୍ଥୀ ଥିବାବେଳେ ଏହାକୁ ୫୦୦କୁ ବୃଦ୍ଧି କରିବା ଯୋଜନା ରହିଛି। ତେଣୁ ଆମକୁ ୫୦ ଜଣ ସ୍ଥାୟୀ ଅଧ୍ୟାପକ ଆବଶ୍ୟକ। କିନ୍ତୁ ଏବେ ମାତ୍ର ୧୮ ଜଣ ଅଛନ୍ତି। ଏହାକୁ ପ୍ରଥମେ ୨ ଗୁଣ ଓ ପରେ ୩ ଗୁଣ କରିବା ଯୋଜନା ରହିଛି। ଝାରସୁଗୁଡ଼ାରେ ବିମାନବନ୍ଦର ହୋଇ ସାରିଥିବାବେଳେ ସମ୍ବଲପୁରରେ ଏକ ଭଲ ପବ୍ଲିକ୍ ସ୍କୁଲ୍ ଓ ଉନ୍ନତ ଡାକ୍ତରଖାନାର ଆବଶ୍ୟକତା ରହିଛି। ଏହାହେଲେ ବାହାରର ଭଲ ଅଧ୍ୟାପକ ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରିବେ‌ ବୋଲି ପ୍ର. ଜୟସ୍ବାଲ କହିଥିଲେ। ଗତ ୫ ବର୍ଷରେ ତାଙ୍କ ପ୍ରଦର୍ଶନକୁ ଦେଖି ସରକାର, ବିଶେଷ କରି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପୁଣିଥରେ କାର୍ଯ୍ୟ କରିବାକୁ ସୁଯୋଗ ଦେଇଛନ୍ତି। ମାତା ସମଲେଶ୍ବରୀଙ୍କ ଦୟା ଓ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି ସେ କହିଥିଲେ। ଅଞ୍ଚଳବାସୀଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସେ କୃତଜ୍ଞ। ଅନୁଷ୍ଠାନ ଓ ଅଞ୍ଚଳର ବିକାଶ ପାଇଁ ତାଙ୍କ ଦ୍ବାରା ଯାହା ସମ୍ଭବ କରିବାକୁ ଉଦ୍ୟମ କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର