ପ୍ରଫେସର ମନୋଜ ଦାସ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୧୯’

ଭୁବନେଶ୍ୱର: ସୁଖ୍ୟାତ ସାହିତ୍ୟିକ ପ୍ରଫେସର ମନୋଜ ଦାସ ପାଇବେ ପ୍ରଥମ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୧୯’। ପାରିବାରିକ ପତ୍ରିକା ‘କାଦମ୍ବିନୀ’ପକ୍ଷରୁ ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାହିତ୍ୟ ସାଧନା ନିମନ୍ତେ ଅନ୍ତର୍ଜାତୀୟସ୍ତରର ଲେଖକ ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଏକ ପ୍ରେସବିଜ୍ଞପ୍ତି ଜାରି କରାଯାଇଛି।

ଆସନ୍ତା ଜାନୁଆରି ୬ ତାରିଖରେ ଭୁବନେଶ୍ୱରସ୍ଥ କିଟ୍‌ ବିଶ୍ୱବିଦ୍ୟାଳୟରେ କନ୍‌ଭେନ୍‌ସନ ସେଣ୍ଟରରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ-୨୦୧୯’ଅବସରରେ ମର୍ଯ୍ୟାଦାଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପ୍ରଫେସର ମନୋଦ ଦାସଙ୍କୁ ପ୍ରଦାନ କରାଯିବ ବୋଲି ‘କାଦମ୍ବିନୀ’ସମ୍ପାଦିକା ଡ. ଇତି ସାମନ୍ତ ଜଣାଇଛନ୍ତି।

ସୂଚନାଯୋଗ୍ୟ, କଳା ,ସାହିତ୍ୟ ଓ ସମାଜସେବା ପ୍ରତି ରୁଚି ରଖୁଥିବା ମା’ ନୀଳିମାରାଣୀଙ୍କ ସ୍ମୃତିରେ ଏକ ଜାତୀୟ ସ୍ତରୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବାକୁ ଗତବର୍ଷ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ। ଭାରତବର୍ଷର ଜଣେ କୃତବିଦ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ସାମଗ୍ରିକ କୃତି ତଥା ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡ. ସାମନ୍ତ କହିଥିଲେ।

ସମ୍ବନ୍ଧିତ ଖବର