ଏସ୍ସିବି, ଭିମ୍ସାର୍ରେ ପ୍ରଫେସର ପଦ ଫାଙ୍କା: କିଡ୍ନି ରୋଗ ନିୟନ୍ତ୍ରଣ ହେବ କେମିତି?
ଏସ୍ସିବିରେ ହେପାଟୋଲୋଜି ବିଭାଗୀୟ ମୁଖ୍ୟ, ଭିମସାର୍ରେ ମେଡିସିନ୍ ଡାକ୍ତର ସମ୍ଭାଳୁଛନ୍ତି ବିଭାଗ
କଟକ : କଟକ ବଡ଼ଡାକ୍ତରଖାନା ନେଫ୍ରୋଲୋଜି ବିଭାଗରେ ଏବେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ପଦବି ଖାଲି ପଡ଼ିଛି। ଫଳରେ ହେପାଟୋଲୋଜି ବିଭାଗୀୟ ମୁଖ୍ୟଙ୍କୁ ଏହି ବିଭାଗର ଦାୟିତ୍ବ ଦିଆଯାଇଛି। ସେ ନିଜ ବିଭାଗ ସହ ନେଫ୍ରୋଲୋଜି ବିଭାଗ ଦେଖୁଛନ୍ତି। କେବଳ ଏସ୍ସିବି ନୁହେଁ ଭିମ୍ସାର ମେଡିକାଲ କଲେଜରେ ବି ସମାନ ଚିତ୍ର। ୪ ବର୍ଷ ହେଲା ନାହାନ୍ତି ପ୍ରଫେସର କି ଡାକ୍ତର। ନାଁକୁ କେବଳ କାମଚଳା ଢଙ୍ଗରେ ଚାଲିଛି ବ୍ୟବସ୍ଥା । ଏସ୍ସିବିରେ ହେପାଟୋଲୋଜି ବିଭାଗୀୟ ମୁଖ୍ୟ, ଭିମସାର୍ରେ ମେଡିସିନ୍ ଡାକ୍ତର ବିଭାଗ ସମ୍ଭାଳୁଛନ୍ତି । ଏପଟେ ଦିନକୁ ଦିନ କିଡ୍ନି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ମେଡିକାଲ କଲେଜଗୁଡିକରେ ଏଭଳି ବିଶେଷଜ୍ଞ ମରୁଡି ସମସ୍ୟା ପାଇଁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେବାସହ ବାଧ୍ୟ ହୋଇ ଘରଦ୍ବାର ବନ୍ଧାଦେଇ ଘରୋଇ ହସ୍ପିଟାଲରେ ବର୍ଷ ବର୍ଷ ଧରି ଚିକିତ୍ସିତ ହେଉଥିବା ଅଭିଯୋଗ ଆସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ସିବି ନେଫ୍ରୋଲୋଜି ବିଭାଗରେ ୩ଜଣ ପ୍ରଫେସର ରହିବା କଥା କିନ୍ତୁ ସବୁ ପଦ ଖାଲିପଡ଼ିଛି। ସେହିପରି ଜଣେ ଆସୋସିଏଟ୍ ପ୍ରଫେସର ପଦ ମଧ୍ୟ ଖାଲି। ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା ହେଲେ ଅଛନ୍ତି ଦୁଇ ଜଣ। ଏସ୍ଆର, କନିଷ୍ଠ ଡାକ୍ତରଙ୍କ ଭରସାରେ ଚାଲିଛି ବିଭାଗ। ଟ୍ରାନ୍ସପ୍ଲାଣ୍ଟ କୋର୍ଡିନେଟର ପଦ ମଧ୍ୟ ଖାଲି ପଡିଛି। ବିଭାଗୀୟ ମୁଖ୍ୟ ଥିବା ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ବିୟୋଗ ପରେ ସେହି ପଦବି ଖାଲି ପଡ଼ିଥିଲା। ଏହାପରେ ଦାୟିତ୍ବରେ ଥିବା ପ୍ରଫେସର ଗତ ମାସରେ ଅବସର ନେବାପରେ ଏବେ ବିଭାଗ ପ୍ରଫେସର ଶୂନ୍ୟ ହୋଇ ପଡିଛି। ଏସ୍ସିବି ନେଫ୍ରୋଲୋଜି ବିଭାଗରେ ବେଡ୍ ସଂଖ୍ୟା ୩୯ ରହିଥିବା ବେଳେ ସେଥିରୁ ୩୩ଟି ବେଡ୍ ଓ ୬ଟି ଟ୍ରାନ୍ସପ୍ଲାଣ୍ଟ ବେଡ୍ ରହିଛି। ଏସ୍ସିବି ଭଳି ରାଜ୍ୟର ପ୍ରମୁଖ ହସ୍ପିଟାଲରେ ଯଦି ନେଫ୍ରୋଲୋଜି ବିଭାଗ ପ୍ରଫେସର ଶୂନ୍ୟ ହେବ, ତା’ହେଲେ ରୋଗୀ କେମିତି ଚିକିତ୍ସା ପାଇବେ ବୋଲି ପ୍ରଶ୍ନ ଉଠୁଛି। ସେହିପରି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ଭିମ୍ସାର ମେଡିକାଲ କଲେଜରେ ବି ୪ ବର୍ଷ ହେଲା ନେଫ୍ରୋଲୋଜି ବିଭାଗ ପ୍ରଫେସର ଶୂନ୍ୟ ଥିବାବେଳେ ମେଡିସିନ୍ ବିଭାଗର ଜଣେ ଡାକ୍ତର ଏହି ବିଭାଗକୁ ସମ୍ଭାଳୁଛନ୍ତି। ବ୍ରହ୍ମପୁର ମେଡିକାଲ କଲେଜରେ ଜଣେ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ।
ଓଡିଶାରେ ଦିନକୁ ଦିନ କିଡ୍ନି ରୋଗୀଙ୍କ ସଂଖ୍ୟା ବଢୁଛି। ବର୍ଷକୁ ହାରାହାରି ଭାବେ ୩/୪ ହଜାର କିଡ୍ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାରରୁ ଅଧିକ ରୋଗୀ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ଏକ ବେସରକାରୀ ସର୍ଭେ ରିପୋର୍ଟରୁ ଜଣାପଡିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ନେଇ କୌଣସି ଠିକ୍ ତଥ୍ୟ ନାହିଁ କି ଏହାର ଆକଳନ ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇପାରିନି। କେବଳ କଟକ ବଡ଼ ଡାକ୍ତରଖାନାର ତଥ୍ୟକୁ ଆକଳନ କଲେ ଜଣାଯାଏ ଯେ, ଗଲା ୨୦୧୧ରେ ୨୧୯୫ ଜଣ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଡାଏଲିସିସ୍ କରିଛନ୍ତି। କିନ୍ତୁ ୧୦ ବର୍ଷ ଭିତରେ ୨୦୨୧ରେ ଏହି ସଂଖ୍ୟା ପାଖାପାଖି ୨୦ ହଜାରରେ ପହଞ୍ଚିଛି। ଅର୍ଥାତ୍ ବର୍ଷକୁ ୧୫ରୁ ୧୭ ଶହ ରୋଗୀ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଏସସିବିରେ ଡାଏଲିସିସ୍ କରୁଥିବା ତଥ୍ୟରୁ ଜଣାପଡିଛି।
ସବୁଠାରୁ ଉଦ୍ବେଗର ବିଷୟ ହେଉଛି, କରୋନାଜନିତ୍ ଲକ୍ଡାଉନ୍, ସଟ୍ଡାଉନ୍ରେ ଉପଯୁକ୍ତ ଚିକିତ୍ସା ବିଶେଷ କରି ଡାଏଲିସିସ୍ ସୁବିଧା ନ ପାଇ ଅନେକ କିଡ୍ନି ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାର ସଂଖ୍ୟା ଯଦିଓ ସରକାରୀ ହିସାବ ଖାତାରେ ନାହିଁ ତଥାପି ଶତାଧିକ କିଡ୍ନି ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଣେ ବରିଷ୍ଠ ନେଫ୍ରୋଲୋଜିଷ୍ଟଙ୍କ କହିବା ଅନୁସାରେ ରାଜ୍ୟର କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, ମନମୁଣ୍ଡା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍ନି ରୋଗ ଦେଖା ଦେଉଛି। କେଉଁ କାରଣରୁ ଏହିସବୁ ଅଞ୍ଚଳରେ କିଡ୍ନି ରୋଗର ଭୟାବହତା ବୃଦ୍ଧି ପାଉଛି, ତାର ଠିକ୍ କାରଣ ମଧ୍ୟ ଜଣାପଡୁ ନାହିଁ।