ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନୂଆ କୁଳପତି

ବ୍ରହ୍ମପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ପ୍ରଫେସର ଭାବେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ଦୀର୍ଘ ୩୫ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ଆଜି ଚୂଡ଼ାନ୍ତ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ରାଜ୍ୟର ନୂତନ ଶିକ୍ଷାନୀତି ଅନୁଯାୟୀ ସେ ୪ବର୍ଷ ପାଇଁ ଏହି ଦାୟିତ୍ବ ନିର୍ବାହ କରିବେ।

ଅନ୍ୟପକ୍ଷେ ଏହି ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ଥିବା ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୧୩ରୁ ଶେଷ ହେଲାଣି। ‘କରୋନା’ ମହାମାରୀ ଯୋଗୁଁ ନୂତନ କୁଳପତି ଚୟନ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଫଳରେ ପ୍ରଫେସର ମିଶ୍ରଙ୍କ କାର୍ଯ୍ୟକାଳକୁ ଦୁଇଥର ବୃଦ୍ଧି କରାଯାଇଥିଲା। ୭ଦିନ ମଧ୍ୟରେ ନୂତନ କୁଳପତି କାର୍ଯ୍ୟରେ ଯୋଗ ଦେବାକୁ ଥିବା ବେଳେ ପ୍ରଫେସର ମିଶ୍ର ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବେ। ଅନ୍ୟପକ୍ଷେ ଦକ୍ଷିଣଓଡ଼ିଶାର ଅନ୍ୟ ଦୁଇଜଣ ବରିଷ୍ଠ ଶିକ୍ଷାବିତ୍ ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗୃହବିଜ୍ଞାନ ବିଭାଗ ପୂର୍ବତନ ପ୍ରଫେସର ଅପରାଜିତା ଚୌଧୁରୀ ଏବଂ ସମ୍ବଲପୁର ଗଂଗାଧର ମେହେର‌ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଏନ୍‌. ନାଗରାଜୁ (ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର)ଙ୍କୁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହି ନବିନିଯୁକ୍ତ କୁଳପତିମାନଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର